କାଶ୍ମୀର ଉପତ୍ୟକାରେ ବନ୍ଦ ସଫଳ
ଶ୍ରୀନଗର : ଜାମ୍ମୁ କାଶ୍ମୀରର ସୋପିଆନ ଓ ଅନନ୍ତନାଗ ଜିଲାରେ ନିରାପତ୍ତାରକ୍ଷୀଙ୍କ ସହ ଗୁଳି ବିନିମୟରେ ରବିବାର ୧୩ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିବାବେଳେ ଯବାନଙ୍କ ଉପରକୁ ଟେକାପଥର ଫୋପାଡୁଥିବା ୪ ଜଣ ସାଧାରଣ ନାଗରିକଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା। ଏହାର ପ୍ରତିବାଦରେ ବିଚ୍ଛିନ୍ନତାବାଦୀ ନେତାଙ୍କ ତରଫରୁ ସୋମବାର କାଶ୍ମୀର ଉପତ୍ୟକାରେ ବନ୍ଦ ଡକରା ଦିଆଯାଇଥିଲା। ଏହା ସମ୍ପୂର୍ଣ୍ଣ ସଫଳ ହୋଇଥିବା ଜଣାପଡିଛି। ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ପୁଲିସ ଓ ପ୍ରଶାସନ ପକ୍ଷରୁ ଶ୍ରୀନଗର, କୁପୱାଡା, ଅନନ୍ତନାଗ, କୁଲଗାଓଁ, ସୋପିଆନ ଭଳି ସମ୍ବେଦନଶୀଳ ଜିଲାରେ ଦୃଡ ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ସମ୍ଭାବ୍ୟ ଗଣ୍ଡଗୋଳ ଆଶଙ୍କାରେ ଏହି ଅଞ୍ଚଳରେ ମୋବାଇଲ ଓ ଇଣ୍ଟରନେଟ ସେବାକୁ ବାତିଲ କରାଯାଇଥିଲା। ବନ୍ଦ ଡକରା ଯୋଗୁଁ କାଶ୍ମୀର ଉପତ୍ୟକାର ସବୁ ସ୍କୁଲ କଲେଜ, ବ୍ୟାଙ୍କ, ମାର୍କେଟ, ପେଟ୍ରୋଲ ପମ୍ପଗୁଡିକ ବନ୍ଦ ରହିଥିଲା। ରାସ୍ତାଘାଟରେ କାଁ ଭାଁ ଲୋକଙ୍କୁ ଚଳପ୍ରଚଳ ହେଉଥିବା ଲକ୍ଷ୍ୟ କରାଯାଇଥିଲା। ସବୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ପୁଲିସ ଛାଉଣି ଦେଖିବାକୁ ମିଳିଥିଲା।
ପ୍ରତିଷେଧମୂଳକ ପଦକ୍ଷେପ ସ୍ୱରୂପ ଜେକେଏଲଏଫ୍ ନେତା ୟାସିନ ମଲ୍ଲିକଙ୍କୁ ଗିରଫ କରାଯାଇଥିବାବେଳେ ସୟଦ ଅଲ୍ଲୀ ଗିଲାନି ଓ ପୀରୱେଜ ଉମର ଫାରକ୍ଙ୍କ ଭଳି ନେତାଙ୍କୁ ଗୃହବନ୍ଦୀ ରଖାଯାଇଥିଲା। କାଶ୍ମୀର ବିଶ୍ୱବିଦ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ ହୋଇଥିଲେ ସୁଦ୍ଧା ହିଂସାକାଣ୍ଡର ସୂଚନା ମିଳିନାହିଁ। କାଶ୍ମୀର ବ୍ୟବସାୟୀ ସଂଗଠନ ପକ୍ଷରୁ ଶ୍ରୀନଗରସ୍ଥିତ ଲାଲଚୌକ ଅଞ୍ଚଳରେ ବିକ୍ଷୋଭ ପ୍ରଦର୍ଶିତ ହୋଇଥିଲା। କାଶ୍ମୀର ଉପତ୍ୟକାର ଅଶାନ୍ତ ପରିସ୍ଥିତି ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନ୍ଫରେନ୍ସ ନେତା ଫାରୁକ ଅବଦୁଲ୍ଲା ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍ତିଙ୍କୁ ଦାୟୀ କରିଛନ୍ତି।