୨୦୧୯ ଲୋକସଭା ନିର୍ବାଚନ; ଅଖିଳେଶଙ୍କ ବିରୋଧରେ ଲଢିବେ ‘ନିରହୁଆ’
ଲକ୍ଷ୍ନୌ : ଭାରତୀୟ ଜନତା ପାର୍ଟି (ବିଜେପି) ବୁଧବାର ଉତ୍ତରପ୍ରଦେଶର ୫ ଏବଂ ମହାରାଷ୍ଟ୍ରର ୧ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଏହି ତାଲିକାରେ ଆଜମଗଡ଼ ଲୋକସଭା ଆସନ ପାଇଁ ଭୋଜପୁରୀ ଚଳଚ୍ଚିତ୍ରର ଷ୍ଟାର ଦିନେଶ ଲାଲ ଯାଦବ ‘ନିରହୁଆ’ଙ୍କୁ ପ୍ରାର୍ଥୀ କରାଯାଇଛି। ପ୍ରକାଶଯୋଗ୍ୟ ଯେ ଏହି ଲୋକସଭା ଆସନରୁ ସମଜବାଦୀ ପାର୍ଟି (ଏସ୍ପି) ଅଧ୍ୟକ୍ଷ ଅଖିଳେଶ ଯାଦବ ନିର୍ବାଚନ ଲଢୁଛନ୍ତି। ଏହାବ୍ୟତୀତ ବିଜେପି ରାୟବରେଲି ଲୋକସଭା ଆସନରୁ ସୋନିଆ ଗାନ୍ଧୀଙ୍କ ବିରୋଧରେ ଦିନେଶ ପ୍ରତାପ ସିଂହଙ୍କୁ ପ୍ରାର୍ଥୀ କରିଛି। ପ୍ରକାଶଯୋଗ୍ୟ ଯେ ଦିନେଶ ପ୍ରତାପ ସିଂହ କଂଗ୍ରେସ ଛାଡ଼ି ବିଜେପିରେ ମିଶିଛନ୍ତି। ଉତ୍ତରପ୍ରଦେଶର ଆଜମଗଡ଼, ମୌନପୁରୀ ଏବଂ ରାୟବରେଲି ଭଳି ହାଇପ୍ରୋଫାଇଲ ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ମୌନପୁରୀ ଏସ୍ପିର ପୂର୍ବତନ ଅଧ୍ୟକ୍ଷ ମୁଲାୟମ ସିଂହ ଯାଦବ ନିର୍ବାଚନ ଲଢୁଛନ୍ତି। ତାଙ୍କ ବିରୋଧରେ ବିଜେପି ପ୍ରେମ ସିଂହଙ୍କୁ ଟିକେଟ ଦେଇଛି। ୨୦୧୪ରେ ରାୟବରେଲିରୁ ସୋନିଆ ଗାନ୍ଧୀଙ୍କ ବିରୋଧରେ ଲୋକସଭା ନିର୍ବାଚନ ଲଢିଥିବା ଅଜୟ ଅଗ୍ରୱାଲଙ୍କ ଟିକେଟ ଚଳିତ ଥର କାଟି ଦିଆଯାଇଛି। ତେବେ ଗତ ବର୍ଷ କଂଗ୍ରେସ ଛାଡ଼ି ବିଜେପିରେ ମିଶିଥିବା ଦିନେଶ ପ୍ରତାପ ସିଂହଙ୍କୁ ଟିକେଟ ମିଳିଛି। ମହାରାଷ୍ଟ୍ରର ମୁମ୍ବଇ ଉତ୍ତର-ପୂର୍ବ ଆସନରୁ ବରିଷ୍ଠ ବିଜେପି ନେତା କିରୀଟ ସେମ୍ୟାଙ୍କ ଟିକେଟ୍ କାଟି ଦିଆଯାଇଛି। ତାଙ୍କ ସ୍ଥାନରେ ମନୋଜ କୋଟାକଙ୍କୁ ପ୍ରାର୍ଥୀ କରାଯାଇଛିି।
Comments are closed.