BJD Bijuli 480×75 Mob

ଏଲଓସିରେ ପାକିସ୍ତାନ ଅଧିକ ସୈନ୍ୟ ଠୁଳ କରୁଛି

BJD Bijuli 480×75 Mob
0

ନୂଆଦିଲ୍ଲୀ : ପାକିସ୍ତାନ ବର୍ତ୍ତମାନ ନିୟନ୍ତ୍ରଣ ରେଖା (ଏଲଓସି) ନିକଟରେ ଅଧିକ ସଂଖ୍ୟକ ସୈନ୍ୟ ଠୁଳ କରୁଛି ବୋଲି ଗୁଇନ୍ଦା ସୂତ୍ରରୁ ଜଣାପଡିଛି। ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀ ଓ ଅନୁପ୍ରବେଶ ଘଟଣାକୁ ନିୟନ୍ତ୍ରଣ କରିବାକୁ କେନ୍ଦ୍ର ସରକାର ଯେଭଳି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି, ସେଥିରେ ପାକିସ୍ତାନ ଛାନିଆ ହୋଇପଡିଛି। ଭାରତୀୟ ସେନା ଶିବିର ଉପରେ ଆତଙ୍କବାଦୀ ଆକ୍ରମଣ ହେବାପରେ ଭାରତୀୟ ସୈନ୍ୟ କାଳେ ନିୟନ୍ତ୍ରଣ ରେଖା ଅତିକ୍ରମ କରି ପ୍ରତିଆକ୍ରମଣ କରିବ, ସେହି ଆଶଙ୍କାରେ ପାକିସ୍ତାନ ଏଲଓସିରେ ସୈନ୍ୟ ଠୁଳ କରୁଥିବା ଅନୁମାନ କରାଯାଉଛି। ପାକିସ୍ତାନ ବର୍ତ୍ତମାନ କୋଟଲି, ମୀରପୁର ଓ ରାୱଲପିଣ୍ଡିସ୍ଥିତ ରେଜିମେଣ୍ଟରୁ ସୈନ୍ୟଙ୍କୁ ଆଣି ଏଲଓସିରେ ମୁତୟନ କରୁଛି। ଏଲଓସିରେ ଭାରତର କେତେ ସୈନ୍ୟ ସମାବେଶ କରୁଛି, ସେ ସମ୍ପର୍କରେ ପାକିସ୍ତାନୀ ସେନା ମୁଖ୍ୟ କାର୍ଯ୍ୟାଳୟରୁ ଏହି ଆଗୁଆ ଘାଟିରେ ମୁତୟନ ହୋଇଥିବା ପାକ୍‌ ଯବାନଙ୍କୁ ନିୟମିତଭାବେ ସୂଚନା ପ୍ରଦାନ କରାଯାଉଛି।
୨୦୦୩ ନଭେମ୍ବର ୨୬ରେ ଭାରତ-ପାକ୍‌ ମଧ୍ୟରେ ସ୍ୱାକ୍ଷରିତ ଅସ୍ତ୍ରବିରତି ଉଲ୍ଲଘଂନ ଚୁକ୍ତି ପରଠାରୁ ଏଲଓସିରେ ଭାରତ ତୁଳନାରେ ପାକିସ୍ତାନୀ ସୈନ୍ୟ ସଂଖ୍ୟା ପ୍ରାୟ ପଚାଶ ପ୍ରତିଶତ କମ ରହିଆସୁଥିଲା। ତେବେ ୨୦୧୬ ସେପ୍ଟେମ୍ବରରେ ଭାରତୀୟ ସେନାର ସର୍ଜିକାଲ ଷ୍ଟ୍ରାଇକ ପରେ ପାକିସ୍ତାନ ଅତ୍ୟନ୍ତ ଭୟଭୀତ ହୋଇପଡିଥିଲା। ସେତେବେଳେ ଭାରତୀୟ ସେନାର ଦୁଇଟି କମ୍ପାନୀ ନିୟନ୍ତ୍ରଣ ରେଖା ଅତିକ୍ରମ କରି ପାକ୍‌ ଅଧିକୃତ କାଶ୍ମୀରରେ ସକ୍ରିୟ ଥିବା ଆତଙ୍କବାଦୀ ଶିବିରଗୁଡିକ ଉପରେ ଆକ୍ରମଣ କରିଥିଲା। ଏଥିରେ ପ୍ରାୟ ପଚାଶରୁ ଊର୍ଦ୍ଧ୍ବ ଆତଙ୍କବାଦୀ ନିହତ ହୋଇଥିବାବେଳେ କେତେକ ପାକିସ୍ତାନୀ ସୈନ୍ୟ ମଧ୍ୟ ପ୍ରାଣ ହରାଇଥିଲେ। ଏଲଓସିରେ ପାକିସ୍ତାନ ଅପେକ୍ଷା ଭାରତୀୟ ସୈନ୍ୟ ଅଧିକ ଚାପରେ ରହୁଥିବା ଜଣାପଡିଛି। ପ୍ରଥମତଃ ପିଓକେରୁ ପ୍ରଶିକ୍ଷଣ ପାଇଥିବା ପାକ୍‌ ଆତଙ୍କବାଦୀମାନେ ଭାରତକୁ ଅନୁପ୍ରବେଶ କରୁଥିବାବେଳେ ଦ୍ୱିତୀୟରେ ପାକିସ୍ତାନ ସୈନ୍ୟ ନିୟମିତ ବ୍ୟବଧାନରେ ଅସ୍ତ୍ରବିରତି ଉଲ୍ଲଘଂନ କରୁଛନ୍ତି। ତେଣୁ ଭାରତୀୟ ସେନାକୁ ଦୁଇଟି ଦିଗ ପ୍ରତି ସତର୍କ ଦୃଷ୍ଟି ଦେବାକୁ ପଡୁଛି। ୨୦୧୭ରେ ପାକିସ୍ତାନ ମୋଟ ୮୬୦ ଥର ଅସ୍ତ୍ରବିରତି ଉଲ୍ଲଘଂନ କରିଥିବାବେଳେ ଚଳିତବର୍ଷର ପ୍ରଥମ ଦୁଇ ମାସରେ ଏହି ସଂଖ୍ୟା ୬୩୩ ଛୁଇଁଥିଲା। ଭାରତ ପକ୍ଷରୁ ସବୁବେଳେ ଏହାର ଉଚିତ ଜବାବ ଦିଆଯାଉଛି। ତେବେ ପାକିସ୍ତାନୀ ସୈନ୍ୟଙ୍କ ଗୁଳିବର୍ଷଣରେ ଭାରତର ଯେତେ କ୍ଷତି ହେଉଛି, ସେହି ତୁଳନାରେ ପାକିସ୍ତାନର କ୍ଷତି ସମ୍ପର୍କରେ ନିର୍ଦିଷ୍ଟ ସୂଚନା ମିଳିପାରୁନାହିଁ। ଭାରତୀୟ ନାଗରିକଙ୍କ କ୍ଷତିକୁ ହ୍ରାସ କରିବା ପାଇଁ ଏଲଓସି ନିକଟବର୍ତ୍ତୀ ଅଞ୍ଚଳରେ ଶତାଧିକ ବଙ୍କର ନିର୍ମାଣ କରାଯାଉଥିବାବେଳେ ପୁରୁଣା ବଙ୍କରଗୁଡିକର ଆଧୁନିକୀକରଣ କରାଯାଇଛି। ପାକିସ୍ତାନ ପକ୍ଷରୁ ଗୁଳିଚାଳନା ସମୟରେ ସୀମାନ୍ତବର୍ତ୍ତୀ ଅଞ୍ଚଳର ଲୋକଙ୍କୁ ଏହି ବଙ୍କରରେ ଅସ୍ଥାୟୀଭାବେ ଆଶ୍ରୟ ଦିଆଯାଉଛି। ଅସ୍ତ୍ରବିରତି ଉଲ୍ଲଘଂନ ପ୍ରସଙ୍ଗ ନେଇ ଭାରତ-ପାକ୍‌ ସେନା କମାଣ୍ଡରଙ୍କ ମଧ୍ୟରେ ଏକାଧିକ ବୈଠକ ଅନୁଷ୍ଠିତ ହୋଇସାରିଥିଲେ ସୁଦ୍ଧା ପାକିସ୍ତାନ ଏଥିପ୍ରତି କର୍ଣ୍ଣପାତ କରୁନାହିଁ।

Leave A Reply