ସର୍ବେକ୍ଷଣ; ବିହାରରେ ୪୦ରୁ ୩୪ଟିରେ ଜିତିବ ଏନ୍‍ଡିଏ, ମହାମେଣ୍ଟକୁ ମିଳିବ ୬ ଆସନ

ପାଟନା/ନୂଆଦିଲ୍ଲୀ : ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ପୂର୍ବରୁ ବିହାରରେ ଏକ ନିର୍ବାଚନୀ ସର୍ବେକ୍ଷଣରେ ବିଜେପି-ଜେଡିୟୁ ନେତୃତ୍ୱାଧୀନ ଏନ୍‍ଡିଏକୁ ୩୪ଟି ଆସନ ମିଳିବ ବୋଲି କୁହାଯାଇଛି। ଏହି ସର୍ବେକ୍ଷଣରେ ମହାମେଣ୍ଟକୁ ୬ଟି ଆସନ ମିଳିବ ବୋଲି ଅନୁମାନ କରାଯାଇଛି।
ନିଲସନ ଏବଂ ଏବିପି ପକ୍ଷରୁ ବିହାରର ୪୦ଟି ଲୋକସଭା ଆସନରେ ସର୍ଭେ କରାଯାଇଥିଲା। ସର୍ଭେ ଅନୁସାରେ କଂଗ୍ରେସ ବିହାରରେ ଖାତା ଖୋଲି ପାରିବନି। ସର୍ଭେ ମୁତାବକ ବିହାରର ୪୦ ଲୋକସଭା ଆସନରୁ ସଂଯୁକ୍ତ ଜନତା ଦଳ (ଜେଡିୟୁ) ୧୨ଟି ଆସନ, ବିଜେପି ୧୬ ଓ ଏଲଜିପି ୬ଟି ଆସନରେ ବିଜୟୀ ହେବାର ସମ୍ଭାବନା ଅଛି। ପ୍ରକାଶଯୋଗ୍ୟ ଯେ ବିହାରରେ ବିଜେପି ଓ ଜେଡିୟୁ ୧୭ଟି ଲେଖାଏଁ ଆସନରେ ଓ ଏଲଜିପି ୬ଟି ଆସନରେ ନିର୍ବାଚନ ଲଢୁଛି। ଅନ୍ୟ ଏକ ସର୍ଭେରେ ଏନଡିଏ ବହୁ ଆଗରେ ରହୁଥିବା ଦେଖାଯାଇଛି।
ଟିଭି-୯ ଏବଂ ସି-ଭୋଟର ସର୍ଭେ ଅନୁସାରେ ବିହାରରେ ଏନ୍‍ଡିଏ ୪୦ ଲୋକସଭା ଆସନରୁ ୩୬ଟି ଆସନ ଓ ୟୁପିଏ ମାତ୍ର ୪ଟି ଆସନରେ ବିଜୟୀ ହେବେ। ବିହାରରେ ମହାମେଣ୍ଟରୁ ଆରଜେଡି ସର୍ବାଧିକ ୨୦ଟି ଆସନରେ, କଂଗ୍ରେସ ୯ଟି, ଭିଆଇପି ଏବଂ ଜିତନରାମ ମାଝୀଙ୍କ ପାର୍ଟି ହମ ୩ଟି ଲେଖାଏଁ, ଉପେନ୍ଦ୍ର କୁଶୱାହାଙ୍କ ଆରଏଲଏସ୍‍ପି ୫ଟି ଆସନରେ ନିର୍ବାଚନ ଲଢୁଛି।
ପ୍ରକାଶଯୋଗ୍ୟ ଯେ ବିହାରର ୪୦ ଲୋକସଭା ଆସନ ପାଇଁ ୭ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯିବ। ପ୍ରଥମ ପର୍ଯ୍ୟାୟ ମତଦାନ ଅପ୍ରେଲ ୧୧ରେ, ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଅପ୍ରେଲ ୧୮ରେ, ତୃତୀୟ ପର୍ଯ୍ୟାୟ ମତଦାନ ଅପ୍ରେଲ ୨୩ରେ ଚତୁର୍ଥ ପର୍ଯ୍ୟାୟ ମତଦାନ ଅପ୍ରେଲ ୨୯ରେ, ପଞ୍ଚମ ପର୍ଯ୍ୟାୟ ମତଦାନ ମଇ ୬ରେ, ଷଷ୍ଠ ପର୍ଯ୍ୟାୟ ମତଦାନ ମଇ ୧୨ରେ ଏବଂ ଅନ୍ତିମ ତଥା ସପ୍ତମ ପର୍ଯ୍ୟାୟ ମତଦାନ ମଇ ୧୯ରେ ହେବ।

Comments are closed.