ଷ୍ଟୋଇନିସ୍, ପୁରନ୍ଙ୍କ ପ୍ରହାର ; ଶେଷ ବଲ୍ରେ ଲକ୍ଷ୍ନୌ ବିଜୟୀ
ବେଙ୍ଗାଲୁରୁ : ଚଳିତ ଆଇପିଏଲ୍ରେ ସୋମବାର ରୋମାଞ୍ଚକର ମ୍ୟାଚ୍ରେ ଶେଷ ବଲ୍ରେ ବିଜୟୀ ହୋଇଛି ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍ସ। ମାର୍କସ ଷ୍ଟୋଇନିସ୍ ଓ ନିକୋଲାସ୍ ପୁରନ୍ ବିସ୍ଫୋରକ ବ୍ୟାଟିଂ ବଳରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍ସିବି)କୁ ୧ ୱିକେଟରେ ଲକ୍ଷ୍ନୌ ପରାସ୍ତ କରିଛି। ବିରାଟ କୋହଲି, ଫାଫ୍ ଡୁ ପ୍ଲେସି ଓ ଗ୍ଲେନ୍ ମ୍ୟାକ୍ସୱେଲଙ୍କ ଅର୍ଦ୍ଧଶତକ ବଳରେ ପ୍ରଥମେ ବ୍ୟାଟିଂକରି ଆର୍ସିବି ୨ ୱିକେଟ ହରାଇ ୨୧୨ ରନ୍ କରିଥିଲା। ପରେ ଲକ୍ଷ୍ନୌ ଅନ୍ତିମ ବଲ୍ରେ ୯ ୱିକେଟ ହରାଇ ଜିତିଥିଲା। ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍ସ ୪ର୍ଥ ମ୍ୟାଚ୍ରେ ୩ୟ ବିଜୟ ହାସଲ କରିଛି। ଆର୍ସିବି ୩ୟ ମ୍ୟାଚ୍ରେ ୨ୟ ପରାଜୟ ଭୋଗିଛି।
୨୧୩ ରନ୍ର ପିଛା ଦୟନୀୟ ଭାବେ ଆରମ୍ଭ କରିଥିଲା ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍ସ। ୪ ଓଭରରେ ୨୩ ରନ୍ରେ ଲକ୍ଷ୍ନୌ ୩ଟି ୱିକେଟ ହରାଇଥିଲା। କାଏଲ୍ ମେୟର୍ସ ପ୍ରଥମ ଓଭରରେ ବିନା ସ୍କୋର୍ରେ ଆଉଟ୍ ହୋଇଥିଲେ। ଦୀପକ ହୁଡା ୯ ରନ୍କରି ବିଦାୟ ନେଇଥିଲେ। କ୍ରୁନାଲ ପାଣ୍ଡ୍ୟା ଖାତା ଖୋଲି ପାରିନଥିଲେ। ଲକ୍ଷ୍ନୌ ଅଧିନାୟକ କେ.ଏଲ୍. ରାହୁଲ ଜଗିରଖି ଖେଳିଥିବା ବେଳେ ଅଷ୍ଟ୍ରେଲୀୟ ମାର୍କସ ଷ୍ଟୋଇନିସ୍ ଆକ୍ରମଣ କରିଥିଲେ। ଦୁହେଁ ୪ର୍ଥ ୱିକେଟ ପାଇଁ ୭୬ ରନ୍ ଯୋଗ କରିଥିଲେ। ବିସ୍ଫୋରକ ବ୍ୟାଟିଂକରି ଷ୍ଟୋଇନିସ୍ ଏହି ୭୬ ରନ୍ରୁ ୬୫ ରନ୍ କରିଥିଲେ। ସେ ମାତ୍ର ୩୦ ବଲ୍ ଖେଳି ୫ଟି ଛକା ଓ ୪ଟି ଚୌକା ମାରିଥିଲେ। ୩ଟି ବଲ୍ ପରେ ରାହୁଲ ୨୦ ବଲ୍ରୁ ୧୮ ରନ୍କରି ଆଉଟ୍ ହୋଇଥିଲେ। ୧୦୫ ରନ୍ରେ ୫ଟି ୱିକେଟ ପଡ଼ିବା ପରେ ନିକୋଲାସ୍ ପୁରନ୍ ଆସି ବିସ୍ଫୋରକ ବ୍ୟାଟିଂ କରିଥିଲେ। ମାତ୍ର ୧୫ ବଲ୍ରୁ ପୁରନ୍ ଅର୍ଦ୍ଧଶତକ ପୂରଣ କରିଥିଲେ; ଯାହା ଚଳିତ ଆଇପିଏଲ୍ରେ ଦ୍ରୁତତମ। ପୁରନ୍ ଓ ଆୟୁଷ ବଦୋନି ୪୧ ବଲ୍ରୁ ୪୪ ରନ୍ ଯୋଡ଼ିଥିଲେ। ପୁରନ୍ ୧୯ ବଲ୍ରୁ ୭ଟି ଛକା ଓ ୪ଟି ଚୌକା ସହ ୬୨ ରନ୍କରି ଆଉଟ୍ ହୋଇଥିଲେ। ବଦୋନି ୨୪ ବଲ୍ରୁ ୪ଟି ଚୌକା ସହ ୩୦ ରନ୍ କରିଥିଲେ। ଶେଷ ଓଭରରୁ ୫ ରନ୍ ଆବଶ୍ୟକ ଥିବା ବେଳେ ଏହା ନାଟକୀୟ ହୋଇ ଯାଇଥିଲା। ୨ ବଲ୍ରୁ ୧ ରନ୍ ଆବଶ୍ୟକ ଥିବା ବେେଳ ଜୟଦେବ ଉନାଦ୍କତ ଆଉଟ୍ ହୋଇଥିଲେ। ଶେଷ ବଲ୍ରୁ ୧ ରନ୍ ଆବଶ୍ୟକ ଥିବା ବେଳେ ବାଇ ରନ୍ ନେଇ ଲକ୍ଷ୍ନୌ ଜିତିଥିଲା। ୱେନ୍ ପାର୍ନେଲ ଓ ମହମ୍ମଦ ସିରାଜ୍ ୩ଟି ଲେଖାଏଁ ଏବଂ ହର୍ଷଲ ପଟେଲ ୨ଟି ୱିକେଟ ନେଇଥିଲେ।
ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍ସ ଟସ୍ ଜିତି ଫିଲ୍ଡିଂ କରିଥିଲା। ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଦୁଇ ଅଭିଜ୍ଞ ଓପ୍ନର ବିରାଟ କୋହଲି ଓ ଫାଫ୍ ଡୁ ପ୍ଲେସି ଚମତ୍କାର ବ୍ୟାଟିଂ କରିଥିଲେ। ୧୧.୩ ଓଭରରେ ବିରାଟ-ଡୁ ପ୍ଲେସି ୯୬ ରନ୍ ଯୋଡ଼ିଥିଲେ। କୋହଲି ୪୪ ବଲ୍ରୁ ୪ଟି ଲେଖାଏଁ ଛକା ଓ ଚୌକା ସହ ୬୧ ରନ୍ କରିଥିଲେ। ଗ୍ଲେନ୍ ମ୍ୟାକ୍ସୱେଲ ଆସିବା ମାତ୍ରେ ବିସ୍ଫୋରକ ବ୍ୟାଟିଂ କରିଥିଲେ। ୧୩ ଓଭରରେ ଆର୍ସିବି ୧୦୪ ରନ୍ କରିଥିବା ବେଳେ ଶେଷ ୭ ଓଭରରୁ ୧୫ରୁ ଅଧିକ ହାରରେ ୧୦୮ ରନ୍ କରିଥିଲା। ଗ୍ଲେନ୍ ମ୍ୟାକ୍ସୱେଲ ୨୯ ବଲ୍ରୁ ୬ଟି ଛକା ଓ ୩ଟି ଚୌକା ସହ ୫୯ ରନ୍ କରିଥିଲେ। ଅଧିନାୟକ ଫାଫ୍ ଡୁ ପ୍ଲେସି ୪୬ ବଲ୍ରୁ ୫ଟି ଲେଖାଏଁ ଛକା ଓ ଚୌକା ସହ ୭୯ ରନ୍କରି ଅପରାଜିତ ଥିଲେ। ମାର୍କ ଉଡ୍ ଲକ୍ଷ୍ନୌର ସଫଳତମ ବୋଲର ଥିଲେ।
Comments are closed.