ରାଷ୍ଟ୍ରର ବିକାଶଯାତ୍ରାକୁ ପ୍ରତିଫଳିତ କରୁଛି ‘ମନ୍ କି ବାତ୍’
ପୀୟୂଷ ଗୋୟଲ, ବାଣିଜ୍ୟ ଓ ଶିଳ୍ପ, ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ଓ ବୟନଶିଳ୍ପ ମନ୍ତ୍ରୀ, ଭାରତ ସରକାର
୧୦୦ତମ ଅଧ୍ୟାୟ ପ୍ରସାରଣ ଅବସରରେ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଆମ ଦେଶବାସୀଙ୍କ ପାଇଁ ଅନନ୍ୟ ଏବଂ ସୃଜନଶୀଳ ମାସିକ ବେତାର ପହଞ୍ଚ କାର୍ଯ୍ୟକ୍ରମ ‘ମନ୍ କି ବାତ୍’ର ୧୦୦ତମ ଅଧ୍ୟାୟ ବାସ୍ତବ ଦୃଷ୍ଟିକୋଣରୁ ଏକ ମାଇଲଖୁଣ୍ଟ। ରାଷ୍ଟ୍ର ସହିତ ଭାବ ବିନିମୟ କରିବା ନିମନ୍ତେ ଶ୍ରୀ ମୋଦୀଙ୍କର ଏହି ବୈପ୍ଳବିକ କୌଶଳ ୨୦୧୪ ଅକ୍ଟୋବର ୩ ତାରିଖରେ ଏହାର ଆରମ୍ଭ ସମୟରୁ ଦେଶବାସୀଙ୍କ ସହିତ ଏକ ବିରଳ ସମ୍ପର୍କ ଯୋଡିଛି । ଏହାର ପ୍ରତିବଦଳରେ ପ୍ରିୟ ଦେଶବାସୀ ଅକୁଣ୍ଠ ଆଗ୍ରହର ସହିତ ମାସ ପରେ ମାସ ପ୍ରଧାନମନ୍ତ୍ରୀଙ୍କ ସହିତ ଏହି କାର୍ଯ୍ୟକ୍ରମ ଜରିଆରେ ଯୋଡି ହେଉଛନ୍ତି । ଏଥିସହିତ ସେମାନେ ଏକ ନୂଆ ଭାରତ ଗଠନ ନିମନ୍ତେ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରୁଛନ୍ତି । ଦେଶବାସୀ ସେମାନଙ୍କର ସଫଳତା, ଆନନ୍ଦ, ଚିନ୍ତା ଏବଂ ଗୌରବର ମୁହୂର୍ତ୍ତଗୁଡିକୁ ପ୍ରଧାନମନ୍ତ୍ରୀଙ୍କ ସହିତ ବାଣ୍ଟି ଆସୁଛନ୍ତି। ପ୍ରଧାନମନ୍ତ୍ରୀ ଏବଂ ତାଙ୍କର ପ୍ରିୟ ଦେଶବାସୀଙ୍କ ମଧ୍ୟରେ ‘ମନ୍ କି ବାତ୍’ ଏପରି ଏକ ଭାବ ବିନିମୟ କାର୍ଯ୍ୟକ୍ରମ ହୋଇଛି ଯାହାର ପହଞ୍ଚ ଏବଂ ଲୋକପ୍ରିୟତା ଦୃଷ୍ଟିରୁ କୌଣସି ତୁଳନା ନାହିଁ।
‘ମନ୍ କି ବାତ୍’ ଏକ ଆଦର୍ଶ, ସମ୍ପୂର୍ଣ୍ଣ ଭିନ୍ନ ଶୈଳୀର ଏକ କାର୍ଯ୍ୟକ୍ରମ ଯାହା ମାସ ପରେ ମାସ ଆଗକୁ ବଢ଼ିବା ସହିତ ରାଷ୍ଟ୍ରପ୍ରାଣକୁ ଧରି ରଖିପାରିଛି। ଏହା ଅମୃତ କାଳରେ ଏକ ନୂତନ ଭାରତ ଗଠନ ନିମନ୍ତେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିକୁ ଉପସ୍ଥାପନ କରୁଛି। ‘ମନ୍ କି ବାତ୍’ର ଅନ୍ୟତମ ମୁଖ୍ୟ ସଫଳତା ହେଉଛି ଏହା ଦେଶର ଯୁବପିଢିଙ୍କ ପାଇଁ ଏକ ସମ୍ପର୍କ ସ୍ଥାପନ କାର୍ଯ୍ୟକ୍ରମରେ ପରିଣତ ହୋଇଛି ଯାହା ନିରନ୍ତର ଭାବରେ ମନୋରଞ୍ଜନ ଓ ଅଭିବ୍ୟକ୍ତିର ନୂଆ ନୂଆ ରୂପରେ ଆସୁଛି। ୨୦୧୪ ଅକ୍ଟୋବର ଠାରୁ ‘ମନ୍ କି ବାତ୍’ ଦେଶର ବିକାଶ ଯାତ୍ରାରେ ଅଂଶୀଦାର ହେବା ସକାଶେ ସମଗ୍ର ଭାରତର କୋଟି କୋଟି ଲୋକଙ୍କୁ ଆକର୍ଷିତ ଏବଂ ଅନୁପ୍ରାଣିତ କରୁଛି । ପ୍ରତିଟି ଅଧ୍ୟାୟ ଶେଷ ହେବା ପରେ ଶ୍ରୋତାଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ଯାହାକି ଏହି କାର୍ଯ୍ୟକ୍ରମର ଉଲ୍ଲେଖନୀୟ ସଫଳତାର ଏକ ଜ୍ୱଳନ୍ତ ଉଦାହରଣ ପାଲଟିଛି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ନିଜର ପ୍ରିୟ ଦେଶବାସୀଙ୍କୁ ‘ମନ କି ବାତ୍’ ଜରିଆରେ ସାମାଜିକ ପରିବର୍ତ୍ତନ ଓ ଦେଶର ବିକାଶ ନିମନ୍ତେ ଶିକ୍ଷିତ କରିବା, ମାର୍ଗଦର୍ଶନ, ପ୍ରୋତ୍ସାହନ ଏବଂ ପ୍ରବର୍ତ୍ତାଇବାକୁ ଚାହିଁଛନ୍ତି; ଯାହାଫଳରେ ଜନସାଧାରଣ ସେମାନଙ୍କ ଅଞ୍ଚଳରୁ ପରିବର୍ତ୍ତନ ଆରମ୍ଭ କରିପାରିବେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଅମିତ ଶାହ ଏହି ପ୍ରସଙ୍ଗରେ ଉଲ୍ଲେଖ କରି କହିଛନ୍ତି ଯେ, ‘ମନ୍ କି ବାତ୍’ ସ୍ୱଭାବତଃ ସମ୍ପୂର୍ଣ୍ଣ ଭାବରେ ଅଣରାଜନୈତିକ କାର୍ଯ୍ୟକ୍ରମ।
ପ୍ରଧାନମନ୍ତ୍ରୀ ନିଜର ପ୍ରିୟ ଦେଶବାସୀଙ୍କ ସହିତ ଯେଭଳି ଭାବେ ବ୍ୟକ୍ତିଗତ ସ୍ତରରେ ଯୋଡି ହେଉଛନ୍ତି, ତାହା ମାତୃଭୂମି ପ୍ରତି ଆମ ସମସ୍ତଙ୍କ ମଧ୍ୟରେ ଗୌରବର ଏକ ଶକ୍ତିଶାଳୀ ଭାବନା ଉଦ୍ରେକ କରୁଛି। ‘ମନ୍ କି ବାତ୍’ ପ୍ରଥମ ଥର ପାଇଁ ସ୍ଥାନୀୟ କଳା ଓ କଳାକାରମାନଙ୍କୁ ସର୍ବସମ୍ମୁଖରେ ଉପସ୍ଥାପିତ କରିଛି, ଯାହା ସେମାନଙ୍କୁ ବହୁ ଆକାଂକ୍ଷିତ ସ୍ୱୀକୃତି ଏବଂ ସ୍ୱତନ୍ତ୍ର ପରିଚୟ ମଧ୍ୟ ପ୍ରଦାନ କରୁଛି। ସବୁଠାରୁ ଉଲ୍ଲେଖଯୋଗ୍ୟ ଯେ ଏହା ସେମାନଙ୍କ ପାଇଁ ଏକ ବଜାର ସୃଷ୍ଟି କରିବାର ଅନନ୍ୟ ସୁଯୋଗ ଉନ୍ମୁକ୍ତ କରିଛି। ‘ମନ୍ କି ବାତ୍’ର ଅନ୍ୟ ଏକ ଉଲ୍ଲେଖନୀୟ ଦିଗ ହେଉଛି, ଏହା ଖଦୀକୁ ଲୋକପ୍ରିୟ କରାଇବାରେ ଏକ ମୁଖ୍ୟ ଭୂମିକା ଗ୍ରହଣ କରିଛି ଏବଂ ଏହାର ପରିଣାମ ସ୍ୱରୂପ ଗ୍ରାମ୍ୟ ଅର୍ଥବ୍ୟବସ୍ଥାର ପୁନରୁଦ୍ଧାର ଦିଗରେ ଯୋଗଦାନ ଦେଉଛି। ଏହି କାର୍ଯ୍ୟକ୍ରମର ପ୍ରଭାବ ଗୋଟିଏ ତଥ୍ୟରୁ ଅନୁମାନ କରାଯାଇପାରେ ଏବଂ ତାହା ହେଉଛି ପ୍ରଧାନମନ୍ତ୍ରୀ ମୋଦୀ ଘରୋଇ ସ୍ତରରେ ଖେଳନା ତିଆରି କରିବା ଏବଂ ସ୍ଥାନୀୟ ଖେଳନା ଶିଳ୍ପକୁ ସମର୍ଥନ ଦେବାକୁ ‘ମନ୍ କି ବାତ୍’ରେ ଉଲ୍ଲେଖ କରିଥିଲେ। ସେବେଠାରୁ ଖେଳନା ଆମଦାନୀ ୭୦ପ୍ରତିଶତ ହ୍ରାସ ପାଇଛି। ୨୦୧୮-୧୯ ବର୍ଷରେ ବିଦେଶରୁ ୩୭୧ ନିୟୁତ ଡଲାର ମୂଲ୍ୟର ଖେଳନା ଆମଦାନୀ କରାଯାଇଥିବାବେଳେ ୨୦୨୧-୨୨ରେ ଏହା ୧୧୦ ନିୟୁତ ଡଲାରକୁ ହ୍ରାସ ପାଇଛି। ଅନ୍ୟପକ୍ଷରେ ଖେଳନା ରପ୍ତାନି ଏହି ସମୟ ମଧ୍ୟରେ ୨୦୨ ନିୟୁତ ଡଲାରରୁ ୩୨୬ ନିୟୁତ ଡଲାରକୁ ବୃଦ୍ଧି ପାଇଛି । ଏଥିରୁ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାର ପ୍ରଭାବ ବାସ୍ତବ କ୍ଷେତ୍ରରେ କିଭଳି ପଡୁଛି, ତାହାର ଏକ ଧାରଣା ଆମକୁ ମିଳୁଛି।
ସମଗ୍ର ବିଶ୍ୱରେ ଜୀବନ ଓ ଅର୍ଥବ୍ୟବସ୍ଥାକୁ କ୍ଷତିଗ୍ରସ୍ତ କରିଥିବା କୋଭିଡ-୧୯ ମହାମାରୀ ସମୟରେ ପ୍ରଧାନମନ୍ତ୍ରୀଙ୍କ ମାସିକ ଉଦ୍ବୋଧନ ରାଷ୍ଟ୍ରର ମନୋବଳକୁ ମଜଭୁତ କରିଥିଲା । ଏହା ଦେଶବାସୀଙ୍କ ମନରେ ସକାରାତ୍ମକ ଭାବନା ଏବଂ ଆନନ୍ଦ ଭରିଦେଇଥିଲା। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏହି କାର୍ଯ୍ୟକ୍ରମ ଜରିଆରେ ଟ୍ରକ ଚାଳକ ଏବଂ ପାଇଲଟମାନଙ୍କ ନିକଟରେ ପହଞ୍ଚିଥିଲେ ଏବଂ ସେମାନଙ୍କ ନୈତିକ ମନୋବଳକୁ ମଜଭୁତ କରିବା ସହିତ ଘାତକ ମହାମାରୀ ବିରୁଦ୍ଧରେ ଲଢେଇ କରୁଥିବା ସମସ୍ତ କୋଭିଡ ଯୋଦ୍ଧାଙ୍କୁ ପ୍ରଶଂସା କରିଥିଲେ।
