କେରଳରେ ୬୨୦କିମି ଦୀର୍ଘ ‘ମହିଳା ପ୍ରାଚିର’
ତିରୁଅନନ୍ତପୁରମ୍ : ଶାବରୀମାଳା ମନ୍ଦିର ପ୍ରବେଶ ପ୍ରସଙ୍ଗରେ କେରଳ ବିଭିନ୍ନ ବର୍ଗର ମହିଳାମାନେ ୬୨୦ କିଲୋମିଟର ଦୀର୍ଘ ମାନବ ପ୍ରାଚିର ଛିଡ଼ା କରାଇଛନ୍ତି। ଆଧ୍ୟାତ୍ମିକ ମୂଲ୍ୟବୋଧ ଓ ଲିଙ୍ଗତ ସମାନତାର ସୁରକ୍ଷା ବାର୍ତ୍ତା ନେଇ ସେମାନେ ୧୪ଟି ଜିଲା ଦେଇ ଯାଇଥିବା ଜାତୀୟ ରାଜପଥ କଡ଼ରେ ଏହି ‘ମହିଳା ପ୍ରାଚିର’ ଛିଡ଼ା କରାଇଥିଲେ। ଶାବରୀମାଳା ମନ୍ଦିରରେ ପ୍ରଚଳିତ ବର୍ଷବର୍ଷର ପରମ୍ପରା ସୁରକ୍ଷିତ ରଖିବାକୁ ହଜାର ହଜାର ମହିଳା ଆୟାପ୍ପା ଜ୍ୟୋତି ପ୍ରଜ୍ଜଳନ କରିବାର ଦିନକ ପରେ ଏହି ପ୍ରାଚିର ଛିଡ଼ା କରାଯାଇଥିଲା। ସୋମବାର କସରଗଡ଼ଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଆୟାପ୍ପା ଜ୍ୟୋତି ପ୍ରଜ୍ଜଳନ କରାଯାଇଥିଲା। ଏହାର ଜବାବରେ ମଙ୍ଗଳବାର ଲେଖିକା, କ୍ରୀଡ଼ାବିତ୍, ଅଭିନେତ୍ରୀ, ରାଜନେତ୍ରୀ, ବୈଷୟିକ କର୍ମଚାରୀ, ସରକାରୀ କର୍ମଚାରୀ ଓ ଗୃହିଣୀମାନେ ଉତ୍ତର ସୀମାର କସରଗଡ଼ଠାରୁ ଦକ୍ଷିଣ ସୀମା ପର୍ଯ୍ୟନ୍ତ ଜାତୀୟ ରାଜପଥ କଡ଼ରେ ‘ମାନବ ପ୍ରାଚିର’ ନିର୍ମାଣ କରିଥିଲେ। ଏଥିରେ ବହୁ ସଂଖ୍ୟକ ପୁରୁଷ ମଧ୍ୟ ସାମିଲ ହୋଇଥିଲେ। ଶାସକ ସିପିଆଇ(ଏମ୍) ପ୍ରାୟୋଜିତ ଏହି ‘ମହିଳା ପ୍ରାଚିର’ରେ ୫୦ଲକ୍ଷ ମହିଳା ସାମିଲ ହୋଇଥିଲେ। ଏହା ତିରୁଅନନ୍ତପୁରମ୍ର ବେଲାୟାମ୍ବାଲାମ ପର୍ଯ୍ୟନ୍ତ ଲମ୍ବିଥିଲା। ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ କେ. ଶୈଳଜା ଏହାର ନେତୃତ୍ବ ନେଇଥିଲେ ଏବଂ ସେ ପ୍ରାଚିରର ଆଦ୍ୟରେ ଥିଲାବେଳେ ଶେଷ ଭାଗରେ ଥିଲେ ବରିଷ୍ଠ ସିପିଆଇ(ଏମ୍) ନେତ୍ରୀ ବୃନ୍ଦା କରାତ। ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ୍ ଏହାକୁ ଉଦ୍ଘାଟନ କରିଥିଲେ। ସେଥିପାଇଁ ବିଦ୍ୟାଳୟଗୁଡ଼ିକୁ ଅଧାଛୁଟି ଘୋଷଣା କରାଯାଇଥିଲା। କଂଗ୍ରେସ ପକ୍ଷରୁ ଏହାକୁ ‘ଜାତି ପ୍ରାଚିର’ ଓ ‘ବିଭ୍ରାନ୍ତିର ପ୍ରାଚିର’ ଆଖ୍ୟା ଦିଆଯାଇଛି।