www.samajalive.in
Monday, December 8, 2025
27.1 C
Bhubaneswar

ନ୍ୟାୟପାଳିକା ଉପରେ ଆସ୍ଥା ଓ କ୍ଷମତାର ଦ୍ବନ୍ଦ୍ବ

ଭୁବନେଶ୍ବର : ଶାସନ ପ୍ରଣାଳୀକୁ ସୁଚାରୁ ରୂପେ ତୁଲାଇବା ପାଇଁ ଭାରତରେ ସାମ୍ୱିଧାନିକ ପଦ୍ଧତିରେ ଏକ ସୁଦୃଢ଼ ସଂସଦୀୟ ଗଣତାନ୍ତ୍ରିକ ବ୍ୟବସ୍ଥା ରହିଛି। ଏହି ଶାସନ ପ୍ରଣାଳୀରେ କ୍ଷମତାରେ ଭାରସାମ୍ୟ ରଖିବା ପାଇଁ ଗଣତନ୍ତ୍ରର ତିନିଟି ସ୍ତମ୍ଭ ଅଛି: ବ୍ୟବସ୍ଥାପିକା, କାର୍ଯ୍ୟପାଳିକା ଏବଂ ନ୍ୟାୟପାଳିକା। ଏହି ତିନିଟି ସ୍ତମ୍ଭ ସାମ୍ବିଧାନିକ ଅଧିକାର ବଳୟରେ ନିଜନିଜର ଭୂମିକା ନିର୍ବାହ କରିଥାନ୍ତି। ଆଉ ଏହି ଦୃଷ୍ଟିରୁ, ଏହି ସଂସ୍ଥାମାନେ କ୍ଷମତା ପୃଥକୀକରଣ ସିଦ୍ଧାନ୍ତକୁ ନିରନ୍ତର ପାଳନ କରିବା ଆବଶ୍ୟକ କିନ୍ତୁ ଅନେକ ସମୟରେ ଏହି କ୍ଷମତା ପୃଥକୀକରଣ ବ୍ୟବସ୍ଥା ଉପରେ କିଛି ସଂସ୍ଥାର ବ୍ୟକ୍ତି ବିଶେଷ ବା ଜନସାଧାରଣ ସନ୍ଦେହ ପ୍ରକଟ କରିଥାନ୍ତି। ସମ୍ପ୍ରତି ଏଭଳି ଏକ ଘଟଣା, ଆମ ଦେଶର ଉପରାଷ୍ଟ୍ରପତି ଜଗଦୀପ ଧନକଡଙ୍କ ଅଭିଭାଷଣରେ ଦେଖିବାକୁ ମିଳିଛି। ସେ ନ୍ୟାୟପାଳିକାର ସଚ୍ଚୋଟତା ଓ ସ୍ବାଧୀନତା ଉପରେ କିଛି ପ୍ରସଙ୍ଗ ଉଠାଇଛନ୍ତି।

ପ୍ରଥମତଃ, ସେ ଦିଲ୍ଲୀ ହାଇକୋର୍ଟର ଜଣେ ବିଚାରପତିଙ୍କ ବାସଭବନରେ ବିପୁଳ ପରିମାଣର ଟଙ୍କା ଉଦ୍ଧାର ପରେ ବିଚାରପତିଙ୍କ ଏକ କମିଟି ଦ୍ୱାରା କରାଯାଉଥିବା ତଦନ୍ତରେ ସ୍ୱଚ୍ଛତାର ଅଭାବ ବିଷୟରେ କହିଥିଲେ। ଦ୍ୱିତୀୟତଃ, ସେ ସର୍ବୋଚ୍ଚ ନ୍ୟାୟାଳୟ ବା ସୁପ୍ରିମକୋର୍ଟଙ୍କ ସାମ୍ପ୍ରତିକ ରାୟ ବିଷୟରେ ମନ୍ତବ୍ୟ ଦେଇଥିଲେ, ଯେଉଁଥିରେ ନ୍ୟାୟାଳୟ ରାଷ୍ଟ୍ରପତି ଏବଂ ରାଜ୍ୟପାଳମାନଙ୍କୁ ସରକାରଙ୍କ ବିଧେୟକ ଉପରେ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସମୟସୀମା ଧାର‌୍ୟ୍ୟ କରିଥିଲେ। ନିଷ୍କ୍ରିୟତା କିମ୍ବା ଅତ୍ୟଧିକ ବିଳମ୍ବ ହେଲେ ଏହି କାର‌୍ୟ୍ୟାଳୟଗୁଡ଼ିକୁ ଉଚ୍ଚ ନ୍ୟାୟାଳୟ ସାମ୍ବିଧାନିକ ଅଧିକାର ଦ୍ବାରା ‘ମାଣ୍ଡାମସ୍’ର ଏକ ରିଟ ଜାରି କରିପାରିବେ। ତୃତୀୟତଃ, ସେ ବ୍ୟବସ୍ଥାପିକା ଏବଂ କାର‌୍ୟ୍ୟପାଳିକା ପରି ସାଧାରଣ ଲୋକଙ୍କ ପ୍ରତି ନ୍ୟାୟପାଳିକାର ଉତ୍ତରଦାୟିତ୍ୱ ଅଭାବ ବିଷୟରେ ଚିନ୍ତା ବ୍ୟକ୍ତ କରିଥିଲେ। ଏହା ସାମ୍ବିଧାନିକ ପୀଠଙ୍କ ଦ୍ୱାରା ଆଇନର ନ୍ୟାୟିକ ସମୀକ୍ଷା ପରିପ୍ରେକ୍ଷୀରେ ଏବଂ ଗୃହୀତ  କରାଯାଇଥିବା ଆଦେଶଗୁଡ଼ିକ କାର‌୍ୟ୍ୟନିର୍ବାହୀ କ୍ଷେତ୍ର ଉପରେ ହସ୍ତକ୍ଷେପ କରିଥିଲେ। ଧାରା ୧୪୫(୩)ର ବ୍ୟବସ୍ଥା ଅନୁଯାୟୀ, ଯେ କୌଣସି ମାମଲାରେ ସାମ୍ବିଧାନିକ ବୈଧତା ଉପରେ ବିଚାର କରିବା ପାଇଁ ସର୍ବନିମ୍ନ ପାଞ୍ଚଜଣ ବିଚାରପତିଙ୍କ ଆବଶ୍ୟକତା ରହିଥାଏ। ଏହି ସର୍ବନିମ୍ନ ସଂଖ୍ୟା ୧୯୫୦ ମସିହାରେ ଧାର‌୍ୟ୍ୟ କରାଯାଇଥିଲା ଯେତେବେଳେ ନ୍ୟାୟାଳୟର ମୋଟ କ୍ଷମତା ଆଠଜଣ ବିଚାରପତି ଥିଲେ। ସେ ପରାମର୍ଶ ଦେଇଥିଲେ ଯେ ଏହାକୁ ପୁନଃ ବିଚାର କରିବାକୁ ପଡ଼ିପାରେ, କାରଣ ବର୍ତ୍ତମାନ ଏହା ବୃଦ୍ଧିହୋଇ ୩୪ ଜଣ ବିଚାରପତି ଅଛନ୍ତି।

- Advertisement -

ଶେଷରେ, ସେ ମତବ୍ୟକ୍ତ କରିଥିଲେ ଯେ, ସର୍ବୋଚ୍ଚ ନ୍ୟାୟାଳୟ ଧାରା ୧୪୨ ଅନୁଯାୟୀ ଏହାର ଅସାଧାରଣ କ୍ଷମତାକୁ ଏପରି ଭାବରେ ବ୍ୟବହାର କରୁଛି ଯେ ଏହା ପ୍ରତିନିଧିତ୍ବପୂର୍ଣ୍ଣ ଗଣତନ୍ତ୍ରକୁ ଦୁର୍ବଳ କରିଦେଇଥାଏ। ଏଠି ପ୍ରଶ୍ନଉଠୁଛି ଯେ, ଦେଶର ନ୍ୟାୟପାଳିକା ବ୍ୟବସ୍ଥା ଉପରେ ଉପରାଷ୍ଟ୍ରପତିଙ୍କ ଏପରି ମନ୍ତବ୍ୟ କେତେଦୂର ଯୁକ୍ତିଯୁକ୍ତ ଓ ସାଧାରଣ ଲୋକଙ୍କ ଉପରେ ନ୍ୟାୟପାଳିକା ପ୍ରତି ଆସ୍ଥାର ପ୍ରଭାବରେ କିଛି ପ୍ରତିଫଳିତ ହେବ କି? ସେଥିପାଇଁ ଆମକୁ ଉପରାଷ୍ଟ୍ରପତିଙ୍କର ଅଭିଭାଷଣକୁ ପୁଙ୍ଖାନୁପୁଙ୍ଖ ଭାବରେ ଏକ ବିଶ୍ଳେଷଣ ତଥା କିଛି ସାମ୍ବିଧାନିକ ବାସ୍ତବତାର ତର୍ଜମାର ଆବଶ୍ୟକତା ରହିଛି।

ଯଦି ଆମେ ପ୍ରଥମ ଯୁକ୍ତି ଉପରେ ଧ୍ୟାନ ଦେବା, ଅବଶ୍ୟ ନ୍ୟାୟପାଳିକାକୁ କିଛି ସ୍ୱତନ୍ତ୍ର ଓ ଅଭିନବ ପଦକ୍ଷେପ ବ୍ୟବସ୍ଥାର ସୃଜନ ଦରକାର। କାରଣ ବିଚାରପତିମାନଙ୍କ ଦ୍ୱାରା ଦୁର୍ବ୍ୟବହାର କରାଯାଇଥିବା ଅଭିଯୋଗ ମାମଲାରେ ନ୍ୟାୟପାଳିକା ଦ୍ୱାରା କରାଯାଇଥିବା ତଦନ୍ତର ଅସ୍ପଷ୍ଟତା ବିଷୟରେ ସାଧାରଣ ଜନତାଙ୍କ ମଧ୍ୟରେ ଆଶଙ୍କା ବ୍ୟାପକ ଭାବରେ ପ୍ରକାଶ ପାଇଛି। ଭାରତର ପ୍ରଧାନ ବିଚାରପତିଙ୍କୁ ଏପରି ଏକ ପ୍ରକ୍ରିୟା ପ୍ରସ୍ତୁତ କରିବା ଉଚିତ ଯାହା ଆଇନର ଶାସନରେ ବିଶ୍ୱାସ ସୃଷ୍ଟି କରିବା ପାଇଁ ଏପରି ମାମଲାରେ ସର୍ବାଧିକ ସ୍ୱଚ୍ଛତା ପ୍ରଦାନ କରିବ ବୋଲି ବାର୍ତ୍ତା ଯିବ।

ନ୍ୟାୟପାଳିକା ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗର ମୂଳକାରଣ ମଧ୍ୟରୁ ଗୋଟିଏ ହେଉଛି କଲେଜିୟମ ପ୍ରକ୍ରିୟା ମାଧ୍ୟମରେ ନିଯୁକ୍ତିରେ ଉତ୍ତରଦାୟିତ୍ୱ ଏବଂ ସ୍ୱଚ୍ଛତାର ଅଭାବ। ଏକ ବ୍ୟାପକ ଆଧାରିତ ଜାତୀୟ ନ୍ୟାୟିକ ନିଯୁକ୍ତି କମିସନ, ଯେଉଁଥିରେ ଭାରତର ପ୍ରଧାନ ବିଚାରପତିଙ୍କୁ ନିଯୁକ୍ତି ପ୍ରକ୍ରିୟାରେ ଚୂଡ଼ାନ୍ତ ମତ ରଖିବା ପାଇଁ ଏକ ଭିଟୋ ପ୍ରଦାନ କରାଯାଇଛି, ନ୍ୟାୟପାଳିକାର ସ୍ୱାଧୀନତା ସହିତ ଆପତ୍ତି ନ କରି ଚୟନ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ କରିବ।