‘ମନ୍ କି ବାତ୍’ର ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ଯେ, ଏହା ସରକାରଙ୍କର ଏକାଧିକ ଛାମୁଆଁ କାର୍ଯ୍ୟକ୍ରମକୁ ଗତିଶୀଳ କରାଇବା ସହିତ ସେଗୁଡିକୁ ରାଷ୍ଟ୍ରବ୍ୟାପୀ ଜନ ଆନ୍ଦୋଳନ ଏବଂ ସାମାଜିକ ଅଭିଯାନରେ ରୂପାନ୍ତରିତ କରିଛି। ଏଗୁଡିକ ମଧ୍ୟରେ ସ୍ୱଚ୍ଛ ଭାରତ, ବେଟୀ ବଚାଓ ବେଟୀ ପଢ଼଼ାଓ ଆଦି ଅନେକ କାର୍ଯ୍ୟକ୍ରମ ରହିଛି। ‘ମନ୍ କି ବାତ୍’ର ବାର୍ତ୍ତାଗୁଡିକ ଘରେ ଘରେ ପହଞ୍ଚି ଯେଉଁଭଳି ଭାବରେ ଅଧିକ ପ୍ରଭାବୀ ହେବାରେ ଲାଗିଛି ତାହାର ଅନ୍ୟ ଏକ ଜ୍ୱଳନ୍ତ ଉଦାହରଣ ହେଉଛି ‘ସେଲ୍ଫି ୱିଥ୍ ଡଟର୍’ (ଝିଅ ସହିତ ସେଲଫି ଉଠାଇବା) ଅଭିଯାନର ଅଭୂତପୂର୍ବ ସଫଳତା। ଏହାଦ୍ୱାରା ଘରୋଇ ପର୍ଯ୍ୟଟନକୁ ବିପୁଳ ପ୍ରୋତ୍ସାହନ ମିଳିଛି। ସ୍ୱଚ୍ଛତା ଅଭିଯାନ ଅଧୀନରେ ସଫେଇ ଉପରେ ବ୍ୟାପକ ସାମାଜିକ ସଚେତନତା ସୃଷ୍ଟି ବ୍ୟତୀତ ଜଳ ସଂରକ୍ଷଣର ବାର୍ତ୍ତା ଜରୁରୀକାଳୀନ ବିଚାରବୋଧକୁ ନେଇ ରାଷ୍ଟ୍ର ସବୁ ସ୍ତରରେ ପହଞ୍ଚିପାରିଛି। ଅନୁରୂପ ଭାବରେ ପରିବେଶ ସୁରକ୍ଷା ମଧ୍ୟ ସମ୍ପ୍ରତି ଏକ ଆନ୍ଦୋଳନର ରୂପ ନେଇଛି।
‘ମନ୍ କି ବାତ୍’ର ସ୍ୱାତନ୍ତ୍ର୍ୟ ହେଉଛି, ଏହା ଜନସାଧାରଣଙ୍କ ପାଇଁ ଜ୍ଞାନର ଏକ ମାଧ୍ୟମ ହୋଇଛି । ଏହା ସେମାନଙ୍କୁ ରାଷ୍ଟ୍ରର ସାମଗ୍ରିକ ପ୍ରଗତି ଦିଗରେ କାର୍ଯ୍ୟକରିବା ନିମନ୍ତେ ପ୍ରବର୍ତ୍ତାଉଛି। ଏହି କାର୍ଯ୍ୟକ୍ରମ ସମ୍ପ୍ରତି ୨୩ଟି ଭାରତୀୟ ଏବଂ ୧୧ଟି ବିଦେଶୀ ଭାଷାରେ ପ୍ରସାରିତ ହେଉଛି ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରଳ ନେତୃତ୍ୱ ଅଧୀନରେ ରାଷ୍ଟ୍ରର ବିକାଶ ଯାତ୍ରା ଏଥିରେ ସ୍ଥାନ ପାଉଛି। ୧୦୦ତମ ଅଧ୍ୟାୟରେ ପହଞ୍ଚିବାକୁ ଯାଉଥିବା ଏହି କାର୍ଯ୍ୟକ୍ରମରେ ବର୍ତ୍ତମାନ ସୁଦ୍ଧା ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପାଣିପାଗ, ପରିବେଶ, ସ୍ୱଚ୍ଛତା, ଅଗଣିତ ସାମାଜିକ ପ୍ରସଙ୍ଗ, ସ୍ୱଦେଶୀ ହସ୍ତଶିଳ୍ପ, ପରୀକ୍ଷା, ସ୍ୱଚ୍ଛ ଭାରତ, ସୁସ୍ଥ ଭାରତ, ବେଟୀ ବଚାଓ, ବେଟୀ ପଢ଼଼ାଓ, ଜଳ ସଂରକ୍ଷଣ, ଭୋକାଲ୍ ଫର ଲୋକାଲ୍, ଆତ୍ମନିର୍ଭର ଭାରତ, ଏକ ଭାରତ ଶ୍ରେଷ୍ଠ ଭାରତ (ସାଂସ୍କୃତିକ ବିବିଧତାର ପାଳନ) ଏବଂ ସୁଗମ୍ୟ ଭାରତ ଆଦି ବିବିଧ ପ୍ରସଙ୍ଗକୁ ସ୍ଥାନ ଦେଇଛନ୍ତି ଏବଂ ସେ ସମ୍ପର୍କରେ ଆଲୋକପାତ କରିଛନ୍ତି।
ସବୁଠାରୁ ଆନନ୍ଦର ବିଷୟ ହେଉଛି ‘ମନ୍ କି ବାତ୍’ର ବିଗତ ଅଧ୍ୟାୟଗୁଡିକରେ ସମଗ୍ର ଭାରତର ଅନାଲୋଚିତ ନାୟକ, ତୃଣମୂଳସ୍ତରର ଚାମ୍ପିଅନ ଏବଂ ପରିବର୍ତ୍ତନ ବାହକମାନଙ୍କ ପ୍ରେରଣାଦାୟୀ କଥାଗୁଡିକ ସ୍ଥାନ ପାଇଛି, ଯେଉଁମାନେ ରାଷ୍ଟ୍ରରେ ପରିବର୍ତ୍ତନ ଆଣୁଛନ୍ତି ଏବଂ ସେମାନଙ୍କର ନୀରବ, ପ୍ରେରଣାଦାୟୀ କାର୍ଯ୍ୟ ଜରିଆରେ ସାମାଜିକ ପରିବର୍ତ୍ତନ ଆଣୁଛନ୍ତି।
‘ମନ୍ କି ବାତ୍’ ବହୁଧା ସାମାଜିକ ଓ ସାଂସ୍କୃତିକ ସୂତ୍ରକୁ ଗୁନ୍ଥୁଛି ଯାହା ଆମର ମହାନ ରାଷ୍ଟ୍ରକୁ ଏକତା ସୂତ୍ରରେ ବାନ୍ଧି ରଖୁଛି ଏବଂ ଅମୃତ କାଳରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ କଳ୍ପିତ ଏକ ନୂଆ ଭାରତର ଛବି ଆଙ୍କୁଛି। ଏକାଧିକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ, ପରିବର୍ତ୍ତନର ବାହକ ଏବଂ ତୃଣମୂଳ ସ୍ତରର ନାୟକମାନଙ୍କ ପ୍ରତି ଆମ ଦୃଷ୍ଟି ଆକର୍ଷଣ କରିବା ସମୟରେ ପ୍ରଧାନମନ୍ତ୍ରୀଙ୍କ ମାସିକ ଆଲୋଚନା ମଧ୍ୟ ଭବିଷ୍ୟତର ମାର୍ଗ ପ୍ରଦର୍ଶିତ କରୁଛି। ଜନ ଭାଗିଦାରୀର ଉତ୍ସାହକୁ ନେଇ ବିକାଶର ଏହି ଯାତ୍ରା ସଫଳ ହୋଇଛି ଏବଂ ତାହା ଜନସମୁଦାୟ, ରାଷ୍ଟ୍ର, ବିଶେଷକରି ଯୁବବର୍ଗଙ୍କ ସୃଜନଶୀଳ ଶକ୍ତିକୁ ଉପଯୋଗ କରୁଛି।
ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଲ କିଲ୍ଲା ଉପରେ ନବମ ଥର ଜାତୀୟ ପତାକା ଉତ୍ତୋଳନ କରି ‘ପଞ୍ଚ ପ୍ରଣ’ ଉପରେ ଆଧାରିତ ଭବିଷ୍ୟତ ସମ୍ପର୍କରେ ନିଜର ସଂକଳ୍ପକୁ ବ୍ୟକ୍ତ କରିଥିଲେ। ଏହି ଭବିଷ୍ୟବାଦୀ ସଂକଳ୍ପ ମୁତାବକ ସେ ଅମୃତକାଳରେ ଦାସତ୍ୱ ମାନସିକତାରୁ ରାଷ୍ଟ୍ରକୁ ମୁକ୍ତ କରିବାକୁ ୧୪୦ କୋଟି ପ୍ରିୟ ଦେଶବାସୀଙ୍କ ସହିତ ଶପଥ ନେଇଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ସୁସ୍ପଷ୍ଟ ଭାବରେ ଉଦ୍ଘୋଷଣା କରି କହିଥିଲେ, “ଆଜି, ଆମର ପଥ, ଆମ ପ୍ରତୀକଗୁଡିକ ଆମ ନିଜର।”
ପୂର୍ବରୁ ପ୍ରସାରିତ ସବୁ ଅଧ୍ୟାୟରେ ମୋଦୀଜୀ ବିଭିନ୍ନ ରାଷ୍ଟ୍ରହିତ, ସାମାଜିକ ଏବଂ ସାଂସ୍କୃତିକ କଲ୍ୟାଣ ସହ ଜଡ଼ିତ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ଯାହାକୁ ଜନସାଧାରଣ ଅତ୍ୟନ୍ତ ଆଗ୍ରହର ସହିତ ଗ୍ରହଣ କରିଛନ୍ତି ଏବଂ ତାହାକୁ କାର୍ଯ୍ୟରେ ଲଗାଇଛନ୍ତି। ଏଗୁଡିକର ସଂଖ୍ୟା ବହୁ ଅଧିକ ଯାହା ଏଠାରେ ଉଲ୍ଲେଖ କରିବା ସମ୍ଭବ ନୁହେଁ । ତେବେ ଆଜାଦୀ କା ଅମୃତ ମହୋତ୍ସବ ପାଳନ, ସ୍ୱାଧୀନତାର ୭୫ ବର୍ଷ ପାଳନ ନିମନ୍ତେ ଆହ୍ୱାନ ଏବଂ ପ୍ରତ୍ୟେକ ଘରେ ଜାତୀୟ ପତାକା ଉତ୍ତୋଳନ – ହର୍ ଘର୍ ତିରଙ୍ଗା ନିମନ୍ତେ ତାଙ୍କର ଆହ୍ୱାନ ଭଳି ଅଭିଯାନକୁ ବିପୁଳ ସଫଳତା ମିଳିଛି ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବିଗତ ନଅ ବର୍ଷରେ ଭାରତର ଅନନ୍ୟ ବିକାଶମୂଳକ ଯାତ୍ରା ସମ୍ପର୍କରେ ‘ମନ୍ କି ବାତ୍’ ଏକ ପ୍ରାମାଣିକ ଦସ୍ତାବିଜ୍ ହୋଇଛି। ଦେଶବାସୀ ସହିତ ତାଙ୍କର ମାସିକ ପ୍ରତ୍ୟକ୍ଷ ଭାବ ବିନିମୟ, ତୃଣମୂଳ ସ୍ତରକୁ ପହଞ୍ଚୁଥିବା, ସମ୍ବେଦନଶୀଳ, ଦୂରଦୃଷ୍ଟିସମ୍ପନ୍ନ ଏବଂ ଶକ୍ତିଶାଳୀ ଗଣନେତା ଭାବରେ ତାଙ୍କର ଭାବମୂର୍ତ୍ତିକୁ ଅଧିକ ମଜଭୁତ କରିଛି।
Comments are closed.