‘ମହେଶ୍ୱର’ ଥିଲା ବାହୁବଳୀର ‘ମାହିସ୍ମତି’
ଭୁବନେଶ୍ୱର: ୨୦୧୫ରେ ଭାରତୀୟ ଚଳଚ୍ଚିତ୍ର ଦୁନିଆରେ ଚହଳ ପକାଇଥିଲା ଏକ ଆଞ୍ଚଳିକ ଚିତ୍ର। ତାହା ହେଉଛି ଏସ୍ଏସ୍ ରାଜାମୌଲିଙ୍କ ‘ବାହୁବଳୀ: ଦ ବିଗ୍ନିଂ’। ୨୦୧୭ରେ ଏହାର ଦ୍ୱିତୀୟ ଭାଗ “ବାହୁବଳୀ: ଦ କନ୍କ୍ଲୁଜନ’ ଆସିଥିଲା। ଦୁଇଟିଯାକ ଚିତ୍ର ବକ୍ସ ଅଫିସ ଲୋକପ୍ରିୟ ହାସଲ କରିଥିଲା। ଏହା ଭାରତୀୟ ଚିତ୍ର ଜଗତରେ ସବୁଠୁ ଅଧିକ କାରବାର କରି ରେକର୍ଡ଼ ମଧ୍ୟ କରିଥିଲା। ତେବେ ମନରେ ପ୍ରଶ୍ନ ଉଠେ ପ୍ରକୃତରେ କ’ଣ ‘ବାହୁବଳୀ’ ନାମରେ କେହି ଶାସକ ଭାରତରେ ଥିଲେ। ଏମିତି ତ ଅନେକ ଚଳଚ୍ଚିତ୍ର ଐତିହାସିକ ଚରିତ୍ର ଉପରେ ନିର୍ମିତ ହୋଇଛି। ‘ବାହୁବଳୀ’ ନାମରେ କୌଣସି ଐତିହାସିକ ଚରିତ୍ର ସମ୍ପର୍କରେ ଆମେ ଅବଗତ ନୁହନ୍ତି।
ତେବେ ଚିତ୍ରଟି ଯେଉଁ “ମାହିସ୍ମତି’ ରାଜ୍ୟ ଉପରେ ଆଧାରିତ ସେ ବିଷୟରେ ଇତିହାସରେ ଅନେକ ତଥ୍ୟ ରହିଛି। ଚଳଚ୍ଚିତ୍ରର କାହାଣୀ କାଳ୍ପନିକ ହୋଇପାରେ; କିନ୍ତୁ ଇତିହାସରେ “ମାହିସ୍ମତି’ର ସ୍ୱତନ୍ତ୍ର ସ୍ଥାନ ରହିଛି। ‘ମାହିସ୍ମତି’ କଳଚୁରୀ ରାଜବଂଶର ସମୃଦ୍ଧଶାଳୀ ରାଜଧାନୀ ଥିଲା। ମଧ୍ୟଭାରତରେ ଏହା ଅବସ୍ଥିତ ଥିଲା। ବର୍ତ୍ତମାନର ମଧ୍ୟପ୍ରଦେଶରେ ‘ମହେଶ୍ୱର’ ହିଁ ସେତେବେଳର ‘ମାହିସ୍ମତି’ ବୋଲି ଐତିହାସିକ ମତ ରଖନ୍ତି। ଐତିହାସିକ ଏଚ୍ଡି ସଙ୍କାଳିଆ, ପିଏନ୍ ବୋଷ, ଫ୍ରାନ୍ସିସ୍ ୱିଲଫୋର୍ଡ ପ୍ରଭୃତି ବର୍ତ୍ତମାନର ‘ମହେଶ୍ୱର’ ହିଁ ‘ମାହିସ୍ମତି’ ବୋଲି ମତ ରଖିଛନ୍ତି। ‘ମାହିସ୍ମତି’ ଥିଲା କଳଚୁରୀ ରାଜବଂଶର ରାଜଧାନୀ। କଳଚୁରୀମାନେ ଓଡ଼ିଶାର ପଶ୍ଚିମାଞ୍ଚଳ, ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ରର କେତେକ ଅଞ୍ଚଳରେ ଶାସନ କରୁଥିବାର ପ୍ରମାଣ ରହିିଛି। କଳଚୁରୀଙ୍କ ଓଡ଼ିଶା ଶାସନର ଅନେକ ପ୍ରମାଣ ରହିଛି। ଏମାନଙ୍କ ଦ୍ୱାରା ପ୍ରଚଳିତ ଅନେକ ମୁଦ୍ରା ଏବେ ଆମ ରାଜ୍ୟର ଗଞ୍ଜାମ, ବଲାଙ୍ଗୀର, ସୁବର୍ଣ୍ଣର୍ପୁର ତଥା ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ ରାଜ୍ୟରୁ ମିଳିଛି। ଏମାନଙ୍କ ଦ୍ୱାରା ପ୍ରଚଳିତ ଅନେକ ମୁଦ୍ରା ଏବେ ଆମ ରାଜ୍ୟ ସଂଗ୍ରହାଳୟରେ ରହିଛି। ଓଡ଼ିଶାରେ ‘ମାହିସ୍ମତି’ ନାମ ଖୋଦିତ ମୁଦ୍ରା ମଧ୍ୟ ମିଳିଥିବା ନିକଟରେ ରାଜ୍ୟ ସଂଗ୍ରହାଳୟର ଏକ ପ୍ରଦର୍ଶନୀରୁ ଜଣାପଡ଼ିଛି।
