www.samajalive.in
Monday, December 15, 2025
16.1 C
Bhubaneswar

ଜୋରଧରିଲା ଐତିହ୍ୟ ଉପନିୟମ ପ୍ରତ୍ୟାହାର ପ୍ରସଙ୍ଗ : କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ବିଜେଡି ସାଂସଦ

ଭୁବନେଶ୍ୱର : ଜାତୀୟ ଐତିହ୍ୟ ଚିଠା ଉପନିୟମ ପ୍ରସଙ୍ଗରେ ରାଜ୍ୟ ରାଜନୀତି ଦିନକୁ ଦିନ ସରଗରମ ହେଉଛି। ବିଜେଡି ଓ ବିଜେପି ଏହି ପ୍ରସଙ୍ଗରେ ମୁହାଁମୁହିଁ ହୋଇଥିବାବେଳେ କଂଗ୍ରେସ ମଧ୍ୟ ପଛରେ ନାହିଁ। ରାଜନୀତିର ଗୋଳିଆ ପାଣିରେ ଐତିହ୍ୟ ସୁରକ୍ଷା ପ୍ରସଙ୍ଗ ଏକପ୍ରକାର ବାଟବଣା ହେଉଛି। ଏହି ଉପନିୟମ ଦ୍ବାରା ପ୍ରକୃତରେ ଏକାମ୍ର କ୍ଷେତ୍ରରେ ଥିବା ଐତିହ୍ୟର ସୁରକ୍ଷା ହୋଇପାରିବ କି ନାହିଁ ସେ ଉପରେ ବିତର୍କ ବଦଳରେ ଏହାର ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କ ମଧ୍ୟରେ ଲଢ଼େଇ ଦିନକୁ ଦିନ ଅଧିକ ଘନୀଭୂତ ହେଉଛି। ଆଜି ଏହି ପ୍ରସଙ୍ଗରେ ଟ୍ବିଟରରେ ରାଜ୍ୟର ଦୁଇ ସାଂସଦଙ୍କ ମଧ୍ୟରେ କଥା କଟାକଟି ହୋଇଛି।
ଉପନିୟମ ପ୍ରତ୍ୟାହାର ଦାବିରେ ଶନିବାର ବିଜେଡି ସାଂସଦମାନେ ଶନିବାର କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲାଦ ସିଂହ ଯୋଶୀ ଓ ଅର୍ଜୁନ ରାମ ମେଘୱାଲଙ୍କୁ ଭେଟିଥିଲେ। କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହଲାଦ ସିଂହ ପଟେଲ ନୂଆଦିଲ୍ଲୀରେ ନ ଥିବାରୁ ଏମାନେ ଏହି ଦୁଇ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟି ଲିଙ୍ଗରାଜ ଓ ବ୍ରହ୍ମେଶ୍ବର ମନ୍ଦିର ଉପରୁ ଅପମାନଜନକ ଚିଠା ବିଜ୍ଞପ୍ତି ପ୍ରତ୍ୟାହାର କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁରୋଧ ସମ୍ପର୍କରେ ଦୁଇ କେନ୍ଦ୍ରମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ପ୍ରସ୍ତାବିତ ଉପନିୟମ ଅନୁଯାୟୀ କୌଣସି ଐତିହ୍ୟସ୍ଥଳର ୧୦୦ ମିଟର ପରଧି ମଧ୍ୟରେ କୌଣସି ପ୍ରକାର ନିର୍ମାଣ କାର୍ଯ୍ୟ ହୋଇପାରିବନି। ଏହାଦ୍ବାରା ରାଜ୍ୟ ସରକାରଙ୍କ ବହୁ ଆକାଂକ୍ଷୀ ଏକାମ୍ର ବିକାଶ ଯୋଜନା ବନ୍ଦ ହେବାର ଆଶଙ୍କା ଉପୁଜି ଥିବାରୁ ବିଜେଡି ଏହାକୁ ପ୍ରତ୍ୟାହାର କରିବାକୁ ଦାବି ରଖିଛି। ଏହାପରେ ବିଜେଡି ସାଂସଦ ଅନୁଭବ ମହାନ୍ତି ଏହାକୁ ନେଇ ଏକ ଟ୍ୱିଟ୍ କରିଥିଲେ। ଟ୍ୱିଟ କରି ଅନୁଭବ ଲେଖିଥିଲେ ଯେ ଉପନିୟମ କଥାକୁ ନେଇ ସେ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିବାକୁ ସାଂସଦ ଅପରାଜିତାଙ୍କୁ ଡାକିଥିଲେ। କିନ୍ତୁ ସେ ସିଧାସଳଖ ଏଥିପାଇଁ ମନା କରିଦେଇଥିଲେ। ଅଣରାଜନୈତିକ ପ୍ରସଙ୍ଗରେ ବି ରାଜ୍ୟ ବିଜେପି ସହଯୋଗ କରୁନି ବୋଲି କେନ୍ଦ୍ରାପଡା ବିଜେଡି ସାଂସଦ ଟ୍ୱିଟ କରି ଲେଖିଥିଲେ।

ଏହାପରେ ଏହି ଘଟଣାକୁ ନେଇ ଭୁବନେଶ୍ୱର ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ ମଧ୍ୟ ଟ୍ୱିଟରରେ ଜବାବ ଦେଇଛନ୍ତି। ବିନା କାରଣରେ କିଛି ବି ହୁଏ ନାହିଁ। ମୁଁ ଉଚିତ୍ ସମୟରେ ଜବାବ ଦେବି। ଏଥିପାଇଁ ଦୟାକରି ଅପେକ୍ଷା କରିବାକୁ ଅପରାଜିତା ଟ୍ୱିଟ କରିଛନ୍ତି। ଏହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ପୁରୀ ପରି ଲିଙ୍ଗରାଜ ମନ୍ଦିରରୁ ମଧ୍ୟ ଉପନିୟମ ଉଠାଇବାକୁ ଦାବି ହେଉଛି।
ଉପନିୟମ ପ୍ରତ୍ୟାହାର ପ୍ରସଙ୍ଗରେ କଂଗ୍ରେସ ନେତା ନରସିଂହ ମିଶ୍ର ଆଜି ତେର୍ଚ୍ଛାବାଣ ମାରି କେନ୍ଦ୍ରମନ୍ତ୍ରୀଙ୍କୁ ନିଶାଣ କରିଛନ୍ତି। ସେ କହିଛନ୍ତି ମନ୍ଦିରଗୁଡ଼ିକର ଉନ୍ନତି ପାଇଁ ରାଜ୍ୟ ସରକାର ବହୁ ପଦକ୍ଷେପ ନେଉଛନ୍ତି। ଯେଉଁ ମନ୍ତ୍ରୀ କହୁଥିଲେ ମୁଁ ଶ୍ରୀମନ୍ଦିର ପାଇଁ ଉପନିୟମ ହଟେଇବାକୁ ପ୍ରସ୍ତାବ ଦେଲା ପରେ ହଟିଛି, ସେ ଲିଙ୍ଗରାଜ ମନ୍ଦିର ପ୍ରସଙ୍ଗରେ ଆଇନ ପଢ଼ିବାକୁ ଉପଦେଶ ଦେଉଛନ୍ତି। ଉନ୍ନତିକରଣ କାମରେ ଯିଏ ବାଧାଦେବ ରାଜ୍ୟର କ୍ଷତି ହେବ। ଧାର୍ମିକ ଭାବନାକୁ କୁଠାରଘାତ କଲା ଭଳି କାମ କରିବା ଉଚିତ ନୁହଁ ବୋଲି ଶ୍ରୀ ମିଶ୍ର କହିଛନ୍ତି।
ଏହି ପ୍ରସଙ୍ଗରେ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ କରି ଐତିହ୍ୟ ଉପନିୟମ ପ୍ରତ୍ୟାହାର କରିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାର ଜବାବ ରଖି ଉପନିୟମକୁ ଠିକ୍ ଭାବେ ଅଧ୍ୟୟନ କରିବାକୁ କହିଥିଲେ।
ବିଜେପି ସଭାନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଏହି ପ୍ରସଙ୍ଗରେ ଆଜି କହିଛନ୍ତି, ପୂର୍ବରୁ ଏହି ନିୟମ ରହିଛି। ରାଜ୍ୟ ସରକାରଙ୍କ ବିଡିଏ ଓ ଓଡିଏ ଅଧିନିୟମରେ ମଧ୍ୟ ସମାନ କଥା ରହିଛି। କୌଣସି ଐତିହ୍ୟ ସ୍ଥଳର ୧୦୦ ମିଟର ପରିଧି ଭିତରେ ନିର୍ମାଣ କାର୍ଯ୍ୟ ପାଇଁ ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା(ଏଏସଆଇ)ର ଅନୁମତି ଆବଶ୍ୟକ। କିନ୍ତୁ ରାଜ୍ୟ ସରକାର ନିଜେ ଏଏସଆଇଠାରୁ ଅନୁମତି ନ ଆଣି ଶୁକସାରୀ ମନ୍ଦିର ନିକଟରେ ନିର୍ମାଣ କାର୍ଯ୍ୟ କରୁଛନ୍ତି। ଐତିହ୍ୟ ବିନାଶରେ ସେମାନଙ୍କ ଭୂମିକା ପ୍ରଘଟ ହେବା ଭୟରେ ସେମାନେ କେନ୍ଦ୍ର ଉପରେ ଦୋଷ ଲଦୁଛନ୍ତି। କେନ୍ଦ୍ର ସହ ଆଲୋଚନା କରି ସହଜରେ ଏହାର ସମାଧାନ ହୋଇ ପାରିଥାନ୍ତି। କିନ୍ତୁ ରାଜ୍ୟ ସରକାର ନିଜ ଛବି ସଜାଡ଼ିବାକୁ ଏହାକୁ ବଡ଼ ପ୍ରସଙ୍ଗ କରୁଛନ୍ତି।

Hot this week

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

ଦିଲ୍ଲୀ ବାୟୁମଣ୍ଡଳ ସ୍ଥିତି ଉଦ୍‌ବେଗଜନକ: ଏକାଧିକ ସ୍ଥାନରେ ଏକ୍ୟୁଆଇ ୫୦୦ ଛୁଇଁଲା

ନୂଆଦିଲ୍ଲୀ: ବିଗତ କିଛି ଦିନ ଧରି ଦିଲ୍ଲୀ ସମେତ ସମଗ୍ର ଏନ୍‌ସିଆରରେ...

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

Related Articles

Popular Categories