୭ଦିନରେ କୃଷି ଋଣ ଛାଡ଼ କରି ନ ପାରିଲେ ଇସ୍ତଫା ଦେବି : କୁମାରସ୍ୱାମୀ

0

ବେଙ୍ଗାଲୁରୁ : ଆସନ୍ତା ସାତ ଦିନ ମଧ୍ୟରେ କର୍ଣ୍ଣାଟକ ଚାଷୀଙ୍କ ଋଣ ଛାଡ଼ କରିନପାରିଲେ ନିଜ ପଦରୁ ଇସ୍ତଫା ଦେବେ ବୋଲି ମୁଖ୍ୟମନ୍ତ୍ରୀ ଏଚ.ଡି. କୁମାରସ୍ୱାମୀ ରବିବାର ଘୋଷଣା କରିଛନ୍ତି। କୁମାରସ୍ୱାମୀ କହିଛନ୍ତି ଯେ ଜେଡିଏସ୍‍ ନିର୍ବାଚନ ଘୋଷଣାପତ୍ରରେ କୃଷକଙ୍କ ଋଣ ଛାଡ଼ କରିବାକୁ ଉଲ୍ଲେଖ କରାଯାଇଥିଲା। ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପ୍ରସଙ୍ଗରେ କଂଗ୍ରେସ ନେତାଙ୍କ ସହ ଆଲୋଚନା କରିବାର ଅଛି। ସେହି ସମୟରେ ଋଣ ଛାଡ଼ ନେଇ ଆଲୋଚନା କରିବି। ଯଦି ଗୋଟିଏ ସପ୍ତାହ ମଧ୍ୟରେ ଚାଷୀଙ୍କ ଋଣ ଛାଡ଼ ପ୍ରତିଶ୍ରୁତି ପୂରଣ କରିପାରିବି ନାହିଁ ତେବେ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିଦେବି। ଅନ୍ୟପକ୍ଷରେ ବିରୋଧୀ ଦଳ ନେତା ବି.ଏସ୍‍ ୟେଦୁରପ୍ପା ବିଧାନସଭାରେ ତୁରନ୍ତ ଚାଷୀଙ୍କ ଋଣ ଛାଡ଼ କରିବାକୁ ଦାବି କରିଛନ୍ତି। ଏହାସହ କୁମାରସ୍ୱାମୀ କହିଛନ୍ତି ଯେ ଆମେ କଂଗ୍ରେସର ଦୟାରେ ସରକାର ଗଠନ କରିଛୁ। ଜେଡିଏସ୍‍ ଆବଶ୍ୟକ ବହୁମତ ପାଇନାହିଁ ଓ କଂଗ୍ରେସ ସମର୍ଥନରେ ସରକାର ଗଢିଛି। ନିର୍ବାଚନ ଘୋଷଣାପତ୍ରରେ ଦେଇଥିବା ପ୍ରତିଶ୍ରୁତି ପୂରଣ ପାଇଁ କଂଗ୍ରେସ ସହ ଆଲୋଚନା କରୁଛି। ଚାଷୀ ଆତ୍ମହତ୍ୟା ନକରି ଧୈର୍ଯ୍ୟ ରଖନ୍ତୁ। ସପ୍ତାହେ ମଧ୍ୟରେ ଋଣ ଛାଡ଼ର ଘୋଷଣା କରିବି। ନହେଲେ ନିଜ ପଦରୁ ଇସ୍ତଫା ଦେଇଦେବି। କେହି ମୋତେ ପଦ ଛାଡ଼ିବାକୁ କହିବା ପୂର୍ବରୁ ମୁଁ ଇସ୍ତଫା ଦେଇଦେବି। ଏହାସହ ୟେଦୁରପ୍ପା ଚାଷୀଙ୍କୁ ଉସକାଉଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ଯେପର୍ଯ୍ୟନ୍ତ ସେ ମୁଖ୍ୟମନ୍ତ୍ରୀ ଅଛନ୍ତି ସେ ପର୍ଯ୍ୟନ୍ତ ଚାଷୀଙ୍କୁ ବିଜେପି ଭଳି ଶକ୍ତିଠାରୁ ଦୂରରେ ରଖିବେ ଓ ଚାଷୀଙ୍କ ହିତର ଧ୍ୟାନ ରଖାଯିବ ବୋଲି କୁମାରସ୍ୱାମୀ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଶାସନକୁ ଆସିବାର ୨୪ ଘଣ୍ଟା ମଧ୍ୟରେ କୃଷିଋଣ ଛାଡ଼ କରାଯିବ ବୋଲି ଜନତା ଦଳ (ଏସ୍‍) ନିଜ ନିର୍ବାଚନ ଘୋଷଣାପତ୍ରରେ ପ୍ରତିଶ୍ରୁତି ଦେଇଥିଲା।

Leave A Reply