ଏକ ସଭ୍ୟତା ତଥା ରାଜବଂଶର ସମୃଦ୍ଧି ତା’ର ମୁଦ୍ରା, କଳା, ଭାସ୍କର୍ୟ୍ୟରୁ ଜଣାପଡ଼ିଥାଏ। ପ୍ରାଚୀନ କାଳରେ ଗଢ଼ି ଉଠିଥିବା ଅନେକ ସଭ୍ୟତାର ମୁଦ୍ରା, କଳା ଓ ଭାସ୍କର୍ୟ୍ୟ ହିଁ ଆମକୁ ସେହି ସମୟ ସମ୍ପର୍କରେ ସୂଚନା ଦେଇଥାଏ। ଓଡ଼ିଶା ବିଶେଷକରି ପଶ୍ଚିମ ଓଡ଼ିଶାରେ କଳଚୁରୀଙ୍କ ଶାସନ ସମ୍ପର୍କରେ ରାଜ୍ୟର ବିଭିନ୍ନ ସ୍ଥାନରୁ ମିଳିଥିବା ସେମାନଙ୍କର ଏହି ମୁଦ୍ରା ହିଁ ସୂଚନା ଦିଏ। କଳଚୁରୀମାନେ ୬ଷ୍ଠ ଓ ୭ମ ଶତାବ୍ଦୀରେ ଗୁଜରାଟ, ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ର ଅଞ୍ଚଳରେ ଶାସନ କରୁଥିବା ଇତିହାସରୁ ଜଣାପଡ଼େ। ଗୁପ୍ତ, ଭକଟକ ଓ ବିଷ୍ଣୁଗୁଣ୍ଡିନାସ୍ମାନେ ଶାସନ କରୁଥିବା ଅଞ୍ଚଳକୁ ଏମାନେ ନିଜ ଅଧୀନକୁ ନେଇଥିଲେ। ‘ମାହିସ୍ମତି’ ରାଜଧାନୀ ଥିଲା। ମହାରାଷ୍ଟ୍ରର ଏଲୋରା ଓ ଏଲିଫାଣ୍ଟା ଗୁମ୍ଫା ସେମାନଙ୍କ ସମୟରେ ପ୍ରଥମେ ଆରମ୍ଭ ହୋଇଥିବା ଐତିହାସିକ ମତ ଦିଅନ୍ତି। ତେବେ ୭ମ ଶତାବ୍ଦୀରେ କଳଚୁରୀମାନେ ଚାଲୁକ୍ୟ ରାଜବଂଶ ଦ୍ୱାରା ପରାସ୍ତ ହୋଇ କ୍ଷମତା ହରାଇଥିଲେ। ପରବର୍ତ୍ତୀ ସମୟରେ ତ୍ରିପୁରୀର କଳଚୁରୀ ଓ କଲ୍ୟାଣୀର କଳଚୁରୀ ରାଜବଂଶ ଏମାନଙ୍କ ଭବିଷ୍ୟ ପିଢ଼ି ଥିବା କୁହାଯାଏ। ତ୍ରିପୁରୀ କଳଚୁରୀଙ୍କ ଶାସନ ମଧ୍ୟପ୍ରଦେଶ, ଛତିଶଗଡ଼ ଓ ଓଡ଼ିଶାର ପଶ୍ଚିମାଞ୍ଚଳରେ ଥିଲା।
୧୦୩୦ ଖ୍ରୀଷ୍ଟାବ୍ଦରେ ତ୍ରିପୁରୀ କଳଚୁରୀ ରାଜା ଗାଙ୍ଗେୟଦେବ ଓଡ଼ିଶାର ଭୌମକର ରାଜା ଶୁଭଙ୍କର ଦ୍ୱିତୀୟଙ୍କୁ ପରାସ୍ତ କରିଥିବା ଇତିହାସ କହେ। ସେ ଦକ୍ଷିଣ କୋଶଳର ସୋମବଂଶୀ ରାଜା ଯଯାତିଙ୍କ ସହିତ ଯୁଦ୍ଧ କରିଥିବା ଇତିହାସରେ ଉଲ୍ଲେଖ ରହିଛି। ଗାଙ୍ଗେୟଦେବ, ଜଜ୍ୱଳ ଦେବ ଓ ପୃଥ୍ୱୀ ଦେବଙ୍କ ମୁଦ୍ରା ଓଡ଼ିଶାରେ ମିଳିବା ଏଠାରେ ସେମାନଙ୍କ ଶାସନ କିମ୍ବା ବେପାର ବଣିଜକୁ ପ୍ରମାଣିତ କରେ। ୨୦୧୨ରେ ଏହି ମୁଦ୍ରାଗୁଡ଼ିକ ନବରଙ୍ଗପୁର, ଗଞ୍ଜାମ, ବଲାଙ୍ଗୀର ଓ ସୁବର୍ଣ୍ଣପୁର ଅଞ୍ଚଳରୁ ମିଳିଥିବା ରାଜ୍ୟ ସଂଗ୍ରହାଳୟର କ୍ୟୁରେଟର ଭାରତୀ ପାଲ ସୂଚନା ଦେଇଛନ୍ତି। କଲଚୁରୀମାନେ ଲକ୍ଷ୍ମୀଙ୍କ ଉପାସକ ଥିଲେ ଓ ସେମାନଙ୍କ ମୁଦ୍ରାରେ ଲକ୍ଷ୍ମୀଙ୍କ ଚିତ୍ର ଦେଖିବାକୁ ମିଳେ। ମୁଦ୍ରାର ସମ୍ମୁଖ ଭାଗରେ ନାଗରୀ ଲିପିରେ ଶାସକଙ୍କ ନାମ ଓ ଅପର ପାର୍ଶ୍ବରେ ମଧ୍ୟ ଗଜଶାର୍ଦ୍ଦୂଳ ଚିତ୍ର ଦେଖିବାକୁ ମିଳିଛି।