ଲାଞ୍ଜିଗଡ: ଯୁଗ ବଦଳୁଛି । ଏହାସହିତ ଆଧୁନିକତା ସହିତ ତାଳ ଦେଇ ବଦଳୁଛି ମଣିଷର ସ୍ଥିତି, ଗତି ଓ ଚରିତ୍ର । କିନ୍ତୁ ଆଜି ବି ମଣିଷ ନିଜ ମନର ବାଦ୍ ଦେଇ ପାରିନାହିଁ ଆଧ୍ୟାତ୍ମିକତା ଓ ଧାର୍ମିକ ବିଶ୍ୱାସ । ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ପରି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ମାଟି, ପାଣି, ପବନ, ଗଛ, ଲତା, ପାହାଡ,ପର୍ବତ ସମସ୍ତେ ପୂଜ୍ୟ ଓ ଦେବୀ ଦେବତାର ମାନ୍ୟତା ବହନ କରନ୍ତି । ଆଧୁନିକ ମଣିଷ ଏହାକୁ ଅନ୍ଧ ବିଶ୍ୱାସ କହିପାରେ କିନ୍ତୁ ଏଥିରେ ଥିବା ଅଲୌକିକତାକୁ ଦେଖିଲେ ଆଧୁନିକତା ଓ ବିଜ୍ଞାନ ମଧ୍ୟ ନିରୁତ୍ତର ଓ ନିର୍ବାକ୍ ହୋଇଯାଏ । ଏହିପରି ଅନେକ ପର୍ବ ମଧ୍ୟରୁ ଲାଞ୍ଜିଗଡ ଅଞ୍ଚଳରେ ପାଳିତ ହେଉଥିବା ଝାମୁଯାତ୍ରାର ରହିଛି ଏକ ସ୍ୱତନ୍ତ୍ର ଆକର୍ଷଣ ।
ରାଜ୍ୟର ବିଭିନ୍ନ ଅଞ୍ଚଳରେ ଏହି ଝାମୁଯାତ୍ରା ପାଳିତ ହେଉଥିବାବେଳେ ଲାଞ୍ଜିଗଡସ୍ଥିତ ଭୈରବ ଦେବଙ୍କ ଝାମୁଯାତ୍ରାର ଏକ ଅଲୌକିକ ଆକର୍ଷଣ ଯୋଗୁଁ ଏଠାକୁ କଳାହାଣ୍ଡି, ରାୟଗଡା ତଥା ନବରଙ୍ଗପୁର ଜିଲ୍ଲାର ହଜାର ହଜାର ଶ୍ରଦ୍ଧାଳୁଙ୍କ ସୁଅ ଛୁଟେ । ଲାଞ୍ଜିଗଡ ହୋଇଯାଏ ଉତ୍ସବ ମୁଖର । ପ୍ରଥା ଅନୁଯାୟୀ ନୂଆଖାଇ(ଲାଞ୍ଜିଗଡରେ ଦଶମୀ ନୂଆଖାଇ ହୋଇଥାଏ), ଆଉ ବାସି ପର୍ବ ପାଳିତ ହେବା ପରେ ତ୍ରୟୋଦଶୀ ଦିନ ଲାଞ୍ଜିଗଡଠାରେ ଥିବା ପ୍ରସିଦ୍ଧ ଭୈରବ ମନ୍ଦିରରୁ ଭୈରବ ଦେବଙ୍କ ଖଣ୍ଡା ବାହାର କରାଯାଇ ସ୍ଥାନୀୟ ରାଜ ଉଆସକୁ ନିଆଯାଇଥାଏ । ସେଠାରୁ ପୂଜାର୍ଚ୍ଚନା ପରେ ଅଗ୍ନି ଭୈରବଙ୍କ ଗୋଟିଏ ଖଣ୍ଡା, ବାଲି ଭୈରବଙ୍କ ଗୋଟିଏ ଖଣ୍ଡା ଓ ବୁଢା ଭୈରବଙ୍କ ଦୁଇଟି ଖଣ୍ଡାକୁ ବାଲି ଘରକୁ ନିଆଯାଏ ।
ସେହି ଦିନ ହିଁ ସ୍ଥାନୀୟ ଶୁକ୍ଲିନାଳକୁ ପୂଜକମାନେ ଯାଇ ନଅଟି ଚାଙ୍ଗୁଡିରେ ବାଲି ଭର୍ତ୍ତି କରି ଆଣନ୍ତି ଓ ଲୋକଙ୍କ ଘରୁ ନଅ ପ୍ରକାର ଶସ୍ୟ ସଂଗ୍ରହ କରି ତାକୁ ବାଲି ଘରେ ରଖି ପୂଜାର୍ଚ୍ଚନା ଜାରି ରଖନ୍ତି ।ଏହା ପରେ ଅଶ୍ୱପଞ୍ଚମୀ ତିଥିରେ ଭୈରବ ଦେବଙ୍କ ଝାମୁ ଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ସହିତ ଏହାର ଆୟୋଜନ କରାଯାଇଥାଏ । ଏହା ପୂର୍ବରୁ ତିନି ଭୈରବଙ୍କ ପ୍ରତୀକ ବାଲି ଘରୁ ମୁଖ୍ୟ ମନ୍ଦିରକୁ ଯିବା ସହିତ ସେଠାରୁ ଆଜ୍ଞାମାଳ ଆଣିବା ପରେ ନିଆଁରେ ତିଆରି ଖନ୍ଦା(ଝାମି)କୁ ତିନିଥର ପ୍ରଦକ୍ଷିଣ କରି ସାରିବା ପରେ ଠାକୁରାଣୀ ଗୁଡି଼(ମନ୍ଦିର)କୁ ଯାଇ ଦେବୀଙ୍କୁ ଆମନ୍ତ୍ରଣ ଜଣାନ୍ତି । ଏହାପରେ ଠାକୁରାଣୀ ଦେବୀ ମଧ୍ୟ ସାମିଲ ହୁଅନ୍ତି ଝାମୁଯାତ୍ରାରେ ।
