ସଂଖ୍ୟାଗରିଷ୍ଠତା ହରାଇଲା ବିଜେପି : ସରକାର ପ୍ରତି ବିପଦ ନାହିଁ

0

ନୂଆଦିଲ୍ଲୀ  : ବିଜେପି ଯେତିକି ରାଜ୍ୟ ଜୟ କରୁଛି ସେହି ପରିମାଣରେ ଉପନିର୍ବାଚନ ହାରିଚାଲିଛି। ବିଗତ ୪ ବର୍ଷ ମଧ୍ୟରେ ଅନୁଷ୍ଠିତ ଉପନିର୍ବାଚନରେ ପରାଜିତ ହୋଇ ବିଜେପି ୭ଟି ଲୋକସଭା ଆସନ ହରାଇଥିବାବେଳେ ଗୁରୁବାର ଆଉ ଦୁଇଟି ଆସନ ଦଳ ହାତରୁ ଖସିଯାଇଛି। ଫଳରେ ୫୪୫ ଆସନ ବିଶିଷ୍ଟ ଲୋକସଭାରେ ଦଳ ନିଜର ସଂଖ୍ୟାଗରିଷ୍ଠତା ହରାଇଛି। ସରକାର ଗଠନ ନିମନ୍ତେ କୁହୁକ ସଂଖ୍ୟା ୨୭୨ ଥିବାବେଳେ ଦଳ ନିକଟରେ ଏହାଠାରୁ ଗୋଟିଏ ଆସନ କମ୍‍ ରହିଛି। ଦଳୀୟ ସାଂସଦଙ୍କ ସଂଖ୍ୟା ଏବେ ୨୭୧ରେ ପହଞ୍ଚିଛି। ଏହା ସତ୍ତ୍ବେ ବିଜେପି ପ୍ରତି ମେଣ୍ଟ ଦଳଗୁଡିକର ସମର୍ଥନ ରହିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର ପ୍ରତି ସମ୍ପ୍ରତି ବିପଦ ନାହିଁ। ତେବେ ଗୋଟିଏ ପରେ ଗୋଟିଏ ଉପ-ନିର୍ବାଚନରେ ପରାଜୟ ଦଳୀୟ ନେତୃବୃନ୍ଦଙ୍କ ପାଇଁ ସତର୍କ ଘଣ୍ଟି ହୋଇଛି।
୨୦୧୪ ଲୋକସଭା ନିର୍ବାଚନରେ ବିଜେପି ଏକାକୀ ୨୮୨ ଆସନରେ ବିଜୟ ଲାଭ କରିଥିଲା। ସରକାର ଗଠନ ନିମନ୍ତେ ଦଳ ଏକାକୀ ସମର୍ଥ ଥିବାବେଳେ ଏହାକୁ ଏନ୍‍ଡିଏର ଅନ୍ୟ ମେଣ୍ଟ ଦଳଗୁଡିକ ସମର୍ଥନ ମିଳିଥିଲା। ମାତ୍ର ଇତିମଧ୍ୟରେ ବିଜେପି ୯ଟି ଲୋକସଭା ନିର୍ବାଚନରେ ପରାଜିତ ହୋଇଛି। ଅନ୍ୟପଟେ କର୍ଣ୍ଣାଟକ ବିଧାନସଭା ସଦସ୍ୟ ଭାବେ ଶପଥ ନେବା ନିମନ୍ତେ ଦଳର ଦୁଇ ବରିଷ୍ଠ ନେତା ବି. ଏସ୍‍ ୟେଦୁରପ୍ପା ଏବଂ ବି. ଶ୍ରୀରାମୁଲୁ ମେ ମାସ ମଧ୍ୟଭାଗରେ ଲୋକସଭାରୁ ଇସ୍ତଫା ଦେଇଥିଲେ। ଫଳରେ ବିଜେପି ଝୁଲାରୁ ଆଉ ଦୁଇଟି ଆସନ ବାଦ ପଡିଥିଲା। ବିଜେପି ମୋଟ ୧୧ଟି ଆସନ ହରାଇଥିବାବେଳେ ଏହାର ସାଂସଦଙ୍କ ସଂଖ୍ୟା ୨୭୧ରେ ପହଞ୍ଚିଛି।

Leave A Reply