ଦଳିତଙ୍କ ନିଅାଁରେ ଜଳୁଛି ମଧ୍ୟପ୍ରଦେଶ: ୬ ମୃତ

0

ନୂଆଦିଲ୍ଲୀ : ଅନୁସୂଚିତ ଜାତି ଏବଂ ଜନଜାତି (ଏସ୍‌ସି/ଏସ୍‌ଟି) ଅତ୍ୟାଚାର ନିରୋଧ ଆଇନ ଉପରେ ସୁପ୍ରିମକୋର୍ଟଙ୍କ ରାୟକୁ ବିରୋଧ କରି ସୋମବାର ଦେଶବ୍ୟାପୀ ବନ୍ଦ ପାଳନ କରାଯାଇଛି। ଏହି ବନ୍ଦର ବ୍ୟାପକ ପ୍ରଭାବ ୧୦ଟି ରାଜ୍ୟରେ ଅନୁଭୂତ ହୋଇଛି । ମାତ୍ର ମଧ୍ୟପ୍ରଦେଶ ଏହି ବନ୍ଦ ନିଅାଁରେ ଜଳିଛି । ମଧ୍ୟପ୍ରଦେଶର ୧୦ରୁ ଅଧିକ ଜିଲାରେ ବନ୍ଦ ପାଳନ ବେଳେ ହିଂସାକାଣ୍ଡ ଘଟିଛି । ଗ୍ୱାଲିଅର୍‌, ମରିନା ଏବଂ ଭିଣ୍ଡଠାରେ ବନ୍ଦ ପାଳନକାରୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଟେକାପଥର ମାଡ଼ କରିଥିଲେ। ରାଜ୍ୟର ବିଭିନ୍ନ ସ୍ଥାନରେ ପୋଡାଜଳାର ସୁଯୋଗ ନେଇ ଦୋକାନ ବଜାରରୁ ଲୁଟପାଟ୍‌ ହୋଇଥିବା ଅଭିଯୋଗ ହୋଇଛି। ପିକେଟିଂ ଯୋଗୁ ଦୋକାନ ବଜାର ବନ୍ଦ ରହିଥିବାବେଳେ ବିଭିନ୍ନ ସ୍ଥାନରେ ଗାଡ଼ି ମୋଟର ପୋଡ଼ା ଜଳା ହୋଇଛି। ଗାଡ଼ି ଚଳାଚଳ ବନ୍ଦ ଯୋଗୁଁ ଜୀବନଯାତ୍ରା ବ୍ୟାହତ ହୋଇଛି । ବାହାରୁ ଘରକୁ ଫେରୁଥିବା ଲୋକେ ବସ୍‌ଷ୍ଟାଣ୍ଡ ଓ ରେଳ ଷ୍ଟେସନ ଭଳି ବିଭିନ୍ନ ସ୍ଥାନରେ ଅଟକି ରହିଛନ୍ତି । ପରିସ୍ଥିତି ଅଣାୟତ୍ତ ହେବାରୁ ଭିଣ୍ଡ ସମେତ ୩ ଜିଲାରେ କର୍ଫ୍ୟୁ ଜାରି କରାଯାଇଛି । ସୁରକ୍ଷାମୂଳକ ପଦକ୍ଷେପ ସ୍ୱରୂପ ସେନା ଏବଂ ଅର୍ଦ୍ଧସାମରିକ ବାହିନୀର ସହାୟତା ମଧ୍ୟ ନିଆଯାଇଥିବା ପୁଲିସ ମହାନିର୍ଦେଶକ (ଆଇଜି) ମାର୍କଣ୍ଡ ନେଓସ୍କର କହିଛନ୍ତି। ପରିସ୍ଥିତିକୁ ଦୃଷ୍ଟିରେ ରଖି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଶାନ୍ତି ରକ୍ଷା କରିବାକୁ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି। ସତର୍କ ମୂଳକ ପଦକ୍ଷେପ ସ୍ୱରୁପ ଇଣ୍ଟରନେଟ ସେବା ବନ୍ଦ କରିଦିଆଯାଇଛି । ଏହାବାଦ ଇନ୍ଦୋର, ସିବାନି, ରତଲାମ, ଉଜ୍ଜୟନୀ, ହାବୁଆ ଏବଂ ଜବଲପୁରରେ ବନ୍ଦର ପ୍ରଭାବ ପଡିଛି । ହିଂସାକାଣ୍ଡରୁ ଗ୍ୱାଲିଅର୍‌ରେ ୨, ଭିଣ୍ଡଠାରେ ୨, ଡାବରାରେ ଜଣେ ଏବଂ ମରିନାରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ଏପର୍ଯ୍ୟନ୍ତ ହିଂସାରୁ ମଧ୍ୟପ୍ରଦେଶରେ ୬ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ଉତ୍ତର ପ୍ରଦେଶରେ ୨, ବିହାର ଏବଂ ରାଜସ୍ଥାନରେ ଜଣେ ଲେଖାଏଁ ଲୋକଙ୍କ ମୃତ୍ୟୁ ଘଟିଛି । ବନ୍ଦ ପାଳନ ଯୋଗୁ ପଞ୍ଜାବରେ ସିବିଏସ୍‌ଇ ଦଶମ ଏବଂ ଦ୍ୱାଦଶ ପରୀକ୍ଷା ବାତିଲ୍‌ କରିବାକୁ ପଡିଛି। ମଧ୍ୟପ୍ରଦେଶ ସମେତ ଉତ୍ତରପ୍ରଦେଶ, ପଞ୍ଜାବ, ରାଜସ୍ଥାନ, ହରିୟାଣା, ବିହାର, ଝାଡ଼ଖଣ୍ଡ, ଗୁଜରାଟ ଏବଂ ମହାରାଷ୍ଟ୍ରରେ ବନ୍ଦ ପାଳନ ହିଂସାତ୍ମକ ରୂପ ନେଇଛି। ଉଲ୍ଲେଖ ଯେ ଯେଉଁ ୧୦ ରାଜ୍ୟରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ କରାଯାଇଥିଲା; ସେହି ରାଜ୍ୟଗୁଡ଼ିକର ୭୧ଟି ଲୋକସଭା ଆସନରେ ଏସ୍‌ସି/ଏସ୍‌ଟି ମତଦାତା ନିର୍ଣ୍ଣାୟକ ଭୂମିକା ନିର୍ବାହ କରିଥାନ୍ତି ।

Leave A Reply