କାଶ୍ମୀରରେ ୨୦ରୁ ଊର୍ଦ୍ଧ୍ବ ପାକ୍‍ ଆତଙ୍କବାଦୀ

0

ଶ୍ରୀନଗର/ନୂଆଦିଲ୍ଲୀ : ପବିତ୍ର ରମ୍‍ଜାନ ଅବସରରେ ଭାରତର ବିଭିନ୍ନ ସ୍ଥାନରେ ଆତଙ୍କବାଦୀ ଆକ୍ରମଣ ଘଟାଇବା ଉଦ୍ଦେଶ୍ୟରେ ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ର ୨୦ରୁ ଊର୍ଦ୍ଧ୍ବ ଭାରତରେ ଅନୁପ୍ରବେଶ କରିଛନ୍ତି। ଏମାନେ ମୌଲାନା ମାସୁଦ ଆଝାରଙ୍କ ନେତୃତ୍ୱାଧୀନ ତଥା ବେଆଇନ ଘୋଷିତ ସଂଗଠନ ଜୈସ୍‍-ଇ-ମହମ୍ମଦ (ଜେଇଏମ୍‍)ର ଆତଙ୍କବାଦୀ ବୋଲି ଅନୁମାନ କରାଯାଉଛି। ଏହି ଆତଙ୍କବାଦୀମାନେ ଦୁଇ ଦଳରେ ବିଭକ୍ତ ହୋଇ କାଶ୍ମୀର ଉପତ୍ୟକାରେ ଆତ୍ମଗୋପନ କରିଥିବା ସୂଚନା ମିଳିବା ପରେ ସରକାରଙ୍କ ପକ୍ଷରୁ ଜାମ୍ମୁ କାଶ୍ମୀର ଏବଂ ଦିଲ୍ଲୀରେ ହାଇ ଆଲର୍ଟ ଜାରି କରାଯାଇଛି। ଗୁଇନ୍ଦା ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଏହି ଆତଙ୍କବାଦୀମାନେ ଆଗାମୀ ୨ରୁ ୩ ଦିନ ମଧ୍ୟରେ ଆକ୍ରମଣ ଘଟାଇବାର ଯୋଜନା କରୁଛନ୍ତି। ବିଶେଷକରି ସୁରକ୍ଷାବାହିନୀର ଶିବିର ତଥା କାର୍ଯ୍ୟାଳୟ ଉପରେ ଆକ୍ରମଣ ହେବା ଆଶଙ୍କା ରହିଛି। ଜୁନ୍‍ ୨ରେ ରମ୍‍ଜାନର ୧୭ତମ ଦିବସ ତଥା ବଦର ଯୁଦ୍ଧର ବର୍ଷପୂର୍ତ୍ତି ଅବସରରେ ଆତଙ୍କବାଦୀ ଆକ୍ରମଣ ହୋଇପାରେ ବୋଲି ଗୁଇନ୍ଦା ବିଭାଗ ସତର୍କ କରାଇଛି। କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡାଇବା ନିମନ୍ତେ ସରକାରଙ୍କ ପକ୍ଷରୁ ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ବିଶେଷକରି କାଶ୍ମୀର ଉପତ୍ୟକା ଅନ୍ତର୍ଗତ ସୁରକ୍ଷା ପ୍ରତିଷ୍ଠାନଗୁଡିକରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସୁରକ୍ଷାବାହିନୀ ପକ୍ଷରୁ ରାଜ୍ୟର ବିଭିନ୍ନ ହୋଟେଲ ଓ ଅତିଥିଭବନରେ ତଲାସି ଅଭିଯାନ ଆରମ୍ଭ ହୋଇଛି। ରାଜ୍ୟର ସମସ୍ତ ପ୍ରବେଶ ପଥଗୁଡିକୁ ମଧ୍ୟ ପୁଲିସ ଯାଞ୍ଚ କରୁଛି। ଅନ୍ୟପଟେ ଦକ୍ଷିଣ କାଶ୍ମୀରର ପୁଲୱାମାଠାରେ ସୁରକ୍ଷାବାହିନୀର ଏକ ଗାଡି ଉପରେ ଶୁକ୍ରବାର ପୁର୍ବାହ୍ଣରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଇତିମଧ୍ୟରେ ପୁଲୱାମା ପୁଲିସ ବିସ୍ଫୋରକ ପୂର୍ଣ୍ଣ ୩ଟି ବ୍ୟାଗ୍‍ ଠାବ କରିଛି। ଗତବର୍ଷ ମଧ୍ୟ ଠିକ୍‍ ଏହି ସମୟରେ କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ଘଟିଥିଲା। ଜେଇଏମ୍‍ ଆତଙ୍କବାଦୀ ଏହି ଆକ୍ରମଣ ଘଟାଇଥିବା ସ୍ୱୀକାର କରିଥିଲେ।
ପବିତ୍ର ରମ୍‍ଜାନ ମାସ ଉପଲକ୍ଷେ ଜାମ୍ମୁ କାଶ୍ମୀରରେ ସୁରକ୍ଷାବାହିନୀର କାର୍ଯ୍ୟାନୁଷ୍ଠାନ ବନ୍ଦ ରଖାଯିବ ବୋଲି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କିଛି ଦିନ ପୂର୍ବେ ଘୋଷଣା କରାଯାଇଥିଲା। ଏହାର ସୁଯୋଗ ନେଇ ଆତଙ୍କବାଦୀମାନେ କାଶ୍ମୀରରେ ଅନୁପ୍ରବେଶ କରିଥିବା କୁହାଯାଉଛି। କାଶ୍ମୀରରେ ସବୁ ସମୟରେ ଅଶାନ୍ତି ସୃଷ୍ଟି କରିବାକୁ ଆତଙ୍କବାଦୀଙ୍କ ଯୋଜନା ରହିଥିବା ଏହି ଅନୁପ୍ରବେଶରୁ ପୁନଃ ପ୍ରମାଣିତ ହୋଇଛି। ଚଳିତ ସପ୍ତାହ ପ୍ରାରମ୍ଭରେ ଆତଙ୍କବାଦୀମାନେ ସୋପିଆନ୍‍ ଜିଲାରେ ସେନାର ଏକ ଗାଡିରେ ଏଲ୍‍ଇଡି ଦ୍ୱାରା ବିସ୍ଫୋରଣ ଘଟାଇଥିଲେ। ଏହି ଘଟଣାରେ ୩ ଯବାନ ଆହତ ହୋଇଥିଲା। ସେହିଭଳି ରବିବାର ଜାମ୍ମୁର କାକପୋରା ଏବଂ କାଶ୍ମୀରର ପୁଲୱାମା ଜିଲାରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଗୁଳିବିନିମୟ ବେଳେ ଜଣେ ନାଗରିକଙ୍କ ମୃତ୍ୟୁ ଘଟିଥିଲା। ରମଜାନ ଉପଲକ୍ଷେ ସରକାର ଯୁଦ୍ଧବିରତି ଘୋଷଣା କରିବା ପରେ ଏହା ସୁରକ୍ଷାବାହିନୀ ଉପରେ ସବୁଠାରୁ ବଡ଼ ଆକ୍ରମଣ ବୋଲି କୁହାଯାଉଛି। ଅନ୍ୟପଟେ ପାକିସ୍ତାନ ସେନା ଗତ କିଛି ଦିନ ହେବ କ୍ରମାଗତ ଯୁଦ୍ଧବିରତି ଉଲ୍ଲଙ୍ଘନ ପୂର୍ବକ ଗୁଳିଗୋଳା ବର୍ଷଣ କରିଥିଲା। ପରେ ମେ’ ୨୯ରେ ୨୦୦୩ ଯୁଦ୍ଧବିରତି ବୁଝାମଣାର ଅନୁପାଳନ ନିମନ୍ତେ ଉଭୟ ଭାରତ ଓ ପାକିସ୍ତାନ ସାମରିକ ଅଭିଯାନ ମହାନିର୍ଦେଶକଙ୍କ ମଧ୍ୟରେ ସହମତି ପ୍ରକାଶ ପାଇଥିଲା। ତେବେ ପାକିସ୍ତାନ ହଠାତ୍‍ ଏଭଳି ଯୁଦ୍ଧବିରତି ଉଲ୍ଲଙ୍ଘନ କରି ଜେଇଏମ୍‍ ଏବଂ ଲସ୍କର-ଇ-ତୋଏବା (ଏଲ୍‍ଇଟି) ଆତଙ୍କବାଦୀଙ୍କ ଅନୁପ୍ରବେଶ ନିମନ୍ତେ କ୍ଷେତ୍ର ପ୍ରସ୍ତୁତ କରିଥିବା କୁହାଯାଉଛି।

Leave A Reply