ମୋଦିଙ୍କ ’ମନ କୀ ବାତ’ରେ ପ୍ରକାଶ ରାଓଙ୍କ କଥା

0

ନୂଆଦିଲ୍ଲୀ :  ମାସିକ ରେଡିଓ କାର୍ଯ୍ୟକ୍ରମ ’ମନ କୀ ବାତ’ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କ ସହିତ ଭାବ ବିନିମୟ କରିଛନ୍ତି।  ପାରମ୍ପରିକ ଖେଳକୁଦ ଦ୍ୱାରା ଶାରୀରିକ ଦକ୍ଷତା ବୃଦ୍ଧି ପାଇବା ସହ ତାର୍କିକ ବିଚାର, ଏକାଗ୍ରତା, ତତ୍ପରତା ଓ ଶକ୍ତି ସ୍ତର ବୃଦ୍ଧି ପାଇଥାଏ ଏବଂ ବ୍ୟକ୍ତିତ୍ୱ ବିକାଶ ଏବଂ ଦକ୍ଷତା ବୃଦ୍ଧିରେ ଏହା ବିଶେଷ ସହାୟକ ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଆଇଏନଏସଭି ତାରିଣୀରେ ନୌବାହିନୀର ଛଅଜଣ ମହିଳା କମାଣ୍ଡରଙ୍କ ଦୁଃସାହସିକ ଯାତ୍ରା,ଫିଟ ଇଣ୍ଡିଆ ଏବଂ ଆସନ୍ତା ମାସରେ ପାଳନ କରାଯିବାକୁ ଥିବା ବିଶ୍ଵ ପରିବେଶ ଦିବସ ଓ ଯୋଗ ଦିବସ ବିଷୟରେ ଆଲୋକପାତ କରିଛନ୍ତି। ତେବେ ଏଥର ’ମନ କୀ ବାତ’ରେ ପ୍ରଧାନମନ୍ତ୍ରୀ କଟକ ବକ୍ସି ବଜାରର ଚା’ ଦୋକାନୀ ଡି. ପ୍ରକାଶ ରାଓଙ୍କ କଥା କହିଛନ୍ତି। ଚା’ ଦୋକାନ ମାଧ୍ୟମରେ ସମାଜସେବାକୁ ଜୀବନର ବ୍ରତ କରିଥିବା ପ୍ରକାଶ ରାଓଙ୍କୁ ସେ ଉଚ୍ଚ ପ୍ରଶଂସା କରିଛନ୍ତି।

