ଜୀ ନିଉଜ ସମ୍ପାଦକ ସୁଧୀର ଚୌଧୁରୀଙ୍କ ବିରୁଦ୍ଧରେ ମାନହାନି ମୋକଦ୍ଦମା ଦାୟର

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ରା ଜୀ ନିଉଜ ସମ୍ପାଦକ ସୁଧୀର ଚୌଧୁରୀଙ୍କ ବିରୁଦ୍ଧରେ ଅପରାଧିକ ମାନହାନି ମୋକଦ୍ଦମା ଦାୟର କରିଛନ୍ତି। ସୁଧୀର ଜୀ ନିଉଜର ଏକ କାର୍ଯ୍ୟକ୍ରମରେ କହିଥିଲେ ଯେ ମହୁଆ ଜୁନ ୨୫ରେ ସଂସଦରେ ଫାସିବାଦର ଲକ୍ଷଣ ଉପରେ ଦେଇଥିବା ବକ୍ତବ୍ୟ ତାଙ୍କ ନିଜର ନୁହେଁ, ଚୋରି କରାଯାଇଥିବା ବକ୍ତବ୍ୟ। ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ ପ୍ରୀତୀ ପରେବା ମାମଲାର ଶୁଣାଣି ପାଇଁ ଚଳିତ ମାସ ୨୦ ତାରିଖ ଧାର୍ଯ୍ୟ କରିଛନ୍ତି। ସେହିଦିନ ମହୁଆ ମୋଇତ୍ରାଙ୍କ ବକ୍ତବ୍ୟ ମଧ୍ୟ ରେକର୍ଡ କରାଯିବ।

୨୫ ଜୁନରେ ସଂସଦରେ ମହୁଆ ଫାସିବାଦ ଉପରେ ଭାଷଣ ଦେଇଥିଲେ ଓ ସେହି ଦିନ ଜୀ ନିଉଜର ପ୍ରାଇମ ଟାଇମରେ ଏକ କାର୍ଯ୍ୟକ୍ରମ ସଞ୍ଚାଳନ କରିବା ଅବସରରେ ଉପସ୍ଥାପକ ସୁଧୀର କହିଥିଲେ ଯେ ମୋଇତ୍ରାଙ୍କ ଭାଷଣ ଆମେରିକା ରାଷ୍ଟ୍ରପତି ଡୋନାର୍ଲଡ ଟ୍ରମ୍ପଙ୍କ ଉପରେ ମାର୍ଟିନ ଲଙ୍ଗମ୍ୟାନଙ୍କ ଦ୍ୱାରା ଲିଖିତ ଲେଖାର କପି, ଏହା ମହୁଆଙ୍କ ବିଚାରଧାରା ନୁହେଁ କେବଳ କପି-ପେଷ୍ଟ ଥିଲା।

ଅନ୍ୟ ଏକ ଘଟଣାରେ, ମହୁଆ ତ୍ରୁଟିପୂର୍ଣ୍ଣ ରିପୋର୍ଟିଂ ଅଭିଯୋଗରେ ସୁଧୀରଙ୍କ ବିରୁଦ୍ଧରେ ଜୁଲାଇ ୪ରେ ବିଶେଷ ଅଧିକାର ଭଙ୍ଗ ଅଭିଯୋଗ ଆଣିଥିଲେ କିନ୍ତୁ ଲୋକସଭା ବାଚସ୍ପତି ଓମ ବିର୍ଲା ଖାରଜ କରିଦେଇଥିଲେ।

Comments are closed.