ପ୍ରଦ୍ୟୁତ ମହାନ୍ତି କୁଚିଣ୍ଡା ଏନଏସି ଅଧ୍ୟକ୍ଷ ନିର୍ବାଚିତ
କାଉନସିଲର ନିର୍ବାଚନରେ ୯ ବିଜେଡି , ୨ ବିଜେପି
କୁଚିଣ୍ଡା: କୁଚିଣ୍ଡା ବିଜ୍ଞାପିତ ପରିଷଦ(ଏନଏସି) ନିର୍ବାଚନରେ ଆଜି ବିଜେଡି ପ୍ରାର୍ଥି ପ୍ରଦ୍ୟୁତ କୁମାର ମହାନ୍ତି ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପିର ସୁଶିଲ କୁମାର କରଙ୍କୁ ୧୦୪୮ଭୋଟରେ ପରାସ୍ତ କରି ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ଆଜି କୁଚିଣ୍ଡା ଟାଉନ ହଲ ପରିସରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଭୋଟ ଗଣତି କାର୍ଯ୍ୟ ସମ୍ପନ ହୋଇଥିଲା। ଏଥିରେ ପ୍ରଦ୍ୟୁତ କୁମାର ମହାନ୍ତି ୪୫୧୪ଗୋଟି ଭୋଟ ପାଇଥିବା ବେଳେ ବିଜେପିର ସୁଶିଲ କୁମାର କର ୩୪୬୬ ଭୋଟ ପାଇଥିଲେ। କଂଗ୍ରେସର ପ୍ରାର୍ଥୀ ତଥା ପୂର୍ବତନ ନଗରପାଳ ଅଖିଳ ପ୍ରତାପ ସିଂ ୯୩୧ ଭୋଟ ପାଇଥିଲେ। ଆମ୍ ଆଦମୀ ପାର୍ଟିର ପ୍ରାର୍ଥୀ ଲିଙ୍କନ କିଣ୍ଡୋ ୯୭ଭୋଟ ପାଇଥିଲେ। ସ୍ୱାଧୀନ ପ୍ରାର୍ଥୀ ହରେକୃଷ୍ଣ ମହାପାତ୍ର ୧୦୬ଭୋଟ, ଭିମରାଜ ପ୍ରସାଦ ୩୯ଭୋଟ, ନିଳୋତ୍ପଳା କୁସୁମ ୫୩ ଭୋଟ ପାଇଥିବା ଜଣାଯାଇଛି। ୫୭ଗୋଟି ଭୋଟ ନୋଟାରେ ପଡିଥିବା ଜଣାଯାଇଛି। ପରିଷଦ ନିର୍ବାଚନରେ ଅଧ୍ୟକ୍ଷ ପଦବୀ ସକାଶେ ବିଜେଡି ଓ ବିଜେପି ମଧ୍ୟରେ କଡା ମୁକାବିଲା ମଧ୍ୟରେ ନିର୍ବାଚନ ହୋଇଥିବା ଦେଖାଯାଇଥିଲା। ନିର୍ବାଚନରେ ବିଜେଡି ସପକ୍ଷରେ ଶତକଡା ୪୮.୭୩% ମତଦାନ ଯାଇଥିବା ବେଳେ ବିଜେପି ସପକ୍ଷରେ ଶତକଡା ୩୭.୪୧% ଭାଗ ମତଦାନ ଯାଇଥିବା ଦେଖାଯାଇଛି। ଏହି ନିର୍ବାଚନରେ କଂଗ୍ରେସ ଦୁର୍ବଳ ରହିଥିଲେ ମଧ୍ୟ ପ୍ରାର୍ଥିଙ୍କ ସ୍ୱତନ୍ତ୍ର ପରିଚୟ ଯୋଗୁଁ ଅଖିଳ ପ୍ରତାପ ସିଂ ୧୦.୦୫% ଭୋଟ ପାଇଥିବା ଦେଖାଯାଇଛି। ଆମ ଆଦମୀ ପାର୍ଟି ଏକ ଦଳ ହୋଇଥିଲେ ମଧ୍ୟ ଶତକକୁ ପହଞ୍ଚିନଥିବା ଦେଖାଯାଇଛି। ନିର୍ବାଚନ ପରେ ବିଜେଡି ମହଲରେ ଆନନ୍ଦର ଲହରୀ ଖେଳି ଯାଇଛି। ସଂଦ୍ଧ୍ୟାରେ ଶ୍ରୀ ମହାନ୍ତି ବିରାଟ ପଟୁଆରରେ ଶୋଭାଯାତ୍ରା କରିଥିବା ଦେଖାଯାଇଥିଲା। ସହରବାସୀଙ୍କ ମତଦାନରେ ବିଜୟୀ ହୋଇଥିବାରୁ ସେ ସମସ୍ତଙ୍କୁ ଶୋଭାଯାତ୍ରାରେ ସାଧୁବାଦ ଜଣାଇଥିବା ଦେଖାଯାଇଥିଲା। ଏହି ଶୋଭାଯାତ୍ରାରେ ସମ୍ବଲପୁର ଜିଲାପରିଷଦ ଅଧ୍ୟକ୍ଷା କୁମୁଦିନି ନାଏକ, କୁଚିଣ୍ଡା ବ୍ଲକ ଅଧ୍ୟକ୍ଷ ଭୂବନେଶ୍ୱର କିସାନ, ସମେତ ନବ ନିର୍ବାଚିତ କାଉନସିଲର ଓ ଦଳୀୟ ସମର୍ଥକ ମାନେ ସହର ପରିକ୍ରମା କରିଥିବା ଦେଖାଯାଇଥିଲା।
କୁଚିଣ୍ଡା ପୌର ପରିଷଦ ନିର୍ବାଚନରେ ୧୧ଗୋଟି ୱାର୍ଡ ମଧ୍ୟରୁ ୯ଗୋଟି ୱାର୍ଡରେ ବିଜେଡି ବିଜୟୀ ହୋଇଥିବା ବେଳେ ମାତ୍ର ୨ଗୋଟି ୱାର୍ଡରେ ବିଜେପି ବିଜୟୀ ହୋଇଛି। ନିର୍ବାଚନରେ ବିଜେପିର ୱାର୍ଡନଂ ୫ ଓ ୱାର୍ଡନଂ ୮ ର ବିଜେପି ପ୍ରାର୍ଥି ବିଜୟୀ ହୋଇଥିବା ବେଳେ ଅନ୍ୟ ସମସ୍ତ ୯ଗୋଟି ୱାର୍ଡର ବିଜେଡି ପ୍ରାର୍ଥୀମାନେ ବିଜୟୀ ହୋଇଥିଲେ। ପୂର୍ବତନ କାଉନସିଲର ନବୀନ ହୋତା ୱାର୍ଡନଂ ୯ରୁ ବିଜୟୀ ହୋଇଛନ୍ତି।
Comments are closed.