ଦ୍ୱିତୀୟ ପ୍ରସଙ୍ଗ, ସର୍ବୋଚ୍ଚ ନ୍ୟାୟାଳୟର ସାମ୍ପ୍ରତିକ ଆଦେଶ ରାଷ୍ଟ୍ରପତି ଏବଂ ରାଜ୍ୟପାଳମାନଙ୍କୁ ସମୟସୀମା ଧାର‌୍ୟ୍ୟ କରିବାପାଇଁ ସାମ୍ବିଧାନିକ ନୀତିଗୁଡ଼ିକୁ ବଜାୟ ରଖିବାର କ୍ଷମତା ମଧ୍ୟରେ ଅଭିହିତ ଥିଲା। ଏହି ମାମଲାରେ ଦୁଇ ବିଚାରପତି ପୂର୍ବରୁ ନିଷ୍ପତ୍ତି ନେଇଥିବା ବିଭିନ୍ନ ସାମ୍ବିଧାନିକ ପୀଠଙ୍କ ରାୟ ଉପରେ ଆଧାର କରି ସେମାନଙ୍କର ନିଷ୍କର୍ଷରେ ପହଞ୍ଚିଥିଲେ। ସେଥିପାଇଁ ଏହାକୁ ନେଇ ନ୍ୟାୟପାଳିକା ଉପରେ ପ୍ରଶ୍ନ କରିବା ଉଚିତ୍‌ ମନେ ହେଉନାହିଁ। ଏହାସହ ଆମକୁ ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କ କ୍ଷମତା ବିଷୟରେ ଜାଣିବା ଉଚିତ। ବାସ୍ତବରେ ଭାରତର ରାଷ୍ଟ୍ରପତି ହେଉଛନ୍ତି ନାମମାତ୍ର ମୁଖ୍ୟ। ସମ୍ବିଧାନର ଧାରା ୭୪ ଅନୁଯାୟୀ, ସେ କେନ୍ଦ୍ର ସରକାରଙ୍କ ମନ୍ତ୍ରୀ ପରିଷଦର ସହାୟତା ଏବଂ ପରାମର୍ଶରେ ହିଁ କାର‌୍ୟ୍ୟ କରନ୍ତି। ସେହିପରି ଧାରା ୧୬୩ ଅନୁଯାୟୀ, ରାଜ୍ୟପାଳ ରାଜ୍ୟ ସରକାରଙ୍କ ମନ୍ତ୍ରିମଣ୍ଡଳର ସହାୟତା ଓ ପରାମର୍ଶରେ କାମ କରନ୍ତି।

