ବେଆଇନ କରତକଳ ଉପରେ ଚଢାଉ; କାଠ, ଯନ୍ତ୍ରାଂଶ ଓ ଟ୍ରାକ୍ଟର ଜବତ

ପିପିଲି : ପୁରୀ ଜିଲା ପିପିଲି ପୌରାଞ୍ଚଳର ଶ୍ରୀରାମନଗର ଅଞ୍ଚଳରେ ଥିବା ଏକ ବେଆଇନ କରତକଳ ଉପରେ ବୁଧବାର ବନବିଭାଗ ଓ ଭିଜିଲାନ୍ସ ପୁଲିସ ମିଳିତ ଭାବେ ଚଢାଉ କରି ସେଠାରୁ କରତକଳର ବିଭିନ୍ନ ଯନ୍ତ୍ରାଂଶ, କାଠ ସମେତ ଏକ ଟ୍ରାକ୍ଟରକୁ ଜବତ କରିଥିବା ସୂଚନା ମିଳିଛି।

prayash

ସୂଚନା ମୁତାବକ, ପିପିଲି ଓ ଏହାର ଆଖାପାଖ ଅଞ୍ଚଳରେ ୭ରୁ ଉର୍ଦ୍ଧ ବେଆଇନ କରତକଳ ଚାଲୁଥିବା ନେଇ ଅଭିଯୋଗ ହୋଇଆସୁଥିଲା। ବନ ବିଭାଗର ତଳିଆ କର୍ମଚାରୀଙ୍କୁ ମାସିକିଆ ବଟି ଦେଇ ବେଆଇନ ଭାବେ ଏହି କରତକଳ ଗୁଡିକ ଦିନରାତି ଚାଲୁଥିବା ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଥିବା ବେଳେ ଏଥିପ୍ରତି କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଥିଲା। ତେବେ ଫରେଷ୍ଟ ଭିଜିଲାନ୍ସ ବିଭାଗର ଏସିଏଫ୍‍ ବିଷ୍ଣୁ ଚନ୍ଦ୍ର ବେହେରା ଓ ଖୋର୍ଦ୍ଧା ବନଖଣ୍ଡ ଏସିଏଫ୍‍ ଦିଲିପ କୁମାର ରାଉତ, ଆଲୋକ ରଞ୍ଜନ ହୋତାଙ୍କ ନେତୃତ୍ୱରେ ବାଳକାଟି ବନବିଭାଗ ରେଞ୍ଜର ଜୟକୃଷ୍ଣ ଯଦୁମଣି ଦାସ, ଖୋର୍ଦ୍ଧା ଓ ଭୁବନେଶ୍ୱର ଭିଜିଲାନ୍ସ ପୁଲିସ ଆଇଆଇସି ସରିତା ତ୍ରିପାଠୀ, ଶିବ ନାରାୟଣ ଭଦ୍ର, ଅଶୋକ ବିରୁଆ, ଏସ୍‍ଆଇ କପିଳେଶ୍ୱର ଦାଶ, କମଳିନୀ ତାଣ୍ଡି, ଏଏସ୍‍ଆଇ ସୁଶାନ୍ତ ସେଠୀ, ଅନୋଜ ପ୍ରଧାନ ପ୍ରମୁଖଙ୍କ ସହଯୋଗରେ ବୁଧବାର ପିପିଲି ପୌରାଞ୍ଚଳ ଅନ୍ତର୍ଗତ ଶ୍ରୀରାମନଗର ଅଞ୍ଚଳରେ ଥିବା ସେକ୍‍ ବାସର ଅଲ୍ଲୀଙ୍କ ବେଆଇନ କରତକଳ ଉପରେ ଚଢାଉ କରାଯାଇଥିଲା। ଏହି ଚଢାଉ ସମୟରେ ସେଠାରୁ କରତକଳର ବିଭିନ୍ନ ଯନ୍ତ୍ରାଂଶ, ଚିରା କାଠପଟା, କାଠଗଣ୍ଡି ଓ ଏକ ଟ୍ରାକ୍ଟରକୁ ଜବତ କରାଯାଇଥିଲା। କରତକଳର ମାଲିକ ଓ କର୍ମଚାରୀମାନେ ସେଠାରୁ ଫେରାର୍‍ ହୋଇଯାଇଥିବା ସୂଚନା ମିଳିଛି। ଏନେଇ ବାଳକାଟି ରେଞ୍ଜ ଅଫିସ୍‍ରେ ଏକ ମାମଲା ରୁଜୁ କରାଯାଇଛି। ଏଥିରେ ବାଳକାଟି ଫରେଷ୍ଟର ପ୍ରଭାକର ଦଳେଇଙ୍କ ସମେତ ଖୋର୍ଦ୍ଧା ବନଖଣ୍ଡ ଅଧିନରେ ଥିବା ଟାଙ୍ଗି, ଡେଲାଙ୍ଗ, ଖୋର୍ଦ୍ଧା ବନବିଭାଗର କର୍ମଚାରୀମାନେ ସହଯୋଗ କରିଥିଲେ।

kalyan agarbati

Comments are closed.