www.samajalive.in
Monday, December 8, 2025
14.1 C
Bhubaneswar

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିଜେପି ରାଜ୍ୟ ଉପସଭାପତି

ନବରଙ୍ଗପୁର: ରାଜ୍ୟରେ ନୂଆ ମହାବିଦ୍ୟାଳୟ ନ ଖୋଲିବା ନିଷ୍ପତ୍ତିର ପୁନଃବିଚାର କରିବା ଓ ପଛୁଆ ଅଞ୍ଚଳରେ ସରକାରୀ ମହାବିଦ୍ୟାଳୟ ଖୋଲିବା ନିମନ୍ତେ ଦାବି କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠିଲେଖି ଦାବି କରିଛନ୍ତି ନବରଙ୍ଗପୁରର ପୂର୍ବତନ ସାଂସଦ ତଥା ରାଜ୍ୟ ବିଜେପି ଉପସଭାପତି ଇଂ.ବଳଭଦ୍ର ମାଝୀ। ଓଡିଶାବାସୀ ଆପଣଙ୍କ ଉପରେ ଭରଷା ରଖି ଆପଣଙ୍କୁ ୫ମ ଥର ପାଇଁ ମୁଖ୍ୟମନ୍ତ୍ରୀ କରାଇଲେ, ଯାହାକି ଏକ ବିରଳ ଦୃଷ୍ଟାନ୍ତ। ବହୁତ କମ ବ୍ୟକ୍ତିଙ୍କୁ ଲୋକଙ୍କ ସେବା କରିବା ପାଇଁ ଏପରି ସୁଯୋଗ ମିଳିଥାଏ। କିନ୍ତୁ ଓଡିଶାର ସମଭାବାପନ୍ନ ବିକାଶ କଥା ଯଦି କହିବା, ବହୁତ ପ୍ରଶ୍ନ ଉଠେ। କେବଳ ସମଭାବାପନ୍ନ ବିକାଶ କାହିଁକି, ଓଡିଶାରେ ଯେତେ ପ୍ରାକୃତିକ ସମ୍ପଦ ଅଛି, ଠିକ ଭାବରେ ବିନିଯୋଗ କରିଥିଲେ ଆଜି ଓଡିଶା ଭାରତର ଏକ ନମ୍ବର ରାଜ୍ୟ ହୋଇ ପାରିଥାନ୍ତା, ଯାହାକି ଆପଣଙ୍କ ସରକାର ବିଗତ ୨୧ ବର୍ଷ ହେଲା ପ୍ରତିଶୃତି ଦେଇ ଆସୁଛି। ଆପଣଙ୍କ ଦଳ ଗତ ୨୧ ବର୍ଷ ହେଲା ବିଜୁବାବୁଙ୍କ ସ୍ୱପ୍ନ ପୁରା କରିବାର ପ୍ରତିଶୃତି ଦେଇ ଆସୁଛି। ବିଜୁବାବୁଙ୍କ ସ୍ୱପ୍ନ କ’ଣ ଥିଲା? ବିଜୁବାବୁଙ୍କ ସ୍ୱପ୍ନ ସାକାର କରିବା ପାଇଁ ଆଉ କେତେ ବର୍ଷ ଲାଗିବ? ବର୍ତମାନ ସୁଦ୍ଧା କେଉଁ ସ୍ୱପ୍ନ ପୁରା ହୋଇଛିବୋଲି ପ୍ରଶ୍ନ କରିଛନ୍ତି। ବିଜୁବାବୁଙ୍କର ଗୋଟିଏ ସ୍ୱପ୍ନ ଥିଲା କୌଣସି ଓଡିଆ ଅଶିକ୍ଷିତ ହୋଇ ନ ରହନ୍ତୁ।ଆପଣ ବିଜୁବାବୁଙ୍କ ଦାୟାଦ। ବିଜୁବାବୁଙ୍କ ପ୍ରତି ଓଡିଆଙ୍କର ଯଥେଷ୍ଟ ସମ୍ମାନ ଅଛି। ଆପଣଙ୍କଠାରୁ ବହୁତ କିଛି ଆଶା କରି ଆପଣଙ୍କୁ ବାରମ୍ବାର ମୁଖ୍ୟମନ୍ତ୍ରୀ ପଦରେ ମହିମା ମଣ୍ଡିତ କରୁଛନ୍ତିା

