ମଙ୍କଡ଼, ପୁରନ୍ ଲକ୍ଷ୍ନୌକୁ ଜିତାଇଲେ
ହାଇଦରାବାଦ : ଚଳିତ ଆଇପିଏଲ୍ରେ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍ସ ପୁନର୍ଜୀବନ ପାଇଛି । ଗତ ୪ଟି ମ୍ୟାଚ୍ରୁ ପ୍ରଥମ ବିଜୟ ହାସଲକରି ପ୍ଲେଅଫ୍ ଦୌଡ଼ରେ ଲକ୍ଷ୍ନୌ ସାମିଲ ହୋଇଛି । ଶନିବାର ପ୍ରେରକ ମଙ୍କଡ଼, ମାର୍କସ ଷ୍ଟଇନିସ୍ ଓ ନିକୋଲାସ୍ ପୁରନ୍ଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ସନ୍ରାଇଜର୍ସ ହାଇଦରାବାଦକୁ ୭ ୱିକେଟରେ ଲକ୍ଷ୍ନୌ ପରାସ୍ତ କରିଛି । ୫ ଓଭରରୁ ଲକ୍ଷ୍ନୌ ୬୯ ରନ୍ ଆବଶ୍ୟକ କରୁଥିବା ବେଳେ ୧୬ଶ ଓଭର ବୋଲିଂ କରିଥିବା ସ୍ପିନର ଅଭିଷେକ ଶର୍ମାଙ୍କୁ ଷ୍ଟଇନିସ୍ ଓ ପୁରନ୍ ୫ଟି ଛକାମାରି ୩୧ ରନ୍ନେଇ ଲକ୍ଷ୍ନୌକୁ ମ୍ୟାଚ୍କୁ ଫେରାଇ ଆଣିଥିଲେ। ହେନ୍ରିକ୍ କ୍ଲାସେନ୍ ଓ ଅବ୍ଦୁଲ ସମାଦ୍ଙ୍କ ବିସ୍ଫୋରକ ଇନିଂସ ବଳରେ ପ୍ରଥମେ ବ୍ୟାଟିଂକରି ସନ୍ରାଇଜର୍ସ ୬ ୱିକେଟରେ ୧୮୨ ରନ୍ କରିଥିଲା। ପରେ ଦୟନୀୟ ସ୍ଥିତିରେ ଥିବା ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍ସ ଶେଷ ୫ ଓଭରରେ ଛକା ବର୍ଷାକରି ୪ଟି ବଲ୍ ବାକିଥାଇ ୩ ୱିକେଟ ହରାଇ ଜିତିଥିଲା। ୧୨ଶ ମ୍ୟାଚ୍ରୁ ୬ଷ୍ଠ ବିଜୟ ପରେ ଲକ୍ଷ୍ନୌ ୪ର୍ଥ ସ୍ଥାନକୁ ଉନ୍ନୀତ ହୋଇଛି। ଅନ୍ୟପକ୍ଷରେ ୧୧ଶ ମ୍ୟାଚ୍ରେ ୭ମ ପରାଜୟ ପରେ ସନ୍ରାଇଜର୍ସ ସଙ୍କଟରେ ପଡ଼ିଯାଇଛି।
୧୮୩ ରନ୍ ଲକ୍ଷ୍ୟରେ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍ସ ଦୟନୀୟ ଭାବେ ଇନିଂସ ଆରମ୍ଭ କରିଥିଲା। ୫ ଓଭରରୁ ଲକ୍ଷ୍ନୌ ମାତ୍ର ୨୦ ରନ୍କରି କାଏଲ୍ ମେୟର୍ସଙ୍କ ୱିକେଟ ହରାଇଥିଲା। ମେୟର୍ସ ୧୪ ବଲ୍ରୁ ମାତ୍ର ୨ ରନ୍ କରିଥିଲେ। ୬ଷ୍ଠ ଓଭରରୁ ଅନ୍ୟ ଓପ୍ନର କ୍ବିଣ୍ଟନ ଡି କକ୍ ଓ ପ୍ରେରକ ମଙ୍କଡ଼ ସଟ୍ ଖେଳିବାର ପ୍ରୟାସ କରିଥିଲେ। ଦୁହେଁ ୨ୟ ୱିକେଟ ପାଇଁ ୫ ଓଭରରୁ ୪୨ ରନ୍ ଯୋଡ଼ିଥିଲେ। ଡି କକ୍ ରିଭର୍ସ ସ୍ବିପ୍ ମାରିବା ପ୍ରୟାସରେ ଆଉଟ୍ ହୋଇଥିଲେ। କ୍ବିଣ୍ଟନ ଡି କକ୍ ୧୯ ବଲ୍ରୁ ଗୋଟିଏ ଛକା ଓ ୩ଟି ଚୌକା ସହ ୨୯ ରନ୍ କରିଥିଲେ। ପରେ ମଙ୍କଡ଼ ଓ ମାର୍କସ ଷ୍ଟଇନିସ୍ ଏକଦା ୨୮ ବଲ୍ରୁ ୩୪ ରନ୍ ଯୋଡ଼ିଥିଲେ। ୫ ଓଭରରୁ ଲକ୍ଷ୍ନୌ ୬୯ ରନ୍ ଆବଶ୍ୟକ କରୁଥିଲା। ୧୬ଶ ଓଭର ବୋଲିଂ କରିଥିବା ଅଭିଷେକ ଶର୍ମାଙ୍କ ପ୍ରଥମ ୨ଟି ବଲ୍କୁ ଷ୍ଟଇନିସ୍ ଛକା ମାରିଥିଲେ। ୩ୟ ବଲ୍କୁ ମଧ୍ୟ ଛକାମାରିବା ପ୍ରୟାସରେ ଷ୍ଟଇନିସ୍ ବାଉଣ୍ଡରୀରେ କ୍ୟାଚ୍ ଦେଇଥିଲେ। ପରବର୍ତ୍ତୀ ବଲ୍ ୱାଇଡ୍ ଥିବା ବେଳେ ନିକୋଲାସ୍ ପୁରନ୍ ସମ୍ମୁଖୀନ ହୋଇଥିବା ପ୍ରଥମ ୩ଟି ବଲ୍କୁ ଛକା ମାରିଥିଲେ। ଏହି ଓଭରରୁ ୩୧ ରନ୍ ହେବାରୁ ୪ ଓଭରରୁ ୩୮ ରନ୍ ଆବଶ୍ୟକ ଥିଲା। ସୌରାଷ୍ଟ୍ରର ପ୍ରେରକ ମଙ୍କଡ଼ ଓ ନିକୋଲାସ୍ ପୁରନ୍ ଏହା ହାସଲ କରି ନେଇଥିଲେ। ବାମହାତି ପୁରନ୍ ବିସ୍ଫୋରକ ବ୍ୟାଟିଂକରି ମାତ୍ର ୧୩ ବଲ୍ରୁ ୪ଟି ଛକା ଓ ୩ଟି ଚୌକା ସହ ୪୪ ରନ୍ରେ ଅପରାଜିତ ରହି ମ୍ୟାଚ୍ ବିଜେତା ସାଜିଥିଲେ। ମଙ୍କଡ଼ ୪୫ ବଲ୍ରୁ ୨ଟି ଛକା ଓ ୭ଟି ଚୌକା ସହ ୬୪ ରନ୍ରେ ଅପରାଜିତ ଥିଲେ। ପ୍ରେରକ ମଙ୍କଡ଼ ପ୍ଲେୟର ଅଫ୍ ଦି ମ୍ୟାଚ୍ ହୋଇଥିଲେ।
ଟସ୍ ଜିତି ସନ୍ରାଇଜର୍ସ ବ୍ୟାଟିଂ ନେଇଥିଲା। ଅଭିଷେକ ଶର୍ମା ୭ ରନ୍କରି ଆଉଟ୍ ହେବା ପରେ ଅନ୍ମୋଲପ୍ରୀତ ସିଂହ ଓ ରାହୁଲ ତ୍ରିପାଠୀ ଦ୍ରୁତ ୩୭ ରନ୍ ଯୋଡ଼ିଥିଲେ। ରାହୁଲ ତ୍ରିପାଠୀ ୧୩ ବଲ୍ରୁ ୪ଟି ଚୌକା ସହ ୨୦ ରନ୍ କରିଥିଲେ। ୯ମ ଓଭରରେ ଆଉଟ୍ ହୋଇଥିବା ଓପ୍ନର ଅନ୍ମୋଲପ୍ରୀତ ସିଂହ ୨୭ ବଲ୍ରୁ ୭ଟି ଚୌକା ସହ ୩୬ ରନ୍ କରିଥିଲେ। ୧୨ ଓଭରରେ ସନ୍ରାଇଜର୍ସ ହାଇଦରାବାଦ ୩ ୱିକେଟରେ ୧୧୫ ରନ୍ କରିଥିଲେ। ତେବେ ଲକ୍ଷ୍ନୌର ଅଧିନାୟକ କ୍ରୁନାଲ ପାଣ୍ଡ୍ୟା ବୋଲିଂ କରିଥିବା ୧୩ଶ ଓଭରର ପ୍ରଥମ ୨ଟି ବଲ୍ ମ୍ୟାଚ୍ର ଗତିପଥ ବଦଳାଇ ଦେଇଥିଲା। ଉଭୟ ବଲ୍ ସ୍ପିନ୍ କରିଥିଲା। ପ୍ରଥମ ବଲ୍ରେ ଅଧିନାୟକ ଐଡେନ୍ ମାର୍କରାମ ଷ୍ଟମ୍ପ୍ଡ ହୋଇଥିଲେ। ୨ୟ ବଲ୍ରେ ଗ୍ଲେନ୍ ଫିଲିପ୍ସ (୦) ଆଉଟ୍ ହୋଇଥିଲେ। ମାର୍କରାମ ୨୦ ବଲ୍ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୨୮ ରନ୍ କରିଥିଲେ। ପରେ ହେନ୍ରିକ୍ କ୍ଲାସେନ୍ ଓ ଅବ୍ଦୁଲ ସମାଦ୍ ୬ଷ୍ଠ ୱିକେଟ ପାଇଁ ଦ୍ରୁତ ୫୦ ରନ୍ ଯୋଡ଼ିଥିଲେ। ଦକ୍ଷିଣ ଆଫ୍ରିକାର କ୍ଲାସେନ୍ ୨୯ ବଲ୍ରୁ ୩ଟି ଲେଖାଏଁ ଛକା ଓ ଚୌକା ସହ ୪୭ ରନ୍ କରିଥିଲେ। ଜାମ୍ମୁକାଶ୍ମୀରର ସମାଦ୍ ୨୫ ବଲ୍ରୁ ୪ଟି ଛକା ଓ ଗୋଟିଏ ଚୌକା ସହ ୩୭ ରନ୍କରି ଅପରାଜିତ ଥିଲେ। କ୍ରୁନାଲ ପାଣ୍ଡ୍ୟା ୨ଟି ୱିକେଟ ପାଇଥିବା ବେଳେ ପେସ୍ ବୋଲର ଯଶ ଠାକୁର ମଧ୍ୟ ଭଲ ବୋଲିଂ କରିଥିଲେ।
Comments are closed.