ସମାଜ ଲାଇଭ ଡ଼େସ୍କ : ଆଜି ଅଯୋଧ୍ୟା ରାମ ମନ୍ଦିରରେ ଧ୍ଵଜା ଆରୋହଣ କରାଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାମ ମନ୍ଦିର ଶିଖରରେ ପବିତ୍ର ପତାକା ଉତ୍ତୋଳନ କରିବେ । ଏଥିପାଇଁ ଅନେକ ସାଧୁ ମାନଙ୍କୁ ନିମନ୍ତ୍ରଣ କରାଯାଇଛି । ସାଧୁ, ବିଶିଷ୍ଟ ବ୍ୟକ୍ତି ଏବଂ ରାମ ଜନ୍ମଭୂମି ଟ୍ରଷ୍ଟର ସଦସ୍ୟଙ୍କ ଉପସ୍ଥିତିରେ ମୋଦୀ ରାମ ମନ୍ଦିରରେ ଧାର୍ମିକ ପତାକା ଉତ୍ତୋଳନ କରିବେ । ରାମ ମନ୍ଦିର ଟ୍ରଷ୍ଟ ଏହି ଐତିହାସିକ କାର୍ଯ୍ୟକ୍ରମ ପାଇଁ ପ୍ରାୟ ୬,୦୦୦ ଅତିଥିଙ୍କୁ ନିମନ୍ତ୍ରଣ କରିଥିବା ସୂଚନା ରହିଛି । ତେବେ ରାମଲାଲ୍ଲାଙ୍କ ମନ୍ଦିର ଶିଖରରେ ଶୋଭା ପାଇବାକୁ ଥିବା ଧ୍ଵଜା ବିଷୟରେ ଜାଣନ୍ତୁ ।
ମନ୍ଦିରର ଶିଖରରେ ଗେରୁଆ ରଙ୍ଗର ଧ୍ଵଜା ଆରୋହଣ କରାଯିବ । ଧ୍ଵଜାଟି ହିନ୍ଦୁଧର୍ମ ଅନୁଯାୟୀ ଦକ୍ଷିଣକୋଣୀ ରହିବ । ଗେରୁଆ ରଙ୍ଗ ସହିତ ଦକ୍ଷିଣକୋଣୀ ଧ୍ଵଜା ସୂର୍ଯ୍ୟଙ୍କ ପ୍ରତୀକ ବହନ କରିବ । ୧୯୧ ଫୁଟ ଉଚ୍ଚତାରେ ମନ୍ଦିର ଶିଖରରେ ୨୨ ଫୁଟ ଓସାରର ଏହି ଧ୍ଵଜା ସ୍ଥାପନ ହେବ । ଏହାର ଓଜନ ପ୍ରାୟ ୧୧ କେଜି । ଧ୍ଵଜାରେ ରହିଛି ପ୍ରଭୁ ରାମଙ୍କ ପ୍ରତୀକ । ଧ୍ଵଜାରେ ‘ଓମ୍’ ଚିହ୍ନ ଖୋଦିତ ରହିଛି ।
ଏହି ଧ୍ଵଜାକୁ ପାରମ୍ପରିକ ଉତ୍ତର ଭାରତୀୟ ନାଗରା ସ୍ଥାପତ୍ୟ ଶୈଳୀରେ ନିର୍ମିତ ‘ଶିଖର’ ଉପରେ ସ୍ଥାପନ କରାଯିବ । ୩ଟି ଲେୟାର ଫେବ୍ରିକରେ ଏହି ଧ୍ଵଜା ତିଆରି ହୋଇଛି ଓ ଏହାକୁ ନିର୍ମାଣ ଲାଗି ୨୫ ଦିନ ସମୟ ଲାଗିଛି । ଏହି ଧ୍ଵଜା ଅହମ୍ମଦାବାଦରେ ତିଆରି ହୋଇଛି ।