ଗିଲିଦଣ୍ଡା, ଖୋଖୋ ଓ ପିଠୁ ଭଳି ପାରମ୍ପରିକ କ୍ରୀଡ଼ାର ପ୍ରସାର ପାଇଁ ଉଦ୍ୟମ କରିବାକୁ ସ୍କୁଲ୍‍ସମୂହ, ଯୁବସଙ୍ଗଠନ ଏବଂ ଜନସାଧାରଣଙ୍କୁ  ପ୍ରଧାନମନ୍ତ୍ରୀଆହ୍ୱାନ ଜଣାଇଛନ୍ତି ।  ଏହିସବୁ ପାରମ୍ପରିକ ଖେଳକୁଦ ଏପରି ପ୍ରସ୍ତୁତ ହୋଇଛି, ଯାହାଦ୍ୱାରା ଶାରୀରିକ ଦକ୍ଷତା ବୃଦ୍ଧି ପାଇବା ସହ ତାର୍କିକ ବିଚାର, ଏକାଗ୍ରତା,ତତ୍ପରତା ଓ ଶକ୍ତି ସ୍ତର ବୃଦ୍ଧି ପାଇଥାଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ବ୍ୟକ୍ତିତ୍ୱ ବିକାଶ ଏବଂ ଦକ୍ଷତା ବୃଦ୍ଧିରେ ଏହା ବିଶେଷ ସହାୟକ ହୋଇପାରିବ ବୋଲି ସେ ମତ ଦେଇଛନ୍ତି । ଏହିସବୁ ପାରମ୍ପରିକ ଖେଳ କ୍ରମଶଃ ଲୋପ ପାଇଯାଉଥିବାରୁ ପ୍ରଧାନମନ୍ତ୍ରୀ ଉଦ୍‍ବେଗ ପ୍ରକାଶ କରିଛନ୍ତି । ଏହାଫଳରେ ଏହି ଖେଳର ବିଲୋପ ଘଟୁନି, ପିଲାଦିନର ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟର ଅବସାନ ଘଟୁଛି ବୋଲି ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଆପଣମାନଙ୍କର ଭଲଭାବେ ମନେଥିବ ନୌବାହିନୀର ଛଅଜଣ ମହିଳା କମାଣ୍ଡରଙ୍କୁ ନେଇ ଗୋଟିଏ ଦଳ ବିଗତ ଅନେକ ମାସ ଧରି ସମୁଦ୍ର ଯାତ୍ରାରେ ଯାଇଥିଲେ । “ନାବିକ ସାଗର ପରିକ୍ରମା” – ମୁଁ ତାଙ୍କରି ବିଷୟରେ କିଛି କହିବାକୁ ଚାହୁଁଛି । ଭାରତର ଏହି ଛଅ ସୁପୁତ୍ରୀ – ତାଙ୍କର ସେହି ଦଳ ୨୫୪ ଦିନ – ୨୫୦ରୁ ବି ଅଧିକ ଦିନ ସମୁଦ୍ର ପଥରେ ଆଇଏନଏସଭି ତାରିଣୀରେ ସାରା ବିଶ୍ୱ ଭ୍ରମଣ କରି ମେ’ ମାସ ୨୧ ତାରିଖ ଦିନ ଭାରତକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ଏବଂ ସମଗ୍ର ଦେଶ ବହୁତ ଉତ୍ସାହର ସହିତ ସ୍ୱାଗତ କରିଛି । ବିଭିନ୍ନ ମହାସାଗର ଏବଂ ସାଗର ପଥରେ ଯାତ୍ରାକରି ସେମାନେ ପ୍ରାୟ ୨୨,୦୦୦ ନଟିକାଲ ମାଇଲ ଅତିକ୍ରମ କରିଛନ୍ତି । ଏହା ବିଶ୍ୱରେ ଏହି ଧରଣର ଏକ ସ୍ୱତନ୍ତ୍ର ଘଟଣା ଥିଲା ଗତ ବୁଧବାର ଦିନ ମୋତେ ଏହି ଝିଅମାନଙ୍କ ସହ ସାକ୍ଷାତ କରିବାର ସେମାନଙ୍କ ଅନୁଭୂତି ଶୁଣିବାର ସୁଯୋଗ ମିଳିଲା । ମୁଁ ପୁଣିଥରେ ଏହି ଝିଅମାନଙ୍କୁ ଏବଂ ସେମାନଙ୍କ ଦୁଃସାହାସକୁ – ଆମ ନୌବାହିନୀର ଗୌରବ ବୃଦ୍ଧି କରିଥିବା ହେତୁ, ଭାରତର ସମ୍ମାନ ବୃଦ୍ଧି କରିଥିବା ହେତୁ ଏବଂ ବିଶେଷକରି – ଭାରତର ଝିଅମାନେ କୌଣସି ଗୁଣରେ କମ୍ ନୁହଁନ୍ତି – ଏ ବାର୍ତ୍ତା ବିଶ୍ୱବାସୀଙ୍କୁ ଦେଇଥିବା ହେତୁ ଅନେକ ଅନେକ ଅଭିନନ୍ଦନ ଜଣାଉଛି ।

ସେହିପରି ଫିଟ୍ ଇଣ୍ଡିଆ କଥା କହିଲେ – ମୋ ମତରେ ଆମେ ଯେତେ ଅଧିକ ଖେଳିବା ଆମ ଦେଶ କ୍ରୀଡ଼ା କ୍ଷେତ୍ରରେ ସେତେ ଅଧିକ ଉନ୍ନତି କରିବ । ସାମାଜିକ ଗଣମାଧ୍ୟମରେ ଲୋକେ ଫିଟନେସ ଚାଲେଞ୍ଜର ଭିଡିଓଗୁଡ଼ିକୁ ବାଣ୍ଟୁଛନ୍ତି । ସେଥିରେ ପରସ୍ପରକୁ ଯୋଡି କରି ସେମାନଙ୍କୁ ଚଲେଞ୍ଜ କରୁଛନ୍ତି । ଫିଟ ଇଣ୍ଡିଆର ଏହି ଅଭିଯାନରେ ଆଜିକାଲି ସମସ୍ତେ ସାମିଲ ହେଉଛନ୍ତି । ଚଳଚ୍ଚିତ୍ର ଜଗତର ଲୋକେ ହୁଅନ୍ତୁ, କ୍ରୀଡ଼ାକ୍ଷେତ୍ରରୁ ହୁଅନ୍ତୁ, ଦେଶର ସାଧାରଣ ନାଗରିକ ହୁଅନ୍ତୁ, ସେନାବାହିନୀର ଯବାନ ହୁଅନ୍ତୁ, ସ୍କୁଲ ଶିକ୍ଷକ ହୁଅନ୍ତୁ, ଚତୁର୍ଦ୍ଦିଗରୁ କେବଳ ଗୋଟିଏ ସ୍ୱର ଶୁଭୁଛି – “ଆମେ ଫିଟ ତ ଇଣ୍ଡିଆ ଫିଟ” । ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ମୋତେ ଚାଲେଞ୍ଜ କରିବା, ମୋ ପାଇଁ ଆନନ୍ଦର କଥା ଏବଂ ମୁଁ ମଧ୍ୟ ତାଙ୍କ ଚାଲେଞ୍ଜକୁ ଗ୍ରହଣ କରିଛି ।

prayash

ସେହିପରି ପ୍ରଧାନମନ୍ତ୍ରୀ କହିଥିଲେ, ଗତକାଲି  ହିଁ  କଟକରେ ମୋତେ ଡି. ପ୍ରକାଶ ରାଓଙ୍କୁ ଭେଟିବାର ସୁଯୋଗ ମିଳିଥିଲା । ଶ୍ରୀମାନ୍ ଡି. ପ୍ରକାଶ ରାଓ ପାଞ୍ଚ ଦଶନ୍ଧି ଧରି ସହରରେ ଚା’ ଦୋକାନଟିଏ କରି ଚା’ ବିକୁଛନ୍ତି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଜଣେ ମାମୁଲି ଚା’ବାଲା ସତୁରୀରୁ ଅଧିକ ପିଲାଙ୍କ ଜୀବନକୁ ଶିକ୍ଷାର ଆଲୋକରେ ଆଲୋକିତ କରିବାର ପ୍ରୟାସ କରିଛନ୍ତି । ସେ ବସ୍ତିରେ ରହୁଥିବା ପିଲାମାନଙ୍କ ପାଇଁ ‘ଆଶା ଓ ଆଶ୍ୱାସନା’ ନାମକ ସ୍କୁଲଟିଏ ଖୋଲିଛନ୍ତି । ଏଇ ଗରିବ ଚା’ବାଲା ତାଙ୍କ ଆୟର ଶତକଡ଼ା ପଚାଶଭାଗ ସେଇ ସ୍କୁଲ ପାଇଁ ଖର୍ଚ୍ଚକରି ଦିଅନ୍ତି । ସେ ସ୍କୁଲକୁ ଆସୁଥିବା ସବୁ ପିଲାଙ୍କ ପାଇଁ ଶିକ୍ଷା ସ୍ୱାସ୍ଥ୍ୟ ଏବଂ ଭୋଜନର ବ୍ୟବସ୍ଥା ମଧ୍ୟ କରିଥାନ୍ତି । ନିଜର କଠିନ ପରିଶ୍ରମ, ନିଷ୍ଠା ଏବଂ ଗରିବ ପିଲାମାନଙ୍କ ଜୀବନକୁ ଏକ ନୂତନ ଦିଗଦର୍ଶନ ଦେଇଥିବାରୁ ମୁଁ ଶ୍ରୀ ଡି. ପ୍ରକାଶ ରାଓଙ୍କୁ ଅଭିନନ୍ଦନ ଜଣାଉଛି । ସେ ଏହି ପିଲାମାନଙ୍କର ଜୀବନରୁ ଅନ୍ଧକାରକୁ ଦୂର କରିଛନ୍ତି । ‘ତମସୋ ମା ଜ୍ୟୋତିର୍ଗମୟଃ’ ଏହି ବେଦ ବାକ୍ୟଟିକୁ କିଏ ନ ଜାଣେ । କିନ୍ତୁ ଏହି ବାକ୍ୟକୁ ନିଜ ଜୀବନରେ ପ୍ରୟୋଗ କରି ସାକାର କରିଛନ୍ତି ଶ୍ରୀ ଡି. ପ୍ରକାଶ ରାଓ । ତାଙ୍କ ଜୀବନ ଆମ ସମସ୍ତଙ୍କ ପାଇଁ, ସମାଜ ପାଇଁ ତଥା ସମଗ୍ର ଦେଶ ପାଇଁ ଏକ ପ୍ରେରଣା ସ୍ରୋତ ।

