www.samajalive.in
Sunday, December 14, 2025
16.1 C
Bhubaneswar

ଆମ୍ବୁଲାନ୍ସକୁ ପଛରୁ ପିଟିଲା ବସ୍‍, ୪ ଆହତ

ପିପିଲି : ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ମଙ୍ଗଳପୁର ନିକଟ ମଧୁବନ ଛକ ଠାରେ ସୋମବାର ମଧ୍ୟାହ୍ନରେ ଏକ ଘରୋଇ ଯାତ୍ରୀବାହୀ ବସ୍‍ ଧକ୍କାରେ ଆମ୍ବୁଲାନ୍ସରେ ଥିବା ୪ଜଣ ଆହତ ହୋଇଥିବା ସୂଚନା ମିଳିଛି । ସମସ୍ତ ଆହତଙ୍କୁ ପ୍ରଥମେ ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ଗୁରୁତର ଥିବା ଜଣଙ୍କୁ କ୍ୟାପିଟାଲ ହସ୍‍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଦୁଇଟିଯାକ ଗାଡିକୁ ଜବତ କରି ଘଟଣାର ତଦନ୍ତ  ଚଳାଇଛି ।

ସୂଚନା ଅନୁଯାୟୀ, ପୁରୀ ଜିଲା ବ୍ରହ୍ମଗିରି ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଡାହାଣ ଗୋଡ ଭାଙ୍ଗିଥିବା ବେଳେ ସେ ଭୁବନେଶ୍ୱରର ଏକ ଡାକ୍ତରଖାନାରେ ଚିକିତ୍ସିତ ହୋଇ ଆଜି ଏକ ଘରୋଇ ଆମ୍ବୁଲାନ୍ସ ଯୋଗେ ଘରକୁ ଫେରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ । ଜାତୀୟ ରାଜପଥର ମଙ୍ଗଳପୁର ନିକଟବର୍ତ୍ତୀ ମଧୁବନଛକ ଠାରେ ମଧ୍ୟାହ୍ନ ସାଢେ ଗୋଟାଏ ସମୟରେ ରାସ୍ତାରେ ଯାଉଥିବା ଉକ୍ତ ଆମ୍ବୁଲାନ୍ସକୁ ପଛରୁ ଯାଉଥିବା ଏକ ଘରୋଇ ଯାତ୍ରୀବାହୀ ବସ୍‍ ଧକ୍କା ଦେଇଥିଲା । ଫଳରେ ଆମ୍ବୁଲାନ୍ସଟି ଭାରସାମ୍ୟ ହରାଇ ରାସ୍ତା ମଝିରେ ଥିବା ଡିଭାଇଡର ସହ ଧକ୍କା ଲାଗିବା ପରେ ଡିଭାଇଡର ଉପରକୁ ଉଠିଯାଇଥିଲା । ଆମ୍ବୁଲାନ୍ସରେ ଥିବା ଉକ୍ତ ରୋଗୀଙ୍କ ବାମ ଗୋଡରେ ଗୁରୁତର ଆଘାତ ଲାଗିଥିବା ବେଳେ ତାଙ୍କ ପତ୍ନୀ ଓ ଅଢେଇ ବର୍ଷର ଶିଶୁପୁତ୍ର ମଧ୍ୟ ଏହି ଦୁର୍ଘଟଣାରେ ଆହତ ହୋଇଥିଲେ । ଆମ୍ବୁଲାନ୍ସ ଡ୍ରାଇଭର ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି । ଖବର ପାଇ ପିପିଲି ଥାନା ଅଧିକାରୀ ସୌମେନ୍ଦୁ ଶେଖର ତ୍ରିପାଠୀ, ସାତଶଙ୍ଖ ଫାଣ୍ଡି ଅଧିକାରୀ ପ୍ରକାଶ କୁମାର ମଲ୍ଲିକ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତମାନଙ୍କୁ ଉଦ୍ଧାର କରି ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ତେବେ, ଉକ୍ତ ରୋଗୀଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍‍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଦୁର୍ଘଟଣା ଘଟାଇଥିବା ଦୁଇଟିଯାକ ଗାଡିକୁ ଜବତ କରି ପୁଲିସ ଘଟଣାର ତଦନ୍ତ ଚଳାଇଛି ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories