କର୍ଣ୍ଣାଟକ କଂଗ୍ରେସ ନେତା ଶିବକୁମାର ଘରେ ସିବିଆଇ ଚଢ଼ଉ
ବେଙ୍ଗାଲୁରୁ : କର୍ଣ୍ଣାଟକରେ କଂଗ୍ରେସ ବିଧାୟକଙ୍କୁ ଏକାଠି ରଖି ବିଜେପିର ସରକାର ଗଠନ ସ୍ୱପ୍ନକୁ ଭାଙ୍ଗି ଦେଇଥିବା ବରିଷ୍ଠ କଂଗ୍ରେସ ବିଧାୟକ ଡି.କେ ଶିବକୁମାରଙ୍କ ବାସଭବନ ଓ ବ୍ୟବସାୟ ସଂସ୍ଥାରେ ଗୁରୁବାର ସକାଳେ ସିବିଆଇ ଚଢ଼ଉ କରିଛି। ବିମୁଦ୍ରାୟନ ସମୟର ଅଚଳ ମୁଦ୍ରାକୁ ସଚଳ କରିବା ଉଦ୍ୟମ ଅଭିଯୋଗରେ ବେଙ୍ଗାଲୁରୁ, କନକପୁରା ଓ ରାମନଗର ସହିତ ମୋଟ ୫ଟି ସ୍ଥାନରେ ସିବିଆଇ ଚଢ଼ଉ କରିଥିବା କୁହାଯାଇଛି। ଶିବକୁମାରଙ୍କ କନକପୁରାସ୍ଥିତ ନିର୍ବାଚନ କାର୍ଯ୍ୟାଳୟ, ରାମନଗରସ୍ଥିତ ବ୍ୟବସାୟିକ ସଂସ୍ଥାର କାର୍ଯ୍ୟାଳୟ ଓ ତିନିଟି ସ୍ଥାନରେ ଥିବା ବାସଭବନରେ ଚଢ଼ଉ ହୋଇଛି। ନିର୍ବାଚନ କାର୍ଯ୍ୟାଳୟ ମୁଖ୍ୟ ଶିବାନନ୍ଦ, କିରାଣି ନାଞ୍ଜାପ୍ପା ଓ ପଦ୍ମନାଭାୟାଙ୍କ ଘରେ ମଧ୍ୟ ସିବିଆଇ ଚଢ଼ଉ କରିଛି। ପଦ୍ମନାଭାୟା ଟଙ୍କା ବଦଳରେ ମୁଖ୍ୟ ଭୂମିକା ନେଇଥିବା ସିବିଆଇ ସୂତ୍ରରୁ ପ୍ରକାଶ।
ସିବିଆଇର ଏହି କାର୍ଯ୍ୟାନୁଷ୍ଠାନକୁ କେନ୍ଦ୍ର ବିଜେପି ସରକାରଙ୍କର ରାଜନୈତିକ ପ୍ରତିଶୋଧ ପରାୟଣତା ବୋଲି ଶିବକୁମାରଙ୍କ ସାଂସଦ ଭାଇ ଡି.କେ ସୁରେଶ କହିଛନ୍ତି। ସିବିଆଇ ପକ୍ଷରୁ ଜାରି ପରୱାନା ସମ୍ପର୍କରେ କାହାରିକୁ ଜଣା ନଥିଲା ବୋଲି ସେ କହିଛନ୍ତି। କ୍ଷମତା ଦଖଲରେ ବିଫଳ ହେବା ପରେ ବିଜେପି ଶିବକୁମାର ଓ ତାଙ୍କ ଉପରେ ଦାଉ ସାଜୁଥିବା ସୁରେଶ ଅଭିଯୋଗ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପି ସଭାପତି ଅମିତ ଶାହା ସିବିଆଇ, ଇଡି ଓ ଆୟକର ବିଭାଗକୁ ସେମାନଙ୍କ ପଛରେ ଲଗାଇଥିବା ସୁରେଶ ଅଭିଯୋଗ କରିଛନ୍ତି।
ସିବିଆଇ ଅଧିକାରୀଙ୍କ ସୂଚନାନୁଯାୟୀ, ରାମନଗରସ୍ଥିତ କର୍ପୋରେସନ୍ ବ୍ୟାଙ୍କ ଶାଖା ପରିଚାଳକ ବି. ପ୍ରକାଶଙ୍କ ମାଧ୍ୟମରେ ୨୦୧୬ ନଭେମ୍ବର ୧୪ରେ ଶିବକୁମାର ୧୦ଲକ୍ଷ ଟଙ୍କାର ପୁରୁଣା ନୋଟ୍ ବଦଳାଇଥିଲେ। ଏହି ଘଟଣାରେ ଅନ୍ୟ କିଛି ବ୍ୟକ୍ତି ସମ୍ପୃକ୍ତ ଥିବା ମଧ୍ୟ ସିବିଆଇ ପକ୍ଷରୁ ଦର୍ଶାଯାଇଛି। ଏ ନେଇ ୨୦୧୭ ଏପ୍ରିଲ ୭ରେ ବ୍ୟାଙ୍କ ଅଧିକାରୀ ପ୍ରକାଶଙ୍କ ସମେତ ଅନ୍ୟମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ମୋଟ ୧୧ଜଣଙ୍କ ନାଁରେ ସିବିଆଇ ସ୍ୱତନ୍ତ୍ର ଅଦାଲତ ପକ୍ଷରୁ ଗିରଫ ପରୱାନା ଜାରି କରାଯାଇଥିଲା।
ତେବେ ଏହି ୧୧ଜଣ କିଏ ତାହା ସେମାନଙ୍କୁ ଜଣା ନାହିଁ ବୋଲି କହିଛନ୍ତି ସୁରେଶ। ଅପରପକ୍ଷରେ ଶିବକୁମାରଙ୍କ କହିବାନୁଯାୟୀ, କ୍ଷମତା ଆଦୌ ସ୍ଥାୟୀ ନୁହେଁ; ସରକାରୀ ଅଧିକାରୀମାନେ ରାଜନେତାଙ୍କ ବୋଲକରା ହୋଇ ପ୍ରତିପକ୍ଷଙ୍କୁ ଅସୁବିଧାରେ ପକାଇବା ଅନୁଚିତ। ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ମଧ୍ୟ ଏହି ଚଢ଼ଉକୁ ନିନ୍ଦା କରିଛନ୍ତି।