ଅବ୍ୟବସ୍ଥାରେ ଚାଲିଛି ହରିଶଙ୍କର ହରିଣ ପାର୍କ, ଶ୍ରମିକଙ୍କୁ ମିଳିନି ୫ ମାସର ପ୍ରାପ୍ୟ

ଖପ୍ରାଖୋଲ: ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ରାଜ୍ୟର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ହରିଶଙ୍କର ଠାରେ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ପାଇଁ ଏକ ହରିଣ ପାର୍କ ବହୁଦିନ ଧରି ରହିଛି। ମାତ୍ର ଏହାର ରକ୍ଷଣାବେକ୍ଷଣ ପାଇଁ ନିୟମିତ ଅନୁଦାନ ଆସୁ ନଥିବାରୁ ଶ୍ରମିକ ତଥା ଜଙ୍ଗଲ ବିଭାଗ ଅଧିକାରୀ ଏଥିପାଇଁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ଜାଣିବାକୁ ମିଳିଛି।

ସୂଚନାଯୋଗ୍ୟ, ଜଙ୍ଗଲ ବିଭାଗ ତରଫରୁ ଏଠାରେ ଥିବା ହରିଣ ପାର୍କରେ ୪୧୮ ଟି ହରିଣ ରହିଛନ୍ତି। ହରିଣଙ୍କ ଖାଦ୍ୟ, ଔଷଧ, ଚିକିତ୍ସା ତଥା କର୍ମଚାରୀଙ୍କ ମଜୁରୀ ଖର୍ଚ୍ଚ ବାବଦରେ ଜଙ୍ଗଲ ବିଭାଗ ପକ୍ଷରୁ ଅନୁଦାନ ମିଳିଥାଏ। ମାତ୍ର ନିୟମିତ ଭାବେ ଆର୍ଥିକ ଅନୁଦାନ ଆସୁନଥିବାରୁ ଶ୍ରମିକ ମାନଙ୍କୁ ସେମାନଙ୍କୁ ମଜୁରୀ ମିଳିପାରୁନାହିଁ। ହରିଣଙ୍କୁ ଗଛଡାଳ ତଥା ଖାଦ୍ୟ ଯୋଗାଇଦେବା ପାଇଁ ଆଠଜଣ ଶ୍ରମିକଙ୍କୁ ଏଠାରେ ନିଯୁକ୍ତି ଦିଆଯାଇଛି। ଏହି ଶ୍ରମିକ ମାନେ ଗତ ୫ ମାସ ଧରି ମଜୁରୀ ପାଇନଥିବା ଜାଣିବାକୁ ମିଳିଛି। ଶ୍ରମିକ ମାନେ ମଜୁରୀ ପାଇନଥିବାରୁ ଗତ ଡିସେମ୍ବର ୧ ରୁ କାର୍ଯ୍ୟ ବନ୍ଦ କରିଦେଇଛନ୍ତି। ଫଳରେ ବିଭାଗୀୟ ଅଧିକାରୀଙ୍କୁ ଏଥିପାଇଁ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଛି।

ଅନ୍ୟ ପକ୍ଷରେ ବିକଳ୍ପ ବ୍ୟବସ୍ଥା ସ୍ୱରୂପ କେତେକ ନୂତନ ଶ୍ରମିକଙ୍କୁ ଏହି କାର୍ଯ୍ୟରେ ନିୟୋଜିତ କରାଯାଇଥିବା ବେଳେ କାର୍ଯ୍ୟ ବନ୍ଦ କରିଥିବା ଶ୍ରମିକମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛିିିିିିିିିିିିିିିିିିିି। ଆମ୍ଭେ ଦୈନିକ ୩୧୧ ଟଙ୍କା ମଜୁରୀ ପାଇ ଦୀର୍ଘଦିନଧରି ଏଠାରେ କାମ କରି ଆସୁଛୁ। ଆମକୁ ନିୟମିତ ମଜୁରୀ ଦେବାକୁ ଆମେ ଦାବି କରିଆସୁଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ଶୁଣୁ ନାହାନ୍ତି। ନିୟମିତ ମଜୁରୀ ମିଳୁ ନଥିବାରୁ ଆମେ ଧାର କରଜ କରି ବଡ କଷ୍ଟରେ ପରିବାର ଚଳାଉଛୁ ବୋଲି କାର୍ଯ୍ୟବନ୍ଦ କରିଥିବା ଶ୍ରମିକ ଟିକେଶ୍ୱର ଭୁଏ, ନିଳାମ୍ବର ବରିହା,ମଦନ ଭୁଏ, ଚତୁର୍ଭୁଜ ବାଗ, ତ୍ରିଲୋଚନ ପାଣ୍ଡେ, ସୁରେଶ ମାଝି, ବେଲାର ବରିହା, ଧନେଶ୍ୱର ମାଝୀ ପ୍ରମୁଖ ଶ୍ରମିକ ଅଭିଯୋଗ କରିଛନ୍ତି। ଏହି ଶ୍ରମିକ ମାନଙ୍କ ମଧ୍ୟରୁ ଅନେକ ୧୫ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ଏଠାରେ କାମ କରୁଥିବା ଜଣାଯାଇଛି।

