ପାଠ ପଢିବାକୁ ଆସିଥିବା ବିଦେଶୀ ପିଲାଙ୍କୁ ମାଡ, ଭାଇରାଲ ହେଉଛି କିଟ୍ କ୍ୟାମ୍ପସରେ ହଙ୍ଗାମାର ଦୃଶ୍ୟ

ଭୁବନେଶ୍ବର : ନେପାଳୀ ଛାତ୍ରୀଙ୍କ ମୃତ୍ୟୁକୁ ନେଇ କିଟର ସମସ୍ୟା ବଢିବାରେ ଲାଗିଛି । ଗତକାଲି ରାତିରେ କିଟ୍ କର୍ତ୍ତୃପକ୍ଷ ଓ ନେପାଳ ଛାତ୍ରଛାତ୍ରୀ ମୁହାଁମୁହିଁ ହୋଇଥିଲେ । କିଟ୍ କର୍ମଚାରୀଙ୍କ ଧମକ ଓ ସିକ୍ୟୁରିଟି ଗାର୍ଡଙ୍କ ମାଡ ପରେ ଉତ୍ତେଜନା ବଢିଥିଲା । ସ୍ଥିତିକୁ ସମ୍ଭାଳିନପାରି କର୍ତ୍ତୃପକ୍ଷ ସାଇନ୍ ଏ ଡାଏ ଘୋଷଣା କରି ଛାତ୍ରଛାତ୍ରୀଙ୍କୁ ବସରେ ବସାଇ ରେଳ ଷ୍ଟେସନରେ ଛାଡିଦେଇଥିଲେ । ପରେ ସ୍ଥିତି ଭିନ୍ନ ମୋଡ ନେବାରୁ ପୁଣି ସମସ୍ତଙ୍କୁ ଫେରିବା ପାଇଁ ଅପିଲ୍ କରିଥିଲା ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ । ସାମାଜିକ ଗଣମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ପାଣି ପାଇପରେ ମାଡ ମାରୁଥିବାର ଦୃଶ୍ୟ ଭାଇରାଲ ହେବାପରେ ଘଟଣାକୁ ନିନ୍ଦା କରାଯାଉଛି । ଅନ୍ୟପଟେ ନେପାଳ ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲି ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି । ସେହିପରି ନୂଆଦିଲ୍ଲୀରେ ଅବସ୍ଥାପିତ ନେପାଳ ଦୂତାବାସ ବି ଘଟଣାକୁ ନେଇ ଚିନ୍ତା ପ୍ରକଟ କରିବା ସହ ଛାତ୍ରୀ ମୃତ୍ୟୁ ଘଟଣାର ନିରପେକ୍ଷ ତଦନ୍ତ ପାଇଁ ଦାବି କରିଛି । କହିରଖୁଛୁ ରବିବାର ଅପରାହ୍ନ ୪ରୁ ୫ଟା ମଧ୍ୟରେ କିଟ୍ କ୍ୟାମ୍ପସ-୬ କୁଇନ୍ସ ହଷ୍ଟେଲର ରୁମ୍ ନମ୍ବର-୧୮ରେ ବିଟେକ୍ ତୃତୀୟ ବର୍ଷର ଜଣେ ନେପାଳୀ ଛାତ୍ରୀଙ୍କର ମୃତଦେହ ମିଳିଥିଲା । ଏହି ଖବର ପ୍ରକାଶ ପାଇବା ପରେ କ୍ୟାମ୍ପସରେ କିଟ୍ ରେ ପଢ଼ୁଥିବା ନେପାଳର ଶତାଧିକ ଛାତ୍ରଛାତ୍ରୀ ହଷ୍ଟେଲରେ ପହଞ୍ଚିଥିଲେ । ଏହାପରେ ମୃତ୍ୟୁର କାରଣ ସମ୍ପର୍କରେ ପ୍ରଶ୍ନ କରିବା ସହ ମୃତଦେହ ଦେଖାଇବାକୁ ଦାବି କରିଥିଲେ । କିନ୍ତୁ ମୃତଦେହ ନ ଦେଖାଇବାରୁ ଅସନ୍ତୋଷ ଏବଂ ଉତ୍ତେଜନା ଦେଖାଦେଇଥିଲା ।

Comments are closed.