ଲାହୋରରେ ଆତ୍ମଘାତୀ ବିସ୍ଫୋରଣ; ୧୦ ମୃତ

0

ଲାହୋର : ପାକିସ୍ତାନର ଲାହୋର ସହରରେ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ବାସଭବନ ନିକଟରେ ଏକ ଆତ୍ମଘାତୀ ବିସ୍ଫୋରଣ ଘଟି ୧୦ ଜଣ ପ୍ରାଣ ହରାଇଥିବାବେଳେ ୨୫ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୬ ଜଣ ପୁଲିସ କର୍ମଚାରୀ ଥିବା ଜଣାପଡିଛି। ଆହତଙ୍କ ମଧ୍ୟରେ କେତେକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଉଛି। ଏହି ବିସ୍ଫୋରଣ ପାଇଁ ତେହେରିକ୍‌-ଇ-ତାଲିବାନ ସଂଗଠନ ନିଜକୁ ଦାୟୀ କରିଛି। ପାକିସ୍ତାନ ରାଷ୍ଟ୍ରପତି ମାମନ ହୁସେନ ଏହି ଘଟଣାକୁ ତୀବ୍ର ନିନ୍ଦା କରିବା ସହ ମୃତକଙ୍କ ପରିବାର ପ୍ରତି ସମବେଦନା ଜ୍ଞାପନ କରିଛନ୍ତି।

ବୁଧବାର ବିଳମ୍ବିତ ରାତିରେ ସରିଫଙ୍କ ବାସଭବନର ଅନତିଦୂରରେ ଥିବା ଏକ ପୁଲିସ ଫାଣ୍ଡି ନିକଟରେ ଏହି ବିସ୍ଫୋରଣ ଘଟିଥିଲା। ଚାରିଜଣ ସଶସ୍ତ୍ର ଆତଙ୍କବାଦୀ ସେଠାରେ ଥିବା ତାବ୍‌ଲିଘି ଜମାତ୍‌ଠାରେ ଚାଲିଥିବା ଉତ୍ସବ ସ୍ଥଳକୁ ପ୍ରବେଶ କରିବାକୁ ଉଦ୍ୟମ କରୁଥିବାବେଳେ ପୁଲିସ ସେମାନଙ୍କୁ ଅଟକାଇଥିଲା। ତିନିଜଣ ଆତଙ୍କବାଦୀ ଘଟଣାସ୍ଥଳରୁ ପଳାଇ ଯାଇଥିବାବେଳେ ଅନ୍ୟ ଆତଙ୍କବାଦୀ ଜଣକ ଶରୀରରେ ଖଞ୍ଜିଥିବା ବୋମାକୁ ବିସ୍ଫୋରଣ କରିଥିଲା। ଏହି ଆତଙ୍କବାଦୀ ନାବାଳକ ଥିଲା ବୋଲି ପଞ୍ଜାବ ପୁଲିସ ଆଇଜି ସୂଚନା ଦେଇଛନ୍ତି। ଘଟଣା ସମୟରେ ଉକ୍ତ ଫାଣ୍ଡିରେ ୨୦ ଜଣ ପୁଲିସ କର୍ମଚାରୀ ଉପସ୍ଥିତ ଥିଲେ।

ବିସ୍ଫୋରଣର ପ୍ରଭାବ ଏତେ ଶକ୍ତିଶାଳୀ ଥିଲା ଯେ, ଏହାର ଶବ୍ଦ ପ୍ରାୟ ପାଞ୍ଚ କିମି ଦୂରକୁ ଶୁଣାଯାଇଥିଲା। ଆସନ୍ତା ସପ୍ତାହରେ ଲାହୋରରେ ପାକିସ୍ତାନ ସୁପର ଲିଗ୍‌ କ୍ରିକେଟ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲ ମ୍ୟାଚ ଖେଳାଯିବ। ମ୍ୟାଚ ପୂର୍ବରୁ ଏଭଳି ବିସ୍ଫୋରଣ ଘଟିଥିବାରୁ ସହରରେ ନିରାପତ୍ତା ବ୍ୟବସ୍ଥାକୁ ଅଧିକ କଡାକଡି କରାଯାଇଥିବା ପ୍ରକାଶ।

Leave A Reply