ଆପଣଙ୍କ ଆଖପାଖରେ ମଧ୍ୟ ଏଇଭଳି ଘଟଣାମାନ ଘଟୁଥିବ । ଅଗଣିତ ଘଟଣା ଏମିତି ଥିବ । ଆସନ୍ତୁ ଆମେ ସକାରାତ୍ମକ ଚିନ୍ତାଧାରାକୁ ଆଗେଇନେବା ପାଇଁ ଶ୍ରୀ ମୋଦି ଆହ୍ବାନ ଜଣାଇଛନ୍ତି।

ଆଗାମୀ ଜୁନ୍ ୫ ତାରିଖରେ ଆମେ  ବିଶ୍ୱ ପରିବେଶ ଦିବସ ପାଳନ କରିବାକୁ ଯାଉଛୁ। ଚଳିତ ବର୍ଷ ଆମ ଦେଶ ଭାରତକୁ ବିଶ୍ୱ ପରିବେଶ ଦିବସ ସମାରୋହ ଆୟୋଜିତ କରିବାର ଦାୟିତ୍ୱ ପ୍ରଦାନ କରାଯାଇଛି । ଏହା ଆମ ଦେଶ ପାଇଁ ଏକ ଗୌରବର ବିଷୟ ତଥା ସମଗ୍ର ପୃଥିବୀରେ ଜଳବାୟୁ ପରିବର୍ତ୍ତନକୁ କମାଇବା ଦିଗରେ ଭାରତର ନେତୃତ୍ୱକୁ ମିଳୁଥିବା ସ୍ୱୀକୃତିର ପରିଚାୟକ ମଧ୍ୟ । ଏ ବର୍ଷର ବିଶ୍ୱ ପରିବେଶ ଦିବସ ସମାରୋହର ପ୍ରସଙ୍ଗ ରଖାଯାଇଛି ’ପ୍ଲାଷ୍ଟିକ ପ୍ରଦୂଷଣକୁ ହରାଅ’ ।  ଏହି ପ୍ରସଙ୍ଗର ମୂଳ ଅର୍ଥକୁ ତଥା ଏହାର ମହତ୍ୱକୁ ହୃଦୟଙ୍ଗମ କରିବା ସହ ଆପଣମାନେ ପଲିଥିନ, ନିମ୍ନମାନର ପ୍ଲାଷ୍ଟିକ ବ୍ୟବହାର ନ କରିବା ଲାଗି ନିଷ୍ପତ୍ତି ନିଅନ୍ତୁ ତଥା ପ୍ଲାଷ୍ଟିକ ପ୍ରଦୂଷଣର ଯେଉଁ ଏକ ନକାରାତ୍ମକ ପ୍ରଭାବ ଆମ ପ୍ରକୃତି ଉପରେ, ବନ୍ୟଜୀବ ଉପରେ ତଥା ଆମ ସ୍ୱାସ୍ଥ୍ୟ ଉପରେ ପଡ଼ୁଛି, ତାକୁ କମ୍ କରିବାର ଚେଷ୍ଟା କରିବା ନିମନ୍ତେ ଶ୍ରୀ ମୋଦି  ସମସ୍ତଙ୍କୁ ନିବେଦନ କରିଛନ୍ତ। ସେହପରି ସମଗ୍ର ବିଶ୍ୱରେ ଜୁନ୍ ୨୧ ତାରିଖ ‘ଅନ୍ତଃରାଷ୍ଟ୍ରୀୟ ଯୋଗ ଦିବସ’ ପାଳନ କରାଯାଉଥିବା ବେଳେ ସକ୍ରିୟତାର ସହ ଅଂଶ ଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ବାନ ଜଣାଇଛନ୍ତି।

ଏହାଥିଲା ’ମନ କୀ ବାତ’ ର ୪୪ତମ ସଂସ୍କରଣ।

Leave A Reply