କଳାହାଣ୍ଡି ଜିଲ୍ଲାରେ ବିରଳ ଅସ୍ତ୍ରୋପଚାର, ରୋଗୀ ସମ୍ପୂର୍ଣ୍ଣ ସୁସ୍ଥ

ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲାର ଭବାନୀପାଟଣାସ୍ଥିତ ମା’ ମାଣିକେଶ୍ୱରୀ ମଲ୍ଟିସ୍ପେସାଲିଟି ହସ୍ପିଟାଲରେ ଅସ୍ଥିଶଲ୍ୟ ଡାକ୍ତର କୃଷ୍ଣଚନ୍ଦ୍ର ସାହୁଙ୍କ ଦ୍ଵାରା ଗୋଡ଼ ଜଙ୍ଘ ହାଡ଼ ଭାଙ୍ଗି ଯାଇଥିବା ଜୈନିକ ରୋଗୀର ସଫଳ ଅସ୍ତ୍ରୋପଚାର କରିଛନ୍ତି । ଏହାପରେ ରୋଗୀ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଧୀରେ ଧୀରେ ଚାଲିବା ଆରମ୍ଭ କରିବା ଘଟଣା ସାରା ଜିଲ୍ଲାରେ ଆଲୋଚନାର ବିଷୟ ହୋଇଛି । କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ ବ୍ଲକ ବିଶ୍ୱନାଥପୁର ଥାନା ଅଧିନସ୍ଥ ମୁସାନାଲ ଗ୍ରାମର ଗୋବିନ୍ଦ ପାତ୍ର(୮୪) ଗତ ଦୁଇ ମାସ ତଳେ ପଡିଯିବାରୁ ତାଙ୍କର ବାମପଟ ଗୋଡର ଜଙ୍ଘର ଜଏଣ୍ଟଠାରୁ ଭାଙ୍ଗି ଯାଇଥିଲା । ସେ ଦୁଇମାସ ଧରି ଚେରମୂଳି ଔଷଧ ବ୍ୟବହାର କରିବା ସହିତ ଚାଲି ବୁଲି ପାରୁ ନଥିବାରୁ ଖଟରେ ପଡିରହିଥିଲେ । ବାଧ୍ୟହୋଇ ଗୋବିନ୍ଦଙ୍କୁ ତାଙ୍କ ପରିବାର ସଦସ୍ୟ ଭବାନୀପାଟଣା ଘୋଡାଘାଟଛକ ନିକଟସ୍ଥ ମା’ ମାଣିକେଶ୍ୱରୀ ହସ୍ପିଟାଲରେ ୬/୧୦/୨୦୨୩ରେ ଭର୍ତ୍ତି କରିଥିଲେ । ଅସ୍ଥିଶଲ୍ୟ ବିଭାଗ ଡାକ୍ତର କୃଷ୍ଣଚନ୍ଦ୍ର ସାହୁ ଗୋବିନ୍ଦଙ୍କୁ ଯାଞ୍ଚ କରିବା ସହିତ ୯/୧୦/୨୦୨୩ ରେ ଗୋବିନ୍ଦଙ୍କ ଅସ୍ତ୍ରୋପଚାର କରି ବାମ ଗୋଡ ଜଙ୍ଘର ଜଏଣ୍ଟ ହାଡକୁ ପରିବର୍ତ୍ତନ(ଟିଏଚଆର ଅପରେସନ) କରିଥିଲେ । ଜଣେ ୮୪ ବର୍ଷର ବୃଦ୍ଧାଙ୍କର ଏପରି ଅସ୍ତ୍ରୋପଚାର କରାଯାଇ ଗୋଡ ଜଙ୍ଘର ଜଏଣ୍ଟ ହାଡକୁ ପରିବର୍ତ୍ତନ ସଫଳତାର ସହିତ କରିବା ଘଟଣା କଳାହାଣ୍ଡି ଜିଲ୍ଲାରେ ପ୍ରଥମ କହିଲେ ଅତ୍ୟୁକ୍ତି ହେବ ନାହିଁ । ଗୋବିନ୍ଦ ବର୍ତ୍ତମାନ ପୂର୍ବ ପରି ଚାଲିପାରିବା ଫଳରେ ସେ ନିଜେ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ମନରେ ନାହିଁ ନଥିବା ଖୁସି ଦେଖିବାକୁ ମିଳିଛି । ଏଥିସହ ସଫଳ ଅସ୍ତ୍ରୋପଚାର କରି ନୂତନ ଜୀବନ ଦେଇଥିବା ଡାକ୍ତର କୃଷ୍ଣଚନ୍ଦ୍ର ସାହୁ ଏବଂ ଅନ୍ୟ ସହଯୋଗୀମାନଙ୍କୁ କୃତଜ୍ଞତା ଜଣାଇଛନ୍ତି ।

Comments are closed.