ଗତ ୨୦୧୧ ଜନ ଗଣନା ଅନୁସାରେ ଭାରତର ୧୦ଟି ସର୍ବନିମ୍ନ ସାକ୍ଷର ଜିଲା ମଧ୍ୟରୁ ୩ଟା ଓଡିଶାର; ଯାହାର ସାକ୍ଷର ହାର ୫୦%ରୁ ମଧ୍ୟ କମ୍ ଓ ସେହି ସମସ୍ତ ଜିଲା ହେଉଛି ଅବିଭକ୍ତ କୋରାପୁଟରୁ ଯଥା- ନବରଙ୍ଗପୁର (୩ୟ), ମାଲକାନଗିରୀ (୫ମ) ଓ ରାୟଗଡା (୭ମ)। ବର୍ତମାନ ବେଶି କିଛି ପରିବର୍ତନ ହୋଇଥିବା ମନେ ହେଉ ନାହିଁ। ବିଗତ ଦିନରେ ବହୁତ ପ୍ରାଥମିକ ବିଦ୍ୟାଳୟ ଖୋଲା ଯାଇଥିଲେ ମଧ୍ୟ କମ ଛାତ୍ର ଉପସ୍ଥାନ ଦେଖାଇ କିଛି ବିଦ୍ୟାଳୟକୁ ବନ୍ଦ କରି ଦିଆଗଲା ଓ ଆଗାମୀ ଦିନରେ ଆହୁରି ଅନେକ ବିଦ୍ୟାଳୟକୁ ବନ୍ଦ କରିବାର ଚକ୍ରାନ୍ତ ଚାଲିଛି, ଯାହା ଅବାଞ୍ଚ୍‍ଛନୀୟ। ଏହା ବ୍ୟତୀତ ଶିକ୍ଷକ, ଶ୍ରେଣୀ ଗୃହ, ପିଇବା ପାଣି, ଶୋଚାଳୟ, ବିଜୁଳି, ଖେଳ ପଡିଆ ଆଦିର ଅଭାବ ଯୋଗୁଁ ପ୍ରାଥମିକ ଶିକ୍ଷା ବହୁତ ଭାବରେ ପ୍ରଭାବିତ ହେଉଛି। ସାକ୍ଷର ହେବା ଯଥେଷ୍ଟ ନୁହେଁ। ଲୋକେ ସୁଶିକ୍ଷିତ ହୋଇ ଯଥୋଚିତ ଉପାର୍ଜନ କରି ଭଲରେ କେମିତି ଜୀବନ ଅତିବାହିତ କରିବେ, ତାହା ସରକାରଙ୍କ ଆଭିମୁଖ୍ୟ ହେବା କଥା। ଅବିଭକ୍ତ କୋରାପୁଟ ପରି ଦୁର୍ଗମ ଓ ପଛୁଆ ଅଂଚଳରେ ଉଚ୍ଚ ଶିକ୍ଷା ଅନୁଷ୍ଠାନର ଅଭାବ ଯୋଗୁଁ ଏହା ସମ୍ଭବ ହୋଇ ପାରୁନାହିଁ।