Related Posts
ଏହି ସମୟରେ ଚାରୋଟି କଟା କଦଳୀ ଗଛକୁ ଧଳା କପଡା ଘୋଡାଇ ପ୍ରସ୍ତୁତ କରାଯାଇଥାଏ ଗଉରୀଘର । ଯେଉଁଠି ବଡଭୋଗ (ପାରା ବଳି)ଦେବା ପରେ ଝାମୁଯାତ୍ରାର ପ୍ରସ୍ତୁତି ପର୍ବ ଶେଷ ହୁଏ । ଏହା ପରେ ତିନିଦେବତାଙ୍କ କାଳେସୀଙ୍କ ମଧ୍ୟରୁ ବାଲି ଭୈରବ ଓ ଅଗ୍ନି ଭୈରବ ଡହ ଡହ ତତଲା ରଡ ନିଆଁ ଉପରେ ପାଖାପାଖି ପଚାଶ ମିଟର ଯାଏଁ ମହାଆରାମ୍ରେ ଚାଲିଚାଲି ଯାଆନ୍ତି । ଏହି ସମୟରେ ଶ୍ରଦ୍ଧାଳୁଙ୍କ ହର୍ଷଧ୍ୱନୀ ସହିତ ଘୁମୁରା, ବଜାଶାଲ ଓ କୀର୍ତ୍ତନର ଶବ୍ଦ ଗୁଞ୍ଜରି ଉଠେ । ଏହି ଦୃଶ୍ୟ ଦେଖିବାବେଳକୁ ସମସ୍ତଙ୍କ ଲୋମଟାଙ୍କୁରି ଉଠେ । ଜଣେ ସାଧାରଣ ମଣିଷ ଉପରେ ଦେବୀ ସବାର ହୋଇ ନିଆଁରେ ଚାଲିବା ଦେଖିଲେ ଅବିଶ୍ୱାସୀ ହେଲେ ସୁଦ୍ଧା ଦୈବୀଶକ୍ତି ଆଗରେ ଆପେ ଆପେ ମୁଣ୍ଡ ନଇଁଯାଏ ।
ସେହିପରି ଅତ୍ୟନ୍ତ ତୀକ୍ଷ୍ଣ ଝାମେରା କଣ୍ଟାରେ ତିଆରି ଦୋଳିରେ ଝୁଲନ୍ତି ତିନି ଭୈରବଙ୍କ କାଳେସୀ । ଯାହା ଦେଖିବା ମାତ୍ରକେ ଜଣେ ନାସ୍ତିକ ମନରେ ବି ସ୍ୱତଃ ଭୈରବ ଦେବଙ୍କ ପ୍ରତି ଭକ୍ତିଭାବ ସୃଷ୍ଟି ହୋଇଯାଏ । ଏହା ସହିତ ଭୈରବଙ୍କ କାଳେସୀମାନେ ଝାମୁଯାତ୍ରା ପୂର୍ବଦିନ ଏକ କଞ୍ଚା ମାଠିଆରେ ବସି ଲୋକଙ୍କୁ ଦର୍ଶନ ଦେଇଥାନ୍ତି । ଏହାପରେ ଯାତ୍ରା ସରିଲା ପରେ ଏଠାରେ ଯୋଗ ଦେଇଥିବା ତଥା ମାନସିକ କରିଥିବା ଲୋକଙ୍କ ଦ୍ୱାରା ଶହ ଶହ କୁକୁଡା, ପାରା, ବତକ, ଛେଳି ଓ ପୋଢ ଆଦି ବଳି ଦିଆଯାଇଥାଏ । ପୂଜକ ରାଜେନ୍ଦ୍ର ପ୍ରଧାନୀ , ଅଭିମନ୍ୟୁ ପାତ୍ର , ଜମ୍ବେଶ୍ୱର ପୂଜାରୀ ଡମ୍ବରୁଧର ବନ୍ଧପାରିଆ , ପରମାନନ୍ଦ ପାତ୍ର , ଚନ୍ଦ୍ର ଶେଖର ଦଳପତି ପ୍ରମୁଖ ପୂଜା ଅର୍ଚ୍ଚନାରେ ସାମିଲ ହୋଇଥିଲେ ।
ଏହିପରି ଏକ ନିଆରା ପରମ୍ପରା ଲାଞ୍ଜିଗଡ ଅଞ୍ଚଳରେ ଶହ ଶହ ବର୍ଷ ଧରି ଚାଲି ଆସିିଛି । ଏହାକୁ ନେଇ ଲାଞ୍ଜିଗଡ ତଥା ଏହାର ଆଖପାଖ ଅଞ୍ଚଳରେ ମଧ୍ୟ ଉତ୍ସାହ ଦେଖାଦେଇଛି । ଏହି ଝାମୁଯାତ୍ରାକୁ ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ଲାଞ୍ଜିଗଡ ପୁଲିସ ତରଫରୁ ବ୍ୟପକ ବନ୍ଦବସ୍ତ ହୋଇଥିଲା । ସେହିପରି ବଳଭଦ୍ରପୁର ଏବଂ ବିଶ୍ୱନାଥପୁର ଠାରେ ମଧ୍ୟ ଝାମୁଯାତ୍ରା ପାଳିତ ହୋଇଯାଇଛି ।
Comments are closed.