ଅଘଟଣ ପରେ ଚେତା ପଶିଲା, ମହାକୁମ୍ଭରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା

ଡେସ୍କ: ମହାକୁମ୍ଭରେ ଦଳାଚକଟା ଘଟି ପ୍ରାୟ ୩୦ ଜଣଙ୍କ ମୃତ୍ୟୁ ହେବା ପରେ ଉତ୍ତରପ୍ରଦେଶ ସରକାରଙ୍କ ପାରିବାପାଣିଆ ଉପରେ ପ୍ରଶ୍ନ ଉଠିଛି। ଆଜି ମୌନି ଅମାବାସ୍ୟା ଦୃଷ୍ଟିରୁ ସରକାର ଓ ମହାକୁମ୍ଭ ପ୍ରଶାସନ ଅଧିକ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ଥିଲା ବୋଲି କୁହାଯାଇଛି। ତେବେ ଘଟଣା ଘଟିବା ପରେ ଏବେ ମେଳା ସ୍ଥଳକୁ ଯେଭଳି ଅଧିକ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ନ ଆସି ପାରିବେ ସେ ନେଇ ପଦକ୍ଷେପ ଗ୍ରହଣ କରାଯାଉଛି।

prayash

ସୂଚନା ଅନୁଯାୟୀ, ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ପ୍ରୟାଗରାଜକୁ ପ୍ରବେଶ କରୁଥିବା ୮ଟି ପ୍ରବେଶ ପଥର ସୀମାକୁ ବନ୍ଦ ରଖାଯାଇଛି। ସେଗୁଡିକ ହେଉଛି ଭଦୋହି, ଚିତ୍ରକୁଟ, କୋଶାମ୍ବି, ଫତେପୁର, ପ୍ରତାପଗଡ଼, ଜୌନପୁର ଓ ମିର୍ଜାପୁର। ସମଗ୍ର ମେଳା ଅଞ୍ଚଳକୁ ନୋ-ଭେଇକିଲ ଜୋନ୍ ଘୋଷଣା କରାଯାଇଛି। ସମସ୍ତ ଗାଡ଼ି ପାସ୍ ବାତିଲ କରାଯାଇଛି। ଅର୍ଥାତ୍ ମେଳାରେ ଗୋଟିଏ ବି ଗାଡି ଚଳାଚଳ କରିବ ନାହିଁ। ସମସ୍ତ ରାସ୍ତାକୁ ଏକତରଫା କରାଯାଇଛି। ଗୋଟିଏ ରୁଟରୁ ଆସୁଥିବା ଶ୍ରଦ୍ଧାଳୁଙ୍କୁ ସ୍ନାନ ପରେ ଅନ୍ୟ ମାର୍ଗ ଦେଇ ପଠାଯାଉଛି।

ଅନ୍ୟ ପକ୍ଷରେ ସହରରେ ଚାରି ଚକିଆ ଯାନ ପ୍ରବେଶ ଉପରେ କଟକଣା ଲଗାଯାଇଛି। ଏହି ବ୍ୟବସ୍ଥା ଫେବ୍ରୁଆରି ୪ ତାରିଖ ପର୍ଯ୍ୟନ୍ତ ମେଳା ଅଞ୍ଚଳରେ ବଳବତ୍ତର ରହିବ। ଆଜି (ବୁଧବାର) ବିଳମ୍ବିତ ରାତି ସୁଦ୍ଧା ସଙ୍ଗମ ସମେତ ୪୪ଟି ଘାଟରେ ୮ରୁ ୧୦ କୋଟି ଶ୍ରଦ୍ଧାଳୁ ସ୍ନାନ କରିବେ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ସହରରେ ୬୦ ହଜାରରୁ ଅଧିକ ସୁରକ୍ଷାକର୍ମୀ ମୁତୟନ ହୋଇଛନ୍ତି।

kalyan agarbati

Comments are closed.