ନିର୍ମାଣ ହେବ ଅତ୍ୟାଧୁନିକ ଇ-ରେକର୍ଡ ରୁମ୍‍

0

କଟକ : କଟକ ମହାନଗର ନିଗମରେ ସମସ୍ତ ନଥିପତ୍ରଗୁଡ଼ିକୁ ଡିଜିଟାଲାଇଜ୍‍ଡ କରାଯିବ। ଏଥିପାଇଁ ସିଏମ୍‍ସି ଆଧୁନିକ ଇ-ରେକର୍ଡ ରୁମ୍‍ ନିର୍ମାଣ କରିବ। ୫୦ ଲକ୍ଷ ଟଙ୍କା ବ୍ୟୟରେ ରେକର୍ଡ ରୁମ୍‍ ନିର୍ମାଣ କରାଯିବ ବୋଲି ଜଣାପଡ଼ିଛି।
୫୯ଟି ୱାର୍ଡର ପରିମଳଠାରୁ ଆରମ୍ଭ କରି ଭତ୍ତା ପର୍ଯ୍ୟନ୍ତ ଅର୍ଦ୍ଧାଧିକ କାର୍ଯ୍ୟ ସିଏମ୍‍ସିରେ କରାଯାଉଛି। କର୍ପୋରେସନ୍‍ ହେବା ପୂର୍ବରୁ ବହୁ ମୂଲ୍ୟବାନ ନଥିଗୁଡ଼ିକ ଚୌଧୁରୀବଜାରସ୍ଥିତ ରେକର୍ଡ ରୁମ୍‍ରେ ରହିଛି। ଏହି ରେକର୍ଡ ରୁମ୍‍ ଏକପ୍ରକାର ବିଲୁପ୍ତ ଅବସ୍ଥାରେ ଥିବାରୁ ନଥିଗୁଡ଼ିକ ନଷ୍ଟ ହେବାକୁ ଲାଗିଲାଣି। ଏପରିକି ବର୍ଷା ହେଲେ ଛାତରୁ ପାଣି ଗଳିବା ଯୋଗୁଁ ବର୍ଷକୁ ବର୍ଷ ନଥିଗୁଡ଼ିକ ନଷ୍ଟ ହେଉଛି। ଏଠାରେ ଗରିବୀ ଦୂରୀକରଣ, ଗୃହ ଟିକସ, ଜନ୍ମ ମୃତ୍ୟୁ ପଞ୍ଜୀକରଣ, ଦୋକାନ ବଜାର ଲାଇସେନ୍ସ ସମ୍ବନ୍ଧୀୟ, ବିବାହ ପଞ୍ଜୀକରଣଠାରୁ ଆରମ୍ଭ କରି ଅନେକ ଜନସ୍ୱାର୍ଥ ସମ୍ବଳିତ କାର୍ଯ୍ୟ ହୋଇଥାଏ। ନଥିଗୁଡ଼ିକ ସଂଖ୍ୟା ବୃଦ୍ଧି ପାଉଛି। ରେକର୍ଡ ରୁମ୍‍ଟି ଛୋଟ ହୋଇଥିବାରୁ ସେଠାରେ ରେକର୍ଡଗୁଡ଼ିକୁ ସ୍ଥାୟୀ ଭାବେ ରଖାଯାଇ ପାରୁନାହିଁ। ବ୍ରିଟିଶ୍‍ ଅମଳର ନଥିଗୁଡ଼ିକ ଏଠାରେ ରହିଛି। ଏହାକୁ ସୁରକ୍ଷିତ ରଖିବା ପାଇଁ ସିଏମ୍‍ସି ପକ୍ଷରୁ ସେଭଳି କୌଣସି ଅତ୍ୟାଧୁନିକ ଯୋଜନା ହାତକୁ ନିଆଯାଉ ନଥିଲା। ଆବଶ୍ୟକ ସମୟରେ ଦରକାର ହେଉଥିବା ରେକର୍ଡକୁ ଖୋଜିଲେ ମିଳିବା କଷ୍ଟସାଧ୍ୟ ହେଉଛି। ନଥିଗୁଡ଼ିକ ଊଈ ଖାଇଯିବାରୁ ଏହାକୁ ଧରିବା ବେଳେ ଗୁଣ୍ଡ ହୋଇ ଝଡ଼ିପଡ଼ୁଛି। ରେକର୍ଡ ରହିଥିବା ଗୃହ କାଗଜ ଗୁଣ୍ଡରେ ଭର୍ତ୍ତି ହୋଇ ରହିଥିବା ଦେଖିବାକୁ ମିଳୁଛି। ପୁରୁଣା ନଥିଗୁଡ଼ିକ ସୁରକ୍ଷିତ ରଖିବା ନିମନ୍ତେ ଆବଶ୍ୟକ ଔଷଧୀୟ ଦ୍ରବ୍ୟ ପକାଯାଉ ନାହିଁ। ଏହି କାରଣରୁ ନଥିପତ୍ରରେ ଲାଗୁଥିବା ଊଈକୁ ପ୍ରତିହତ କରିବା ପାଇଁ ସିଏମ୍‍ସି ତରଫରୁ ଇ-ରେକର୍ଡ ରୁମ୍‍ ନିର୍ମାଣ ପାଇଁ ପଦକ୍ଷେପ ନିଆଯାଇଛି। ସମସ୍ତ ନଥିକୁ ଡିଜିଟାଲ୍‍ କରାଯିବ। ସ୍କାନର୍‍ରେ ସ୍କାନ୍‍ କରାଯିବା ପରେ ସେଗୁଡ଼ିକୁ କମ୍ପ୍ୟୁଟରରେ ସଂରକ୍ଷିତ କରି ରଖାଯିବ। ଏଥିପାଇଁ ସ୍ୱତନ୍ତ୍ର ଡାଟାବେସ୍‍ ସଫ୍ଟୱୟାର କ୍ରୟ କରାଯିବ। କୌଣସି ତଥ୍ୟ ଖୋଜିଲେ ତାହା ତୁରନ୍ତ ମିଳିଯିବ। ଏଥିପାଇଁ ଦକ୍ଷ କର୍ମଚାରୀଙ୍କୁ ନିଯୁକ୍ତ କରାଯିବ। ବର୍ତ୍ତମାନ ଥିବା ରେକର୍ଡ ରୁମ୍‍ରେ କିରାଣିଙ୍କ ଅଭାବ ରହିଛି।
ସିଏମ୍‍ସିର ବ୍ରିଟିଶ୍‍ ଅମଳର କୋଠାରେ ଏହି ରେକର୍ଡ ରୁମ୍‍ ରହିଛି। ଏହାର ପୁନରୁଦ୍ଧାର କରିବା ଆବଶ୍ୟକତା ରହିଛି। ରେକର୍ଡ ରୁମ୍‍କୁ ଏକ ନୂତନ ଘରକୁ ସ୍ଥାନାନ୍ତର କରାଯିବ ବୋଲି ଜଣାପଡ଼ିଛି। ଏ ସଂପର୍କରେ ମେୟର ମୀନାକ୍ଷୀ ବେହେରାଙ୍କୁ ପଚାରିବାରୁ- ଏନେଇ ଆଲୋଚନା ହୋଇଛି। ରେକର୍ଡ ରୁମ୍‍ ପୁନରୁଦ୍ଧାର କରାଯାଇ ଇ-ରେକର୍ଡ ରୁମ୍‍ରେ ପରିବର୍ତ୍ତନ କରାଯିବ। ଏହାଦ୍ୱାରା ତଥ୍ୟଗୁଡ଼ିକ ସୁରକ୍ଷିତ ହୋଇ ରହିବ ବୋଲି କହିଛନ୍ତି।

Leave A Reply