ଘସିପୁରା ନିର୍ବାଚନ ମଣ୍ଡଳୀରେ ୪୭ ବୁଥ୍‌‌ ସମ୍ବେଦନଶୀଳ

କେନ୍ଦୁଝରଗଡ଼଼: କେନ୍ଦୁଝର ଜିଲାର ସବୁଠାରୁ ଅଧିକ ସମ୍ବେଦନଶୀଳ ଘସିପୁରା ନିର୍ବାଚନ ମଣ୍ଡଳୀରେ ସ୍ୱଛ, ମୁକ୍ତ ଓ ଅବାଧ ନିର୍ବାଚନ ସହ ଶାନ୍ତିପୂର୍ଣ୍ଣ ମତଦାନ ଗ୍ରହଣ ଉପରେ ଜିଲା ଓ ପୁଲିସ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି। ପୂର୍ବବର୍ଷର ସାଧାରଣ ନିର୍ବାଚନ ଠାରୁ ଚଳିତ ନିର୍ବାଚନରେ ଘସିପୁରା ନିର୍ବାଚନ ମଣ୍ଡଳୀରେ ହିଂସା ଓ ବୁଥ୍‌‌ ରିଗିଂ ଭଳି ଘଟଣାକୁ କୌଣସି ପରିସ୍ଥିତିରେ ବରଦାସ୍ତ କରାଯିବ ନାହିଁ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ଏହି ନିର୍ବାଚନ ମଣ୍ଡଳୀର ମୋଟ ୩୦୦ ବୁଥ୍‌‌ ମଧ୍ୟରୁ ୪୭ଟି ବୁଥ୍‌‌କୁ ସମ୍ବେଦନଶୀଳ ଭାବେ ଚିହ୍ନଟ କରାଯାଇଥିବା ବେଳେ ୫୮ଟି ବୁଥରେ କେନ୍ଦ୍ରୀୟ ସୁରକ୍ଷା ବଳ ମୁତୟନ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏତଦ୍‌‌ବ୍ୟତୀତ ଶାନ୍ତିପୂର୍ଣ୍ଣ ନିର୍ବାଚନ ପରିଚାଳନା ପାଇଁ ୧୭ଜଣ ମାଇକ୍ରୋଅବଜରବର ନିଯୁକ୍ତ କରାଯାଇଥିବା ବେଳେ ୧୮୦ଟି ବୁଥ୍‌‌ରେ ୱେବ୍‌‌କାଷ୍ଟିଙ୍ଗ ଯୋଗେ ଭୋଟଗ୍ରହଣର ସିଧାସଳଖ ପ୍ରସାରଣ ବ୍ୟବସ୍ଥା ଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ସେହିଭଳି ଅତି ସମ୍ବେଦନଶୀଳ ୭ଟି ବୁଥରେ ମତଦାନ ପ୍ରକ୍ର୍ରିୟାକୁ ସମ୍ପୂର୍ଣ୍ଣ ଭିଡିଓଗ୍ରାଫି କରାଯିବ ବୋଲି କହିଛନ୍ତି। ଏହି ନିର୍ବାଚନମଣ୍ଡଳୀରେ ଶାନ୍ତିପୂର୍ଣ୍ଣ ନିର୍ବାଚନ ପରିଚାଳନା ପାଇଁ ସମ୍ବେଦନଶୀଳ ବୁଥ୍‌‌ ମାନଙ୍କରେ କେନ୍ଦ୍ରୀୟ ସୁରକ୍ଷା ବଳ ମୁତୟନ କରାଯାଇ କଡା ନଜର ରଖାଯାଇଛି।

Comments are closed.