ମାଚୁଲ ଜଙ୍ଗଲରେ ବାଘ ଆତଙ୍କ; ବନ ବିଭାଗ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି
ଲାଞ୍ଜିଗଡ଼: କଳାହାଣ୍ଡି ଜିଲା ଦକ୍ଷିଣ ବନଖଣ୍ଡ ବିଶ୍ୱନାଥପୁର ରେଞ୍ଜ ମୂଷାନାଳ ସେକ୍ସନ ମୂଷାନାଳଠାରୁ ଭବାନୀପାଟଣାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ମାଚୁଲ ଜଙ୍ଗଲ ଗଦଗଦା ଜଳପ୍ରପାତ ନିକଟରେ ଏକ ଚିତାବାଘ ବୁଲୁଥିବା ଦେଖିବାକୁ ମିଳିଛି। ମୂଷାନାଳ ଦେଇ ଭବାନୀପାଟଣା ଯାଉଥିବା ଲୋକେ ବାଘକୁ ଦେଖି ଭୟଭୀତ ହୋଇଛନ୍ତି। ଏପରିକି ମାଚୁଲ ଜଙ୍ଗଲକୁ ଲାଗି ରହିଥିବା ଜାମଛୁଆ, ଯୁବାଗାଁ, ମାଚୁଲ, ଡାହାଣୀପଦର, କଣ୍ଡାମା, ମୁଷାନାଳ ଆଦି ଅଞ୍ଚଳରେ ବାଘ ଡରରେ ସନ୍ଧ୍ୟା ହେଲେ ତାଟିକବାଟ ପଡ଼ିଯାଉଛି। ଅଞ୍ଚଳର ୫ଟି ଗାଁର ଲୋକେ ପ୍ରତିଦିନ ବ୍ୟାଙ୍କ କିମ୍ବା ପଞ୍ଚାୟତ କାର୍ଯ୍ୟାଳୟକୁ ଯିବାକୁ ହେଲେ ମାଚୁଲ ଜଙ୍ଗଲ ଦେଇ ମୂଷାନାଳକୁ ଯିବା ସହିତ ସନ୍ଧ୍ୟାରେ ଫେରନ୍ତି। କିନ୍ତୁ ସନ୍ଧ୍ୟା ସମୟରେ ଜଙ୍ଗଲ ରାସ୍ତା ଦେଇ ବାଘ ଡରରେ ନିଜ ଘରକୁ ଯିବାପାଇଁ ଲୋକମାନେ ଭୟଭୀତ ହୋଇପଡ଼ୁଛନ୍ତି। ଗତ ୨୮ ତାରିଖରେ ମୂଷାନାଳ ନିକଟସ୍ଥ ତୁର୍କା ଗାଁର ପାଞ୍ଚଟି ଛେଳିକୁ ବାଘ ଖାଇଦେଇଥିବା ଅଭିଯୋଗ ହୋଇଛି। ଅଞ୍ଚଳରେ ବାଘ ଚଳପ୍ରଚଳ ହେଉଥିବା ସଂପର୍କରେ ଖବର ପାଇ ସୋମବାର ବନବିଭାଗ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଥିବା ଜଣାପଡ଼ିଛି।
Comments are closed.