- Advertisement -

ମହାବିଦ୍ୟାଳୟର ଅଭାବ ଯୋଗୁଁ ଅପହଞ୍ଚ ଅଞ୍ଚଳର ଛାତ୍ରଛାତ୍ରୀମାନେ ଉଚ୍ଚ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି ଓ ରୋଜଗାରର ଉପାୟ ନ ପାଇ ଅନ୍ୟ ପ୍ରଦେଶକୁ ଦାଦନ ଖଟିବାକୁ ଯିବାକୁ ବାଧ୍ୟ ହେଉଛନ୍ତି। ଉଚ୍ଚ ଶିକ୍ଷାର ଅଭାବର ପ୍ରଭାବ ଆୟରେ ପଡୁଛି। ଉଦାହରଣ ସ୍ୱରୂପ- ୧୦ଟା ବ୍ଲକକୁ ନେଇ ୧୪ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ନବରଙ୍ଗପୁର ଜିଲ୍ଲାରେ ମାତ୍ର ଗୋଟିଏ ସରକାରୀ ମହାବିଦ୍ୟାଳୟ ଅଛି ଯାହାକି ୨୦୧୬ ମସିହାରେ କେନ୍ଦ୍ର ସରକାରଙ୍କ ଅନୁଦାନରେ ନିର୍ମିତ ହୋଇଥିଲା ଓ ଏହି ଜିଲାର ମୁଣ୍ଡପିଛା ଆୟରେ ଓଡିଶାରେ ସର୍ବନିମ୍ନ ସ୍ଥାନରେ ଅଛି। ନବରଙ୍ଗପୁର ଜିଲାର ୧୦ରୁ ୬ଟା ବ୍ଲକରେ କୌଣସି ମହାବିଦ୍ୟାଳୟ ନାହିଁ। ୨୦୧୪-୧୯ ମଧ୍ୟରେ ସେ ନବରଙ୍ଗପୁରର ଲୋକସଭା ସାଂସଦ ଥିବା ସମୟରେ, ଏପରି ପଛୁଆ ଅଞ୍ଚଳର ଗରୀବ ଛାତ୍ରଛାତ୍ରୀଙ୍କ ପାଇଁ ଅତି କମରେ ପ୍ରତି ବ୍ଲକରେ ଗୋଟିଏ ସରକାରୀ ମହାବିଦ୍ୟାଳୟ ସ୍ଥାପନା ପାଇଁ ଆପଣଙ୍କ ପାଖରେ ବାରମ୍ବାର ଗୁହାରି କରିଥିଲି। ବିଜୁ ଜନତା ଦଳରୁ ଇସ୍ତଫା ଦେବା ସମୟରେ ମଧ୍ୟ ମୋ ଲେଖାରେ ଏହି ଗୁହାରୀ ଦୋହରାଇଥିଲି। ଆପଣ ମନା କଲେ ନାହିଁ କି କାମ ମଧ୍ୟ କଲେ ନାହିଁ। କିନ୍ତୁ ଏହାରି ମଧ୍ୟରେ ଅନ୍ୟ ଜାଗାରେ କିଛି ସରକାରୀ ମହାବିଦ୍ୟାଳୟ ସ୍ଥାପନ ହୋଇଛି। ଆମ୍ଭେ ଅନୁରୋଧ କଲେ କୁହାଯାଉଛି ନିଜ ଖର୍ଚ୍ଚରେ ମହାବିଦ୍ୟାଳୟ ସ୍ଥାପନ କର। ଯେଉଁ ଅଞ୍ଚଳର ୮୦% ଲୋକ ଟଙ୍କାକିଆ ଚାଉଳରେ ବଞ୍ଚନ୍ତି ସେମାନେ କ’ଣ ନିଜ ଖର୍ଚ୍ଚରେ ମହାବିଦ୍ୟାଳୟ ସ୍ଥାପନ କରିପାରିବେ? ଏପରି ଭେଦଭାବ କାହିଁକି? ଲାଗୁଛି ଏଠି ଗଣତନ୍ତ୍ର ନୁହେଁ, ’ଜୋର ଯାର ମୁଲକ ତାର’ ନୀତିରେ ଅରାଜକତା ଚାଲିଛି।

