ଲକ୍ଷ୍ମଣ ନାୟକ

ପୂଜ୍ୟ ପ୍ରଣାମ

୧୮୯୯ ନଭେମ୍ବର ୨୨ରେ ଦକ୍ଷିଣ ଓଡ଼ିଶାର ମାଲକାନାଗିରି ତେନ୍ତୁଳିଗୁମା ଗାଁରେ ଲକ୍ଷ୍ମଣ ନାୟକ ଜନ୍ମଗ୍ରହଣ କରିଥିଲେ। ଆଦିବାସୀ ଅଞ୍ଚଳରେ ବାପା ପଦ୍‌ଲାମ ନାୟକଙ୍କ ପାଖେପାଖେ ରହି ଲକ୍ଷ୍ମଣ ବହୁ କଥା ଶିଖିଥିଲେ। ବାପାଙ୍କ ଉପଦେଶ ଶୁଣି ସେ ସ୍ବାଧୀନତା ସଂଗ୍ରାମରେ ଝାସ ଦେଇଥିଲେ। ଲକ୍ଷ୍ମଣ ଗାଁରେ ସାଥିମାନଙ୍କ ସହ ମିଶି ବିଦ୍ୟାଳୟ ମରାମତି, ଛୋଟ ରାସ୍ତା, ବଗିଚା ଆଦି ତିଆରି କରୁଥିଲେ। ସେ ସମୟରେ ଜମିଦାର, ସାହୁକାରଙ୍କ ଅତ୍ୟାଚାରକୁ ସେ ଦୃଢ଼ ସ୍ବରରେ ବିରୋଧ କରିବା ଆରମ୍ଭ କଲେ। ୧୯୩୦ରେ ଲବଣ ସତ୍ୟାଗ୍ରହ ଓ ୧୯୪୨ରେ ଭାରତ ଛାଡ଼ ଆନ୍ଦୋଳନରେ ସେ ବେଶ୍ ସକ୍ରିୟ ଥିଲେ। ନିଜ ଗାଁ ସହ ଆଖପାଖ ଗାଁର ପ୍ରତିଟି କାମରେ ଲକ୍ଷ୍ମଣ ଆଗୁଆ ହୋଇ ଛିଡ଼ା ହେଉଥିଲେ। ତାଙ୍କର ଲୋକପ୍ରିୟତା ଓ ନେତୃତ୍ବରେ ବ୍ରିଟିଶ୍ ସରକାର ଈର୍ଷାପରାୟଣ ହେଲେ ଏବଂ ତାଙ୍କୁ ଅଟକାଇବାକୁ ଯୋଜନା କଲେ। ୧୯୪୨ ଅଗଷ୍ଟ ୨୧ରେ ମାଥିଲି ନିକଟରେ ଗୋଟିଏ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା ଚାଲୁଥିବା ସମୟରେ ବ୍ରିଟିଶ୍ ସେନା ଲାଠି ଓ ଗୁଳି ଚଳାଇଲେ। ୪୦ଜଣ ନିରୀହ ଲୋକ ଏଥିରେ ପ୍ରାଣ ହରାଇଲେ ଓ ୨୦୦ ରୁ ଅଧିକ ଆହତ ହେଲେ। ଏଥିପାଇଁ ଲକ୍ଷ୍ମଣ ନାୟକଙ୍କୁ ଦାୟୀ କରି ଇଂରେଜ ମିଥ୍ୟା ମକଦ୍ଦମା ରୁଜୁ କଲେ। ୧୯୪୨ ନଭେମ୍ବର ୧୩ରେ ତାଙ୍କୁ ଫାଶୀ ଦଣ୍ଡ ଆଦେଶ ହେଲା। ୧୯୪୩ ମାର୍ଚ୍ଚ ୨୯ରେ ବ୍ରହ୍ମପୁର କାରାଗାରରେ ଲକ୍ଷ୍ମଣ ନାୟକଙ୍କୁ ଫାଶୀ ଦିଆଗଲା। ଆଦିବାସୀ ସମ୍ପ୍ରଦାୟର ମଉଡ଼ମଣି ତଥା ଏହି ବୀର ସହିଦ ଚିରଦିନ ପାଇଁ ଅମର ହୋଇ ରହିଗଲେ।

Comments are closed.