ଭତ୍ତା ଟଙ୍କା ବଣ୍ଟନ ବେଳେ ଗ୍ରାମ ରୋଜଗାର ସେବକ ଠାରୁ ଟଙ୍କା ବ୍ୟାଗ ଝାମ୍ପି ନେଲା ମଦ୍ୟପ ଯୁବକ

କେଶଦୁରାପାଳ:ଭତ୍ତା ଟଙ୍କା ବଣ୍ଟନ ବେଳେ ଗ୍ରାମ ସେବକ ନିକଟରୁ ଟଙ୍କା ବ୍ୟାଗ ଝାମ୍ପି ନେଲା ମଦ୍ୟପ ଯୁବକ। ଏମିତି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲାରାମଚନ୍ଦ୍ରପୁର ଥାନା ଶାଳଦେଇ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ।
ସୂଚନା ମୁତବକ ଘଷିପୁରା ବ୍ଲକ ଶାଳଦେଇ ପଞ୍ଚାୟତର ଗ୍ରାମରୋଜଗାର ସେବକ ଅଶୋକ କୁମାର ସାହୁ ଆଜି ଅକ୍ଟୋବର ମାସର ବାର୍ଦ୍ଧକ୍ୟ, ବିଧବା ଏବଂ ଭିନ୍ନକ୍ଷମ ଭତ୍ତା ବଣ୍ଟନ କରିବାକୁ ୨ ଲକ୍ଷ ୪ ହଜାର ୬ ଶହ ଟଙ୍କା ବ୍ୟାଙ୍କରୁ ଉଠାଣ କରି ପଞ୍ଚାୟତ କାର୍ଯ୍ୟାଳୟରେ ଭତ୍ତା ବଣ୍ଟନ କରୁଥିଲେ। ବଣ୍ଟନର କିଛି ସମୟ ପରେ ସେହି ଗ୍ରାମର ମଦ୍ୟପ ଯୁବକ ନିଳମଣୀ ଦଳେଇ(୩୦) ପିତା-ଅନାମ ଦଳେଇ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ପଶି ଅଶ୍ଲିଳ ଭାଷାରେ ଗାଳି ଗୁଲଜ କରିବା ସହ ହଠାତ ଗ୍ରାମ ରୋଜଗାର ସେବକ ଅଶୋକ କୁମାର ସାହୁଙ୍କ ଠାରୁ ଟଙ୍କା ବ୍ୟାଗ୍ ଛଡାଇ ଘଟଣା ସ୍ଥଳରୁ ଦୌଡି ପଳାଇ ଯାଇଥିଲା।
ଘଟଣା ସଂପର୍କରେ ଗ୍ରାମରୋଜଗାର ସେବକ ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସମେତ ବିଡିଓଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହାପରେ ଟଙ୍କା ବ୍ୟାଗ୍ ଲୁଟ ଘଟଣା ନେଇ ରାମଚନ୍ଦ୍ରପୁର ଥାନାରେ ଗ୍ରାମରୋଜଗାର ସେବକ ଲିଖିତ ଅଭିଯୋଗ କରିଥିଲେ। ୧ ଲକ୍ଷ ୩ ହଜାର ୪ ଶହ ଟଙ୍କା ମଦ୍ୟପ ଯୁବକ ଲୁଟି ନେଇଥିବା ଗ୍ରାମ ରୋଜଗାର ସେବକ ଏତଲାରେ ଉଲ୍ଲେଖ କରିଥିଲେ।
ଘଟଣା ସଂପର୍କରେ ଖବର ପାଇ ରାମଚନ୍ଦ୍ରପୁର ପୁଲିସ ଶାଳଦେଇ ପଞ୍ଚାୟତରେ ପହଞ୍ଚି ଲୁଟ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ପୁଲିସ ଅଭିଯୁକ୍ତ ଯୁବକକୁ ସନ୍ଧ୍ୟାରେ କାବୁ କରିବାରେ ସଫଳ ହୋଇଥିଲା। ଏହାପରେ ପୁଲିସ ଅଧିକାରୀଙ୍କ ପକ୍ଷରୁ ଅଭିଯୁକ୍ତ ଯୁବକ ନିକଟରୁ ସମସ୍ତ ଟଙ୍କା ବରାମତ ହୋଇ ଥିବା ସୂଚନା ମିଳିଛି। କେଉଁ ପରିସ୍ଥିତିରେ ଯୁବକ ଜଣକ ଟଙ୍କା ବ୍ୟାଗ ଛଡାଇ ନେଇଥିଲା ସେଥିନେଇ ପୁଲିସ ଉକ୍ତ ଯୁବକକୁ ଥାନାରେ ଅଟକ ରଖି ଅଧିକ ପଚାରା ଉଚାରା କରୁଥିବା ଜଣାପଡିଛି।

Comments are closed.