ଦୀର୍ଘ ଦିନର ଅନୁରୋଧ ପରେ ୨୦୧୮ ମସିହାରେ ନବରଙ୍ଗପୁର ଓ ମାଲକାନଗିରି ସହିତ ୧୬ଟି ଅନୁଦାନ ପ୍ରାପ୍ତ ମାହାବିଦ୍ୟାଳୟକୁ ସରକାରୀ ମାହାବିଦ୍ୟାଳୟ ଭାବେ ଘୋଷଣା କରାଗଲା। ତିନି ବର୍ଷ ବିତି ଯାଇଥିଲେ ମଧ୍ୟ ଏହି ମାହାବିଦ୍ୟାଳୟମାନଙ୍କରେ ଗୋଟିଏ ଇଟା ମଧ୍ୟ ଯୋଡା ଗଲା ନାହିଁ। ଅଥଚ, ୨୦୨୧-୨୨ ଶିକ୍ଷା ବର୍ଷ ପାଇଁ କୌଣସି ମହାବିଦ୍ୟାଳୟୁ ନ ଖୋଲିବା ପାଇଁ ଅପଣଙ୍କ ସରକାର ଆଉ ଗୋଟିଏ ପ୍ରଗତି ବିରୋଧୀ, ଜନ ବିରୋଧୀ, ଗରୀବ ବିରୋଧୀ, ନିଷ୍ପତି ନେଇଛନ୍ତି।ପ୍ରତି ବର୍ଷ ଛାତ୍ର ସଂଖ୍ୟା ବଢୁଛି ଓ ଅଧିକା ମହାବିଦ୍ୟାଳୟର ଆବଶ୍ୟକତା ଅଛି; ବିଶେଷ କରି ପଛୁଆ ଅଂଚଳରେ।

ଆପଣଙ୍କ ସରକାର ଯେତେବେଳେ ମାଗଣାରେ ଅନ୍ୟ ରାଜ୍ୟକୁ ଅକ୍ସିଜେନ ଯୋଗାଇବାର ଶ୍ରେୟ ନେଉଛି, କେବଳ ତାହା ନ କରି ମାଗଣାରେ ଗରୀବ ଛାତ୍ରଛାତ୍ରୀଙ୍କୁ ପାଠ ପଢାଇବାର ବ୍ୟବସ୍ଥା କରିଥିଲେ ବହୁତ ଭଲ ହୋଇଥା’ନ୍ତା। କିଛି ରାଜ୍ୟ ଗରୀବ ଛାତ୍ରଛାତ୍ରୀଙ୍କ ପାଇଁ ସ୍ନାତକୋତର ପର୍ଯ୍ୟନ୍ତ ମାଗଣା ପଢାଇବାର ବ୍ୟବସ୍ଥା କରିଛନ୍ତି।ପ୍ରଚାରପ୍ରସାର ପାଇଁ କିଛି ଛାତ୍ରଛାତ୍ରୀଙ୍କୁ ମାଗଣାରେ ଲାପ୍ଟପ୍ ଦେବାର ପ୍ରହସନ ନ କରି ସବୁ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ କମ୍ପ୍ୟୁଟର ଶିକ୍ଷାର ବ୍ୟବସ୍ଥା କରିଥିଲେ ସମସ୍ତ ଛାତ୍ରଛାତ୍ରୀ ଉପକୃତ ହୋଇଥା’ନ୍ତେ। କିନ୍ତୁ ଦେଖା ଯାଉଛି, କିଛି ବିଦ୍ୟାଳୟ ଓ ମହାବିଦ୍ୟାଳୟରେ କମ୍ପ୍ୟୁଟର ଥିଲେ ମଧ୍ୟ ରଖିବାକୁ ଯାଗା ନାହିଁ କିମ୍ବା ପଢାଇବାକୁ ଶିକ୍ଷକ ନାହାଁନ୍ତି।ଟଙ୍କାକିଆ ଚାଉଳ, ପକ୍କାଘର, ୧୦୮ ଆମ୍ବୁଲେନ୍ସ, ଜନନୀ ଏକ୍୍ସପ୍ରେସ୍, ମମତା ଯୋଜନା, ସ୍ୱୟଂସହାୟକ ଗୋଷ୍ଠୀ ଆଦିର ବହୁତ ରାଜନୀତି ହେଲାଣି। ମୋର ଅନୁରୋଧ, ଅନ୍ତତଃ ଏହି ଥରକ କିଛି ଲୋକାଭିମୂଖୀ କାମ କରନ୍ତୁ। ତାହାର ଉଦାହରଣ, ଉପରୋକ୍ତି ନିଷ୍ପତିକୁ ପ୍ରତ୍ୟାହାର କରିବା ସହିତ ପଛୁଆ ଅଞ୍ଚଳର ସମସ୍ତବ୍ଲକରେ ସରକାରୀ ମହାବିଦ୍ୟାଳୟ ସ୍ଥାପନାରୁ ହେଉ ବୋଲି ଦାବି କରିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories