ସାହିତ୍ୟ ପ୍ରସାରରେ ପୁସ୍ତକର ଭୂମିକା ଗୁରୁତ୍ବପୂର୍ଣ୍ଣ
ଫୁଲବାଣୀ ପୁସ୍ତକ ମେଳା ଉଦଘାଟିତ
ଫୁଲବାଣୀ:ଜିଲା ଲେଖକ ସାମ୍ମୂଖ୍ୟ ଆନୁକୂଲ୍ୟରେ ଆଜି ସ୍ଥାନୀୟ ଏଜେଓ ହାଇସ୍କୁଲ ପଡିଆଠାରେ ୨୫ତମ ପୁସ୍ତକ ମେଳା ଉଦଘାଟିତ ହୋଇ ଯାଇଛି। ସାମ୍ମୂଖ୍ୟ ସଭାପତି ରବୀନ୍ଦ୍ର ନାଥ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଘାଟନୀ ଉତ୍ସବରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଯୋଗ ଦେଇ ସାହିତ୍ୟ ପ୍ରସାରରେ ପୁସ୍ତକର ଭୂମିକା ଗୁରୁତ୍ବପୂର୍ଣ୍ଣ ବୋଲି କହିବା ସହ କନ୍ଧମାଳ ଭଳି ଜିଲାରେ ସାହିତ୍ୟର ପ୍ରସାର ପାଇଁ ଲେଖକ ସାମ୍ମୂଖ୍ୟର ଏହି ପ୍ରୟାସ ପାଇଁ ସାଧୁବାଦ ଜଣାଇଥିଲେ। ପୂର୍ବତନ ଅର୍ଥ ମନ୍ତ୍ରୀ ପଞ୍ଚାନନ କାନୁନଗୋ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ନିଜର ସୁଦୀର୍ଘ ଅନୁଭୂତି ବର୍ଣ୍ଣନା କରିବା ସହ ଜୀବନରେ ପ୍ରତ୍ୟେକ ପୁସ୍ତକର ମହତ୍ତ୍ବ ରହିଛି ବୋଲି କହିଥିଲେ।
ଲକ୍ଷ୍ମୀ ପୁରାଣର ଉଲ୍ଲେଖ କରି ଶ୍ରୀ କାନୁନଗୋ ଓଡିଆ ସାହିତ୍ୟରେ ନାରୀ ସଶକ୍ତିକରଣ ବିଷୟ ବହୁ ପୂର୍ବରୁ ବର୍ଣ୍ଣନା କରାଯାଇଛି ବୋଲି ମତ ରଖିଥିଲେ। ଅନ୍ୟତମ ଅତିଥି ବରିଷ୍ଠ ସାହିତ୍ୟିକ ତଥା ଭୂତପୁର୍ବ ସାଂସଦ ପ୍ରସନ୍ନ ପାଟଶାଣୀ ଆଜିର ଦୁନିଆରେ ପୁସ୍ତକର ଆଦୃତି କମିବାରେ ଲାଗିଥିବାବେଳେ ପ୍ରତ୍ୟେକ ସ୍ଥାନରେ ଏଭଳି ପୁସ୍ତକ ମେଳା ଆୟୋଜନର ଆବଶ୍ୟକତା ରହିଛି ବୋଲି କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ କନ୍ଧମାଳ ଜିଲାପାଳ ଆଶୀଷ ଈଶ୍ବର ପାଟିଲ ଯୋଗ ଦେଇ କାର୍ୟ୍ୟକ୍ରମର ସଫଳତା କାମନା କରିଥିଲେ। ଏ ଅବସରରେ ବିଭିନ୍ନ ସ୍ଥାନୀୟ ଲେଖକ ଓ କବିଙ୍କ ପୁସ୍ତକ ଉନ୍ମୋଚିତ ହେବା ସହ ସାରସ୍ଵତ ପ୍ରତିଭା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
କବି କୈଳାସ ଚନ୍ଦ୍ର ଧଳ କାର୍ୟ୍ୟକ୍ରମ ପରିଚାଳନା କରିଥିବା ବେଳେ ଅଧ୍ୟାପିକା ହରପ୍ରା ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ।ଲେଖକ ସାମ୍ମୂଖ୍ୟ ସମ୍ପାଦକ ବନ ବିହାରୀ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ। ଫୁଲବାଣୀ ପୁସ୍ତକ ମେଳାର ଏହି ରୌପ୍ୟ ଜୟନ୍ତୀ ଅବସରରେ ଲେଖକ ସାମ୍ମୂଖ୍ୟର ୪୨ ତମ ବାର୍ଷିକ ଉତ୍ସବ ମଧ୍ୟ ଆୟୋଜିତ ହୋଇଛି। ଶେଷରେ ସ୍ଥାନୀୟ କଳାକାର ମାନଙ୍କ ଦ୍ୱାରା ଆକର୍ଷଣୀୟ ସାଂସ୍କୃତିକ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆସନ୍ତା ୧୨ ତାରିଖ ପର୍ୟ୍ୟନ୍ତ ଚାଲିବାକୁ ଥିବା ଏହି ପୁସ୍ତକ ମେଳାରେ ରାଜ୍ୟର ଅନେକ ଖ୍ୟାତି ସମ୍ପନ୍ନ ପ୍ରକାଶକମାନେ ଯୋଗ ଦେଇଛନ୍ତି।
Comments are closed.