ଯବାନଙ୍କ ନିଷ୍ଠା, ତ୍ୟାଗ ଓ ବଳିଦାନ ଅନ୍ୟମାନଙ୍କ ପାଇଁ ଯୋଗାଇବ ପ୍ରେରଣା

କେନ୍ଦୁଝର ପୁଲିସ ପକ୍ଷରୁ ୬୪ତମ ସହିଦ ଦିବସ ପାଳିତ

କେନ୍ଦୁଝରଗଡ଼: ସ୍ଥାନୀୟ ରିଜର୍ଭ ପୁଲିସ ପଡିଆଠାରେ ଜିଲା ଆରକ୍ଷୀ ପ୍ରଶାସନ ପକ୍ଷରୁ ଶନିବାର ୬୪ତମ ପୁଲିସ ସହିଦ ଦିବସ ପାଳିତ ହୋଇଯାଇଛି। ଆରକ୍ଷୀ ଅଧିକ୍ଷକ ନିତିନ କୁଶଲକର ମୁଖ୍ୟଅତିଥି ଭାବେ ଯୋଗଦେଇ ଅଭିବାଦନ ଗ୍ରହଣ କରିବା ସହ ଦେଶମାତୃକା ପ୍ରତି ତ୍ୟାଗ ଓ ବଳିଦାନ କରିଥିବା ସହିଦଙ୍କ ସ୍ମୃତି ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଦେଶରେ ଆତଙ୍କବାଦ, ନକ୍ସଲବାଦ ଓ ଦେଶଦ୍ରୋହତତ୍ତ୍ୱ ପରି ଗୁରୁତର ସମସ୍ୟାର ଉଚିତ ମୁକାବିଲା କରିବାକୁ ଯବାନମାନେ କିପରି ଦାୟିତ୍ୱବୋଧ ଭାବେ ନିଜ ଗୁରୁଦାୟିତ୍ୱକୁ ସମ୍ପାଦନ କରି ଆସୁଛନ୍ତି ସେ ନେଇ ଆରକ୍ଷୀ ଅଧିକ୍ଷକ ଶ୍ରୀ କୁଶଲକର ଭୂୟସୀ ପ୍ରଶଂସା କରିଥିଲେ। ଯେଉଁ ପୁଲିସ କର୍ମଚାରୀମାନେ ଦେଶମାତୃକା ପାଇଁ ପ୍ରାଣ ଦେଇଛନ୍ତି ତାଙ୍କର ନିଷ୍ଠା, ତ୍ୟାଗ ଓ ବଳିଦାନ ଅନ୍ୟ କର୍ମଚାରୀଙ୍କ ପ୍ରତି ସର୍ବଦା ଦିଗ୍‍ଦର୍ଶନ ଭାବେ ପ୍ରେରଣା ଯୋଗାଇବ ବୋଲି ଆରକ୍ଷୀ ଅଧୀକ୍ଷକ ଶ୍ରୀ କୁଶଲକର କହିଥିଲେ। ପୁଲିସ କର୍ମଚାରୀମାନେ ସମାଜ ବିରୋଧି, ଆତଙ୍କବାଦୀ ଓ ଦୁର୍ଦ୍ଦାନ୍ତ ଅପରାଧିଙ୍କ ବିରୋଧରେ ଶକ୍ତ କାର୍ଯ୍ୟାନୁଷ୍ଠାନ ଏବଂ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଜନସାଧାରଣଙ୍କ ପ୍ରତି ଉଲ୍ଲେଖନୀୟ ସେବା ଯୋଗାଇ ଆସୁଥିବାରୁ ଭାରତୀୟ ଆରକ୍ଷୀ ବାହିନୀ ମଧ୍ୟରେ ଓଡିଶା ଆରକ୍ଷୀର ଗୌରବ ଯଥେଷ୍ଟ ଉର୍ଦ୍ଧରେ ରହିଛି ବୋଲି ସେ କହିଥିଲେ।

prayash

୧ ସେପ୍ଟେମ୍ବର ୨୦୨୨ରୁ ୩୧ଅଗଷ୍ଟ ୨୦୨୩ ମଧ୍ୟରେ ସମଗ୍ର ଦେଶରେ ୧୮୯ଜଣ କର୍ତ୍ତବ୍ୟରତ ପୁଲିସ କର୍ମଚାରୀ ଦେଶମାତୃକା ପାଇଁ ପ୍ରାଣବଳି ଦେଇ ସହିଦ ହୋଇଥିବା ବେଳେ ଓଡିଶାରୁ ଜଣେ ସହିଦଙ୍କ ନାମ ଏସ୍‍.ପି. ଶ୍ରୀ କୁଶଲକର ପଢ଼ି ଶୁଣାଇଥିଲେ। ଏଥିସହ ସହିଦ ମାନେ ପଢ଼ୁଥିବା ବିଦ୍ୟାଳୟ ମାନଙ୍କରେ ଜିଲାର ବିଭିନ୍ନ ଥାନା ପକ୍ଷରୁ ସେମାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଆଟକୋ କୁଜୁର ଓ ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ଡିଏସପି (ଡିଆଇବି) ସରୋଜିନୀ ସାମଦ, ଡିଏସ୍‍ପି ଅମ୍ବିତ ମହାନ୍ତି, ଆଲୋକ କୁମାର ଜେନା ଓ ପାସ୍କେଲ ଏକ୍କା, ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ (ଗୃହରକ୍ଷୀ) କାଳୁଚରଣ ବେହେରା, ଆରକ୍ଷୀ ନିରୀକ୍ଷକ ମାନସ କୁମାର ବେହେରା, ଟାଉନ ଥାନା ଅଧିକାରୀ ସୁନୀଲ କୁମାର କରଙ୍କ ସମେତ ଜିଲା ମୁଖ୍ୟାଳୟରେ କାର୍ଯ୍ୟରତ ବହୁ ବରିଷ୍ଠ ପୁଲିସ ପଦାଧିକାରୀ ରିଜର୍ଭ ପୁଲିସ ପଡିଆସ୍ଥିତ ସହିଦଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣପୁର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

Comments are closed.