ସମ୍ବିଧାନର ଧାରା ୧୧୧ ଅନୁସାରେ, ଯେତେବେଳେ ସଂସଦର ସଦନ ଦ୍ୱାରା ଏକ ବିଲ୍ ବା ଚିଠା ଗୃହୀତ ହୁଏ, ସେତେବେଳେ ଏହାକୁ ରାଷ୍ଟ୍ରପତିଙ୍କ ନିକଟରେ ଉପସ୍ଥାପନ କରାଯାଏ ଏବଂ ରାଷ୍ଟ୍ରପତି ଘୋଷଣା କରିବେ ଯେ ବିଲ୍‌ ପ୍ରତି ସେ ସମ୍ମତି ପ୍ରଦାନ କରନ୍ତି, କିମ୍ବା କରନ୍ତି ନାହିଁ। ଉଲ୍ଲେଖଯୋଗ୍ୟ ଯେ ରାଷ୍ଟ୍ରପତି, ତାଙ୍କ ନିକଟରେ ଅନୁମୋଦନ ପାଇଁ ଏକ ବିଲ୍ ଉପସ୍ଥାପନ କରିବା ପରେ ଯଥା ଶୀଘ୍ର (ଯଦି ଏହା ଅର୍ଥ ବିଲ ନୁହେଁ) ତାକୁ ଏକ ବାର୍ତ୍ତା/ମନ୍ତବ୍ୟ ସହିତ ଗୃହକୁ ଫେରାଇ ପାରିବେ। ବିଲ୍ କିମ୍ବା ଏହାର କୌଣସି ନିର୍ଦିଷ୍ଟ ବ୍ୟବସ୍ଥା ଉପରେ ପୁନଃବିଚାର କରିବାକୁ କହିପାରିବେ ଏବଂ ବିଶେଷକରି, ତାଙ୍କ ବାର୍ତ୍ତାରେ ସୁପାରିସ କରିଥିବା ଯେ କୌଣସି ସଂଶୋଧନ ଆଗତ କରିବାର ଇଚ୍ଛାକୁ ଜଣାଇ ପାରିବେ, ଏବଂ ଯେତେବେଳେ ଏକ ବିଲ୍ ସେହିପରି ଫେରସ୍ତ କରାଯାଏ, ସେତେବେଳେ ଗୃହଗୁଡ଼ିକ ସେହି ଅନୁଯାୟୀ ବିଲ୍ ଉପରେ ପୁନର୍ବିଚାର କରିବେ। ଯଦି ବିଲ୍ ପୁନଃବିଚାର ସହିତ କିମ୍ବା ବିନା ସଂଶୋଧନରେ ଗୃହ ଦ୍ୱାରା ଆଉ ଥରେ ଗୃହୀତ ହୁଏ ଏବଂ ରାଷ୍ଟ୍ରପତିଙ୍କ ନିକଟରେ ସମ୍ମତି ପାଇଁ ପୁଣି ଉପସ୍ଥାପିତ ହୁଏ, ତେବେ ରାଷ୍ଟ୍ରପତି ସେଥିରେ ସମ୍ମତି ପ୍ରଦାନକୁ ସ୍ଥଗିତ ରଖିପାରିବେ ନାହିଁ। ଠିକ୍ ସେହିପରି ସାମ୍ବିଧାନିକ ଅଧିକାର ବଳରେ ରାଜ୍ୟପାଳ ମଧ୍ୟ କୌଣସି ବିଲ୍‌ ଉପରେ ନିଜର ମନ୍ତବ୍ୟ ଦେଇ ପୁନଃ ମନ୍ତ୍ରିମଣ୍ଡଳକୁ ପଠାନ୍ତି ଆଉ ଯଦି ମନ୍ତ୍ରିମଣ୍ଡଳ ସେହି  ବିଲ୍‌କୁ ଆଉ ଥରେ ରାଜ୍ୟପାଳଙ୍କ ନିକଟକୁ ପଠାନ୍ତି, ତା’ହେଲେ ରାଜ୍ୟପାଳ ସେହି ବିଧେୟକକୁ ଅନୁମୋଦନ କରିବା ପାଇଁ ବାଧ୍ୟ। ନହେଲେ ସେ ସେହି ବିଧେୟକକୁ ରାଷ୍ଟ୍ରପତିଙ୍କ ପାଖକୁ ପଠାଇ ପାରିବେ, କିନ୍ତୁ ରାଷ୍ଟ୍ରପତି ନିଜ ବ୍ୟକ୍ତିଗତ ସ୍ତରରେ କିଛି ଆମୂଳଚୂଳ ପରିବର୍ତ୍ତନ କରିବାର ଅଧିକାର ନାହିଁ। ସେ କେନ୍ଦ୍ର ସରକାରଙ୍କ ପରାମର୍ଶ କ୍ରମେ ତାହାର ନିଷ୍ପତ୍ତି ନିଅନ୍ତି। ଏହାର ତାତ୍ପର‌୍ୟ୍ୟ ଏହା ଯେ, ଯଦି ରାଷ୍ଟ୍ରପତି କିମ୍ୱା ରାଜ୍ୟପାଳ ଗୋଟିଏ ବିଲ୍‌ ବା ବିଧେୟକକୁ ଲମ୍ବା ସମୟ ଧରି ନିଜ ପାଖରେ ଅଟକାଇ ରଖନ୍ତି ତା’ହେଲେ ତାହା ଓଲଟା ଜନତା ଓ ବ୍ୟବସ୍ଥାପିକା ଉପରେ ଅଙ୍କୁଶ ଲଗେଇବା ସଦୃଶଟ୍ଟ ବରଂ ଏହାକୁ ସେ ତ୍ବରାନ୍ବିତ କଲେ ଏକ ଭାରସାମ୍ୟ ରକ୍ଷା ହେବ ଓ ସାମ୍ବିଧାନିକ ମଧ୍ୟ, ଯାହା ସର୍ବୋଚ୍ଚ ନ୍ୟାୟାଳୟଙ୍କ ଯୁକ୍ତି। ଏହି କ୍ଷମତାର ସମ୍ବନ୍ଧ ପାଇଁ ବେଳେବେଳେ ଉଭୟ ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କୁ ‘ରବର୍‌ ଷ୍ଟାମ୍ପ୍‌’ ବୋଲି ମଧ୍ୟ କୁହାଯାଏ।

ସେହିପରି ସର୍ବୋଚ୍ଚ ନ୍ୟାୟାଳୟକୁ ଯେ କୌଣସି କ୍ଷେତ୍ରରେ ନ୍ୟାୟ ପ୍ରଦାନ କରିବାର ଅଧିକାର ବିଷୟରେ ମତବ୍ୟକ୍ତ କରି ଧାରା ୧୪୨କୁ ଏକ ‘ଆଣବିକ କ୍ଷେପଣାସ୍ତ୍ର’ ପରି ବ୍ୟବହାର କରୁଛି କହିବା ଏକ ସାମ୍ବିଧାନିକ ପଦାସୀନ ବ୍ୟକ୍ତି ବିଶେଷ ପାଇଁ ଅଶୋଭନୀୟ ପ୍ରତୀୟମାନ ହେଉଛିଟ୍ଟ କାରଣ ସର୍ବୋଚ୍ଚ ନ୍ୟାୟାଳୟକୁ ଧାରା ୧୪୨ ସମ୍ବିଧାନ ଦ୍ବାରା ପ୍ରାପ୍ତ। ସୁତରାଂ ପରୋକ୍ଷରେ ଏଭଳି ମନ୍ତବ୍ୟ ସମ୍ବିଧାନକୁ ହିଁ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଆମେ ଯଦି ଦେଖିବା ବିଗତ ଦିନରେ ଏହି ସାମ୍ବିଧାନିକ ଅଧିକାର ଧାରା ୧୪୨ ବଳରେ ସର୍ବୋଚ୍ଚ ନ୍ୟାୟାଳୟ ଅନେକ ଅଭିନବ ତଥା ନ୍ୟାୟିକ ସକ୍ରିୟତା ଦ୍ବାରା ଅଭାବୀ ଲୋକଙ୍କୁ ନ୍ୟାୟପ୍ରଦାନ କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଛି। ସେ ଉଲ୍ଲେଖନୀୟ ଆଦେଶ ମଧ୍ୟରେ ଭୋପାଳ ଗ୍ୟାସ୍ ଦୁର୍ଘଟଣାରେ ପୀଡ଼ିତଙ୍କ ପାଇଁ କ୍ଷତିପୂରଣ (୧୯୮୯), କାର‌୍ୟ୍ୟସ୍ଥଳରେ ଯୌନ ନିର‌୍ୟାତନା ବିରୁଦ୍ଧରେ ନିର୍ଦେଶାବଳୀ (୧୯୯୭), ସଶସ୍ତ୍ର ବାହିନୀର ମହିଳା ଅଧିକାରୀଙ୍କ ସ୍ଥାୟୀ କମିସନ(୨୦୨୪), ଭଙ୍ଗୀକରଣ ସମ୍ପର୍କରେ ସରକାରୀ ଅଧିକାରୀମାନଙ୍କୁ ନିର୍ଦେଶାବଳୀ (୨୦୨୪) ଅନ୍ତର୍ଭୁକ୍ତ। ଅବଶ୍ୟ, ଗତ ସାତ ଦଶନ୍ଧିରେ ନ୍ୟାୟାଧୀଶଙ୍କ ସଂଖ୍ୟାବୃଦ୍ଧି ଓ ସର୍ବୋଚ୍ଚ ନ୍ୟାୟାଳୟରେ ବକେୟା ଥିବା ମାମଲା ସତ୍ତ୍ବେ ମଧ୍ୟ ଗୋଟିଏ ସାମ୍ବିଧାନିକ ପୀଠ ପାଇଁ ପାଞ୍ଚଜଣ ବିଚାରପତିଙ୍କ ଆବଶ୍ୟକତାକୁ ବୃଦ୍ଧି କରିବା ଏକ ସର୍ବୋତ୍ତମ ଚିନ୍ତାଧାରା ପ୍ରତୀତ ହେଉଛି।

