ଯାଜପୁର ଦର୍ପଣଗଡ଼କୁ ଫେରିବ ମା’ କୋଟ୍ରାକ୍ଷୀଙ୍କ ଅଷ୍ଟଧାତୁ ମୂର୍ତ୍ତି

ନୂଆଦିଲ୍ଲୀ/ଭୁବନେଶ୍ୱର: ଯାଜପୁରର ଦର୍ପଣଗଡର ଅଧିଷ୍ଠାତ୍ରୀ ଦେବୀ ମା କୋଟ୍ରାକ୍ଷୀଙ୍କ ଅଷ୍ଟଧାତୁ ମୂର୍ତ୍ତି ଓଡ଼ିଶାକୁ ଫେରିବ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ୟମ ରେ ଦୀର୍ଘ ଦିନ ପୂର୍ବେ ଚୋରି ହୋଇଥିବା ଏହି ଦୁର୍ଲ୍ଲଭ ପ୍ରାଚୀନ ମୂର୍ତ୍ତିକୁ ଫେରାଇ ଅଣାଯାଇ ମନ୍ଦିରରେ ପୁନଃପ୍ରତିଷ୍ଠା କରାଯିବ। ଉକ୍ତ ମୂର୍ତ୍ତି ଫେରାଇବା ପାଇଁ ଦିଲ୍ଲୀ ବହିଃଶୁଳ୍କ ବିଭାଗକୁ ପରାମର୍ଶ ଦିଆଯାଇଥିବା କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଚିଠିର ପ୍ରତ୍ୟୁତ୍ତରରେ ଅବଗତ କରାଇଛନ୍ତି। ସୂଚନାଯୋଗ୍ୟ ଯେ ଗତବର୍ଷ ଦିଲ୍ଲୀ ବିମାନ ବନ୍ଦରରେ ଏକ ଅଷ୍ଟଧାତୁ ମୂର୍ତ୍ତି ଚୋରା ଚାଲାଣ ବେଳେ ଧରାପଡିଥିଲା। ପରେ ଏହାକୁ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ବିଭାଗ(ଏଏସଆଇ)କୁ ପରୀକ୍ଷା ପାଇଁ ପଠାଯାଇଥିଲା। ପରୀକ୍ଷା ନିରୀକ୍ଷା କରିବା ପରେ ଉକ୍ତ ପ୍ରତିମାଟି ଯାଜପୁର ଦର୍ପଣଗଡ଼ର ଅଧିଷ୍ଠାତ୍ରୀ ଦେବୀ ମାଆ କୋଟ୍ରାକ୍ଷୀଙ୍କ ବୋଲି ଏଏସଆଇ ଜାଣିବାକୁ ପାଇଥିଲା। ଉକ୍ତ ପ୍ରତିମାକୁ ନୂଆଦିଲ୍ଲୀ ଏୟାର କାର୍ଗୋର ବହିଃଶୁଳ୍କ କମିଶନରଙ୍କ କାର୍ଯ୍ୟାଳୟ ଜବତ କରି ନିଜ ହେପାଜତରେ ରଖିଥବା ଜଣାପଡିଥିଲା।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଗତ ଜୁଲାଇ ୧୪ ତାରିଖରେ କେନ୍ଦ୍ର ଅର୍ଥ ମନ୍ତ୍ରୀଙ୍କୁ ଓଡ଼ିଶାବାସୀ ବିଶେଷ ଭାବରେ ଯାଜପୁର ଜିଲା ଦର୍ପଣଗଡ଼ର ଗ୍ରାମବାସୀଙ୍କ ସାଂସ୍କୃତିକ ଓ ଐତିହ୍ୟ ଦୃଷ୍ଟିକୋଣରୁ ଏହି ମୂର୍ତ୍ତି ସମ୍ପର୍କରେ ଚିଠି ଲେଖି ଜଣାଇଥିଲେ। ଦିଲ୍ଲୀ ବହିଃଶୁଳ୍କକୁ ମୂର୍ତ୍ତି ଫେରାଇବା ପାଇଁ ପରାମର୍ଶ ଦିଆଯାଇଛି। ଠାବ ହୋଇଥିବା ମୂର୍ତ୍ତିର ଯାଞ୍ଚ ପ୍ରକ୍ରିୟା ଏବଂ ବଡଚଣା ଥାନାରେ ମନ୍ଦିରରୁ ମୂର୍ତ୍ତି ଚୋରି ନେଇ ମାମଲା ରୁଜୁ ଆଧାରରେ ସିବିଆଇସି ଓଡ଼ିଶାର ଡିଜିପିଙ୍କୁ ଜବତ ପୁରାତନ ମୂର୍ତ୍ତିର ପରିଚୟ ପାଇଁ ଉପଯୁକ୍ତ ଉପାୟ ଅବଲମ୍ବନ କରିବା ଏବଂ ଆଇନ ଅନୁସାରେ ଉକ୍ତ ପ୍ରତିମାକୁ ମନ୍ଦିରକୁ ଫେରାଇ ଆଣିବା କିମ୍ବା ପୁନଃପ୍ରତିଷ୍ଠା କରିବା ପାଇଁ ଅନୁରୋଧ କରିଥିବା ଅର୍ଥମନ୍ତ୍ରୀ ପତ୍ରରେ ଉଲ୍ଲେଖ କରିଛନ୍ତି। ଉକ୍ତ ଦୁର୍ଲଭ ମୂର୍ତ୍ତିଟି ଗତ ୨୦୨୧ ଜାନୁଆରୀ ୧୧ରେ ଦର୍ପଣଗଡ଼ ଗ୍ରାମରୁ ଚୋରି ହୋଇଥିଲା ଏବଂ ତା’ ପରଦିନ ସକାଳେ ବଡଚଣା ଥାନାରେ ଏଥିନେଇ ଏକ ମାମଲା ମଧ୍ୟ ରୁଜୁ ହୋଇଥିଲା, ଯେଉଁ ଘଟଣା ଗ୍ରାମବାସୀଙ୍କୁ ଆଘାତ ଦେଇଥିଲା।
ତେବେ ମୂର୍ତ୍ତି ଫେରାଇବା ପାଇଁ ଅନେକ ଆନ୍ଦୋଳନ ଏବଂ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି ସତ୍ତ୍ୱେ ପୋଲିସ ଏଥିରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କୁ ଧରିବାରେ ବିଫଳ ହେବାରୁ ଗ୍ରାମବାସୀ ଘଟଣାର ସାତ ମାସ ପରେ ମାଆଙ୍କ ଆଉ ଏକ ମୂର୍ତ୍ତି ମନ୍ଦିରରେ ସ୍ଥାପନ କରିଥିଲେ। ତେବେ ମୂଳ ମୂର୍ତ୍ତିର ସାମ୍ପ୍ରତିକ ଇତିହାସ ଏବଂ ଏହାର ପରିଚୟ ପ୍ରକାଶ ପାଇବା ପରେ ଗ୍ରାମବାସୀ ନିଜର ଅଧିଷ୍ଠାତ୍ରୀ ଦେବୀଙ୍କ ମୂର୍ତ୍ତି ଫେରିବା ନେଇ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ଏହା ତାଙ୍କ ଆସ୍ଥା, ଐତିହ୍ୟ ଏବଂ ବିଶ୍ୱାସର ପ୍ରତୀକ। ତେଣୁ ଉକ୍ତ ମୂର୍ତ୍ତିକୁ ଓଡ଼ିଶାକୁ ତୁରନ୍ତ ଫେରାଇ ଆଣିବା ଦିଗରେ ହସ୍ତକ୍ଷେପ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଅର୍ଥ ମନ୍ତ୍ରୀଙ୍କୁ ପତ୍ର ଲେଖି ଅବଗତ କରାଇଥିଲେ।

Comments are closed.