ମହାନଦୀରେ ଆସିପାରେ ଛୋଟ ବା ମଧ୍ୟମ ଧରଣର ବନ୍ୟା : ଏସଆରସି

ବର୍ଷା ଯୋଗୁ ୨୧ ଜିଲ୍ଲାର ୧୨୬ ବ୍ଲକ ପ୍ରବାଭିତ

ଭୁବନେଶ୍ୱର : ଉପରମୁଣ୍ଡରେ ବର୍ଷା ଜାରି ରହିଥିବାରୁ ମହାନଦୀରେ ସ୍ୱଳ୍ପ-ମଧ୍ୟମ ଧରଣର ବନ୍ୟା ଆଶଙ୍କା ରହିଛି । ମହାନଦୀରେ ସ୍ୱଳ୍ପରୁ ମଧ୍ୟମ ଧରଣର ବନ୍ୟା ଆସିପାରେ । ତେବେ ମହାନଦୀ ଅବବାହିକାରେ ବିଶେଷ କ୍ଷତି ହେବ ନାହିଁ ବୋଲି ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ, ବନ୍ୟା ମୁକାବିଲା ପାଇଁ ଜଳସଂପଦ ବିଭାଗର ସମସ୍ତ କର୍ମଚାରୀ ତତ୍ପର ଅଛନ୍ତି । ହୀରାକୁଦ ଜଳଭଣ୍ଡାରର ଜଳସ୍ତରକୁ ୬୨୮ ଫୁଟ ରଖିବାକୁ ନିଷ୍ପତି ନିଆଯାଇଛି । ବଳକା ଜଳକୁ ନିଷ୍କାସନ କରିବାକୁ ଅଧିକ ଗେଟ୍ ଖୋଲାଯିବ । ଏବେ ୧୮ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ଅଧିକ ଗେଟ ଖୋଲାଯିବା ପରେ ମୁଣ୍ଡୁଳିଠାରେ ଘଣ୍ଟା ପ୍ରତି ୭ ଲକ୍ଷ କ୍ୟୁସେକ୍ ବନ୍ୟାଜଳ ପ୍ରବାହିତ ହେବାର ସମ୍ଭାବନା ରହିଛି ବୋଲି ସେ କହିଛନ୍ତି ।
ସେ କହିଛନ୍ତି ଯେ ଲଘୁଚାପ ଜନିତ ବର୍ଷାରେ ୨୧ ଜିଲ୍ଲାର ୧୨୬ ବ୍ଲକ ପ୍ରବାଭିତ ହୋଇଛି । ୪୩୩୪ ଗାଁ ଓ ୩୯ଟି ପୌରାଂଚଳ ପ୍ରଭାବିତ ହୋଇଥିବାବେଳେ ୪ଜଣଙ୍କ ମୃତ୍ୟୁ, ୨ ଜଣ ନିଖୋଜ ହୋଇଛନ୍ତି । ୩ହଜାର ୮୩୯ ଘର ଓ ୧.୩୦ଲକ୍ଷ ହେକ୍ଟର ଜମି ପ୍ରଭାବିତ ହୋଇଛି। ଗତ ୨୪ ଘଂଟାରେ ବାଲେଶ୍ୱର ଭୋଗରାଇରେ ୧୨୨ ମିମି ବର୍ଷା ହୋଇଛି। ସୁନ୍ଦରଗଡ଼ ସବଡେଗାରେ ୧୧୮ ମିମି ବର୍ଷା ରେକର୍ଡ କରାଯାଇଛି। ୮ ଜିଲ୍ଲାର ୨୩ ବ୍ଲକରେ ୫୦ରୁ ଶହେ ମିମି ପର୍ଯ୍ୟନ୍ତ ବର୍ଷା ହୋଇଛି। ବୈତରଣୀ ଓ ବ୍ରାହ୍ମଣୀରେ ଜଳସ୍ତର ବଢୁଛି । ଜଳକାରେ ମଧ୍ୟ ବନ୍ୟା ପରିସ୍ଥିତି ରହିଛି । ବ୍ରାହ୍ମଣୀ ନଦୀର ତିନିଟି ସ୍ଥାନରେ ଘାଇ ହୋଇଛି ।

Comments are closed.