ଶେଷରେ, ନ୍ୟାୟପାଳିକାର ସ୍ବାଧୀନତାର ପ୍ରସଙ୍ଗ। ନ୍ୟାୟପାଳିକାର ସ୍ୱାଧୀନତା ନିତାନ୍ତ ଆବଶ୍ୟକତା ରହିଛି। ଯେହେତୁ ଭାରତୀୟ ସଂସଦୀୟ ଗଣତାନ୍ତ୍ରିକ ବ୍ୟବସ୍ଥା ଉଭୟ ବ୍ରିଟେନ ଓ ଯୁକ୍ତରାଷ୍ଟ୍ର ଆମେରିକାର ପ୍ରତିଫଳନ ଆମ ସଂସଦୀୟ ଗଣତନ୍ତ୍ର ଏହି ନୀତି ଉପରେ କାର‌୍ୟ୍ୟକରେ ଯେ କାର‌୍ୟ୍ୟପାଳିକା ବ୍ୟବସ୍ଥାପିକା ପ୍ରତି ଉତ୍ତରଦାୟୀ, ଯାହା ପ୍ରତ୍ୟେକ ନିର୍ବାଚନରେ ଲୋକଙ୍କ ନିକଟରେ ଉତ୍ତରଦାୟୀ। ତଦ୍‌ସହିତ, ନ୍ୟାୟପାଳିକାକୁ ଗୋଟେ ସ୍ୱାଧୀନ ସଂସ୍ଥା ଭାବରେ ଅଭିହିତ କରାଯାଇଛି, ଯାହା ଶାସନରେ ସମ୍ବିଧାନ ଏବଂ ଏହାର ନୀତିଗୁଡ଼ିକୁ ବଜାୟ ରଖେ।

ଆମ ସଂସଦୀୟ ସାର୍ବଭୌମତ୍ୱର ସିଦ୍ଧାନ୍ତ ବ୍ରିଟିଶ ସଂସଦ ସହିତ ଜଡ଼ିତ। କାରଣ ବ୍ରିଟେନ୍‌ରେ କୌଣସି ଲିଖିତ ସମ୍ବିଧାନ ନାହିଁ ଏବଂ ଦେଶର ଶାସନ ପାଇଁ ସଂସଦୀୟ ଆଇନ ସର୍ବୋଚ୍ଚ। ଅନ୍ୟ ପକ୍ଷରେ, ନ୍ୟାୟପାଳିକା ସର୍ବୋଚ୍ଚ ଧାରଣା ଆମେରିକା ସହିତ ଜଡିତ। କାରଣ ‘ଆଇନର ଯଥାର୍ଥ ପ୍ରକ୍ରିୟା ଅନୁଯାୟୀ’ ଆମେରିକୀୟ ସୁପ୍ରିମକୋର୍ଟଙ୍କ ସମ୍ବିଧାନର ବ୍ୟାଖ୍ୟା କରିବାରେ ବ୍ୟାପକ କ୍ଷମତା ଅଛି।’ ଭାରତୀୟ ସାମ୍ବିଧାନିକ ଯୋଜନା ହେଉଛି ସଂସଦୀୟ ସାର୍ବଭୌମତ୍ୱ ଏବଂ ନ୍ୟାୟପାଳିକା ସର୍ବୋଚ୍ଚତାର ଏକ ସଂଶ୍ଳେଷଣ। ‘ନ୍ୟାୟପାଳିକା ସମୀକ୍ଷା’କୁ ସର୍ବୋଚ୍ଚ ନ୍ୟାୟାଳୟର ବିଭିନ୍ନ ରାୟରେ ସମ୍ବିଧାନର ‘ମୌଳିକ ଗଠନ’ ଭାବରେ ଘୋଷଣା କରାଯାଇଛି ଯାହା ‘ସାମ୍ବିଧାନିକ ସାର୍ବଭୌମତ୍ୱ’କୁ ସୁଦୃଢ଼ କରିଛି। ଅତଏବ, ଆମେ ଗୋଟିଏ ଆଦର୍ଶ ଗଣତାନ୍ତ୍ରିକ ରାଷ୍ଟ୍ର ପାଇଁ ଶାସନ ବ୍ୟବସ୍ଥାର ସଂସ୍ଥାଗୁଡ଼ିକ ମଧ୍ୟରେ ମୁକାବିଲା ବଦଳରେ ସୁସ୍ଥ କ୍ଷମତା ପୃଥକୀକରଣ ମାଧ୍ୟମରେ ସାମ୍ବିଧାନିକ ମୂଲ୍ୟବୋଧକୁ ବଜାୟ ରଖିବା ଉଚିତ।

ଗଣେଷ ଗାଇଗୌରିଆ

ଲେଖକ ବେଙ୍ଗାଲୁରୁ ଜାତୀୟ ଆଇନ

ବିଶ୍ବବିଦ୍ୟାଳୟର ଜଣେ ଭିଜିଟିଂ ପ୍ରଫେସର

Hot this week

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ଏମଭି-୨୬ ଗାଁରେ ପୁଲିସ ଛାଉଣୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

Related Articles

Popular Categories