କାଶ୍ମୀରକୁ ନେଇ କ୍ରିକେଟରଙ୍କ ଟ୍ୱିଟର ଯୁଦ୍ଧ

0

ନୂଆଦିଲ୍ଲୀ : କାଶ୍ମୀରକୁ ନେଇ କ୍ରିକେଟରଙ୍କ ମଧ୍ୟରେ ରାଜନୀତି ଆରମ୍ଭ ହୋଇଯାଇଛି। ପଡ଼ିଆରୁ ବାହାରି ଆସି ପାକିସ୍ତାନର ପୂର୍ବତନ କ୍ରିକେଟର ସାହିଦ୍‌ ଆଫ୍ରିଦି କାଶ୍ମୀର ପ୍ରସଙ୍ଗରେ ଯେଉଁ ମନ୍ତବ୍ୟ ଦେଇଥିଲେ ତାହାକୁ ନେଇ ଭାରତୀୟ କ୍ରିକେଟରମାନେ ତୀବ୍ର ପ୍ରତିକ୍ରିୟାଶୀଳ ହୋଇଉଠିଛନ୍ତି। କ୍ରିକେଟ ପଡ଼ିଆରେ ଆଫି୍ରଦିଙ୍କୁ ବ୍ୟାଟ୍‌-ବଲ୍‌ରେ କଡ଼ା ଜବାବ ଦେବା ଭଳି ଭାରତୀୟ କ୍ରିକେଟରମାନେ ଭାଷାରେ ତାଙ୍କୁ ଘାଇଲା କରିଛନ୍ତି। ଆଫି୍ରିଦିଙ୍କୁ ମଙ୍ଗଳବାର ପ୍ରଥମେ ଗୌତମ ଗମ୍ଭୀର ଜବାବ ଦେବା ପରେ ବୁଧବାର ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି, କିମ୍ବଦନ୍ତୀ କ୍ରିକେଟର ସଚ୍ଚିନ ତେଣ୍ଡୁଲକର ଓ ପୂର୍ବତନ ଅଲ୍‌ରାଉଣ୍ଡର ତଥା ଅଧିନାୟକ କପିଳ ଦେବ ତଥା ସୁରେଶ ରାଇନା ଭଲ ରକମ ଶୁଣାଇଛନ୍ତି। ‘ସେ କିଏ? କାହିଁକି ଆମେ ତାଙ୍କୁ ଗୁରୁତ୍ୱ ଦେବା? ଏଭଳି ଲୋକଙ୍କୁ ଆଦୌ ଗୁରତ୍ୱ ଦିଆଯିବା ଉଚିତ ନୁହେଁ’ ବୋଲି ମହାନ କ୍ରିକେଟର କପିଳ ଦେବ କହିଥିଲାବେଳେ ‘ମୋ ଦେଶ ପ୍ରତି ଯାହା କ୍ଷତିକାରକ ସେଭଳି ପ୍ରସଙ୍ଗକୁ ମୁଁ କଦାପି ସମର୍ଥନ କରିବି ନାହିଁ’ ବୋଲି କହିଛନ୍ତି ବିରାଟ କୋହଲି। ସେହିପରି ‘ଆମ ଅଞ୍ଚଳରେ ଆମେ କ’ଣ କରିବୁ ସେ ସମ୍ପର୍କରେ ବାହାର ଲୋକଙ୍କ କିଛି କହିବାର ଅଧିକାର ନାହିଁ’ ବୋଲି କହିଛନ୍ତି ସଚ୍ଚିନ।
ଆଫି୍ରଦି ତାଙ୍କ ଟ୍ୱିଟର ପୃଷ୍ଠାରେ କାଶ୍ମୀରକୁ ‘ଭାରତ ଅଧିକୃତ କାଶ୍ମୀର’ ବୋଲି କହିବା ସହ ଆତଙ୍କବାଦୀଙ୍କୁ ନିର୍ଦୋଷ ଲୋକ ବୋଲି ହାସ୍ୟାସ୍ପଦ ମନ୍ତବ୍ୟ ଦେଇଥିଲେ। ‘ସୋପିଆନ୍‌ରେ ୧୩ ଆତଙ୍କବାଦୀଙ୍କୁ ଭାରତୀୟ ସେନା ହତ୍ୟାକରିବା ସମ୍ପର୍କରେ ଆଫ୍ରିଦି ଟ୍ୱିଟରରେ ଲେଖିଥିଲେ ଯେ ଭାରତ ଅଧିକୃତ କାଶ୍ମୀରରେ ଯାହା ଘଟୁଛି; ତାହା ବହୁତ ଦୁଃଖ ଓ ଚିନ୍ତାର ବିଷୟ। ନିର୍ଦୋଷ ଲୋକଙ୍କୁ ଅତ୍ୟାଚାରୀ ଶାସକ ଗୁଳିକରି ହତ୍ୟାକରିବା ସହ ଆତ୍ମନିର୍ଣ୍ଣୟ ଓ ସ୍ୱାଧୀନତା ଲାଗି ସେମାନଙ୍କ ସ୍ୱରକୁ ଦବାଇଦେବାର ପ୍ରୟାସ କରୁଛନ୍ତି। ମୁଁ ଭାବୁଛି; ଜାତିସଂଘ ଓ ଅନ୍ୟ ଆନ୍ତର୍ଜାତିକ ସଂସ୍ଥାମାନେ ଏ ସମୟରେ କୁଆଡ଼େ ଯାଇଛନ୍ତି ଏବଂ ରକ୍ତପାତକୁ ରୋକିବାକୁ କାହିଁକି ସେମାନେ ପ୍ରୟାସ କରୁନାହାନ୍ତି?’ ଆଫ୍ରିଦିଙ୍କ ଏପରି ମନ୍ତବ୍ୟର ପ୍ରଥମ ଜବାବ ଦେଇଥିଲେ ଗୌତମ ଗମ୍ଭୀର। ପରେ ଭାରତୀୟ ଅଧିନାୟକ ବିରାଟ କୋହଲି କହିଛନ୍ତି, ‘ଜଣେ ଭାରତୀୟ ଭାବେ ମୁଁ ସବୁବେଳେ ଭାରତର ହିତ ପାଇଁ ହିଁ ଲଢ଼ିବି। ଦେଶର ସ୍ୱାର୍ଥ ସବୁବେଳେ ମୋ ପାଇଁ ପ୍ରାଥମିକତା ବହନ କରିବ।’ ବିରାଟଙ୍କୁ ପୂର୍ବତନ ଅଧିନାୟକ ସୁନିଲ ଗାଭାସ୍କର ପୂର୍ଣ୍ଣ ସମର୍ଥନ କରିଥିଲାବେଳେ କିମ୍ବାଦନ୍ତୀ କ୍ରିକେଟର କପିଳ ଦେବ ଆଉ ପାଦେ ଆଗେଇ ଯାଇ ଆଫି୍ରଦି କିଏ ଓ କାହିଁକି ତାଙ୍କୁ ଗୁରୁତ୍ୱ ଦିଆଯାଛଉଛି ବୋଲି ପ୍ରଶ୍ନ କରିଛନ୍ତି। ସୁରେଶ ରାଇନା କହିଛନ୍ତି ଯେ ‘କାଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ ଥିଲା, ରହିଛି ଓ ରହିବ। କାଶ୍ମୀର ହେଉଛି ସେହି ପବିତ୍ର ଭୂମି; ଯେଉଁଠି ମୋର ପୂର୍ବ ପୁରୁଷ ଜନ୍ମ ନେଇଥିଲେ। ମୁଁ ଆଶା କରୁଛି, ଆଫି୍ରଦି ଭାଇ ପ୍ରଥମେ ପାକିସ୍ତାନ ସେନାକୁ ଆମ କାଶ୍ମୀରରେ ଆତଙ୍କବାଦ ଓ ଚ୍ଛାୟା ଯୁଦ୍ଧ ବନ୍ଦ କରିବା ପାଇଁ ପ୍ରବର୍ତ୍ତାଇଲେ ଭଲ ହେବ। ଆମେ ଶାନ୍ତି ଚାହୁଁ, ହିଂସା କିମ୍ବା ରକ୍ତପାତ ନୁହେଁ।’ ମଙ୍ଗଳବାର ଗମ୍ଭୀର କହିଥିଲେ ଯେ ‘ଆଫି୍ରଦିଙ୍କ ନଜର ୟୁଏନ୍‌ ଉପରେ; ଯାହାର ଅର୍ଥ ଅଣ୍ଡର ନାଇଣ୍ଟିନ୍‌। ଆଫି୍ରଦି ଅଭ୍ୟାସଗତ ଭାବେ ନୋ’ବଲ୍‌ରେ ୱିକେଟ ନେଇ ଉତ୍ସାହିତ ହେଲା ଭଳି ହେଉଛନ୍ତି।’ ସଚ୍ଚିନ କହିଛନ୍ତି ଯେ ଆମ ଦେଶ ଚଳାଇବାକୁ ଆମେ ସକ୍ଷମ। ଏ ସମ୍ପର୍କରେ କୌଣସି ବାହାର ଲୋକର କିଛି କହିବା ଅଧିକାର ନାହିଁ।’
କେବଳ ଆଫି୍ରଦି ନୁହନ୍ତି; କ୍ରିକେଟରରୁ ରାଜନେତା ପାଲଟିଥିବା ଇମ୍ରାନ ଖାଁ ମଧ୍ୟ ଟ୍ୱିଟ୍‌ କରି କହିଛନ୍ତି ଯେ ‘ପାକିସ୍ତାନର ଲୋକେ ଆତ୍ମନିର୍ଦ୍ଧାରଣ ପାଇଁ କାଶ୍ମୀରବାସୀଙ୍କ ଗଣତାନ୍ତ୍ରିକ ଲଢ଼େଇ ପଛରେ ପୂର୍ଣ୍ଣ ପ୍ରାଣରେ ଛିଡ଼ା ହୋଇଛନ୍ତି।’ ପୂର୍ବରୁ ମଧ୍ୟ ଆଫ୍ରିଦି ଏକଦା କାଶ୍ମୀର ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ୨୦୧୬ ଟ୍ୱେଣ୍ଟି ୨୦ ବିଶ୍ୱକପ୍‌ରେ ମୋହାଲିଠାରେ ପାକିସ୍ତାନ-ଅଷ୍ଟ୍ରେଲିଆ ମ୍ୟାଚ୍‌ ପରେ ଆଫ୍ରିଦି କହିଥିଲେ, ‘ପାକିସ୍ତାନ ଓ କାଶ୍ମୀରର ଲୋକେ ଆମକୁ ସମର୍ଥନ କରିଥିବାରୁ ସେମାନଙ୍କୁ ମୁଁ ଧନ୍ୟବାଦ ଜଣାଉଛି।’ ଏହି ମନ୍ତବ୍ୟ ନେଇ ସେତେବେଳେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। କ୍ରିକେଟ ଭଳି ଖେଳରେ ସମ୍ପି୍ରତି ଜରୁରୀ ହୋଇଥିବାବେଳେ ଏଭଳି ବିବାଦୀୟ ମନ୍ତବ୍ୟ ଅଶୋଭନୀୟ ବୋଲି ବିଭିନ୍ନ ମହଲରୁ ପ୍ରତିକ୍ରିୟା ପ୍ରକାଶ ପାଇଥିଲା।

Leave A Reply