ଏ ନେଇ ହରିଣ ପାର୍କ ଦାୟିତ୍ୱରେ ଥିବା ହରିଶଙ୍କର ରେଞ୍ଜ ଅଧିକାରୀ ଶ୍ରୀବତ୍ସ କୁମୁରାଙ୍କୁ ପଚାରିବାରୁ ଅନୁଦାନ ଆସି ନଥିବାରୁ ଶ୍ରମିକମାନଙ୍କୁ ୫ ମାସର ଦରମା ମିଳିନାହିଁ ବୋଲି କହିଛନ୍ତି। ମଜୁରୀ ମିଳି ନଥିବାରୁ ଡିସେମ୍ବର ୧ରୁ କାମ କରିବେ ନାହିଁ ବୋଲି ଶ୍ରମିକ ମାନେ ଲିଖିତ ଭାବେ ଜଣାଇଛନ୍ତି। ହରିଣଙ୍କୁ ଖାଦ୍ୟ ଯୋଗାଇବା ନିମନ୍ତେ ସେମାନଙ୍କ ସ୍ଥାନରେ ଅନ୍ୟମାନଙ୍କୁ ନିୟୋଜିତ କରାଯାଇଛି। କାର୍ଯ୍ୟ ବନ୍ଦ କରିଥିବା ଶ୍ରମିକମାନଙ୍କୁ କିପରି ତୁରନ୍ତ ମଜୁରୀ ମିଳିବ ସେ ନେଇ ବଲାଙ୍ଗିର ଜିଲା ବନଖଣ୍ଡ ଅଧିକାରୀଙ୍କୁ ଜଣାଇ ଦିଆଯାଇଛି। ଏହି ପର୍ଯ୍ୟଟନ କେନ୍ଦ୍ରରେ ରହିଥିବା ହରିଣ ପାର୍କକୁ ଯେଭଳି ଗୁରୁତ୍ୱ ଦେବା କଥା ସେଭଳି ବିଭାଗ ପକ୍ଷରୁ ଗୁରୁତ୍ୱ ଦିଆଯାଉନଥିବା ନେଇ ଅଭିଯୋଗ ହେଉଛି। ଏହି ପାର୍କର ରକ୍ଷଣା ବେକ୍ଷଣ ପାଇଁ ବିଭାଗ ପକ୍ଷରୁ ନିୟମିତ ଅର୍ଥ ମଞ୍ଜୁର ନ ହେବା ଜଙ୍ଗଲ ବିଭାଗର ଅଣଦେଖା ମନୋଭାବ ସ୍ପଷ୍ଟ ବାରିହୋଇପଡୁଛି। ଏ ନେଇ ଜଙ୍ଗଲ ବିଭାଗ ଆବଶ୍ୟକ ପଦକ୍ଷେପ ଗ୍ରହଣ ନ କଲେ ଏହି ହରିଣ ପାର୍କର ସ୍ଥିତି ଦିନକୁ ଦିନ ଆହୁରି ବିଗିଡିଯିବାର ଆଶଙ୍କା ଦେଖାଦେଇଛି।

Comments are closed.