କଲମା ଖୋଲିଲା ୬୬ ଗେଟ୍‍

0

ଝାରସୁଗୁଡା : ମହାନଦୀ ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଛତିଶଗଡ଼ କଲମା ବ୍ୟାରେଜର ସମସ୍ତ ୬୬ଟି ଯାକ ଗେଟ୍‍ ଖୋଲି ଦେଇଛି। ଫଳରେ କଲମାରୁ ପ୍ରତି ସେକେଣ୍ଡରେ ନିଷ୍କାସିତ ହେଉଥିବା ୧୭ ଶହ ଘନଫୁଟ ପାଣି ହୀରାକୁଦ ମୁହାଁ ହୋଇଥିବା ଜଣାପଡ଼ିଛି।
ଛତିଶଗଡ଼ ସରକାର ଗତ ଗ୍ରୀଷ୍ମ ଋତୁରେ ମହାନଦୀ ଉପରେ ନିର୍ମାଣ କରିଥିବା ସବୁ ବ୍ୟାରେଜର ଗେଟ୍‍ ବନ୍ଦ ରଖିଥିଲେ। ତେଣୁ ହୀରାକୁଦ ଜଳଭଣ୍ଡାରକୁ ଜଳପ୍ରବାହ ସଂପୂର୍ଣ୍ଣ ବନ୍ଦ ଥିଲା। ତେଣୁ ଚଳିତ ବର୍ଷ ମହାନଦୀ ଓଡ଼ିଶା ସ୍ପର୍ଶ କରିଥିବା ଶୁଖାସୋଢ଼ାରୁ ଆରମ୍ଭ କରି ତଳ ମୁଣ୍ଡ ଯାଏ ମହାନଦୀ ଶଯ୍ୟା ପୂରା ଶୁଖିଲା ପଡ଼ିଥିଲା। କିନ୍ତୁ ଗତ କିଛି ଦିନ ହେଲା ମହାନଦୀ ଉପର ମୁଣ୍ଡର ଛତିଶଗଡ଼ରେ ଲଘୁଚାପ ବର୍ଷା ହେବାରୁ ମହାନଦୀରେ ଜଳ ପ୍ରବାହ ଆରମ୍ଭ ହୋଇଛି। ତେଣୁ ସମ୍ଭାବ୍ୟ ବନ୍ୟା ପରିସ୍ଥିତିରୁ ମୁକୁଳିବା ପାଇଁ ଛତିଶଗଡ଼ ସରକାର ହଠାତ କଲମା ବ୍ୟାରେଜର ସମସ୍ତ ୬୬ଟି ଗେଟ୍‍ ଖୋଲି ଦେଇ ଗଚ୍ଛିତ ଜଳରାଶିକୁ ତଳମୁଣ୍ଡକୁ ଛାଡ଼ି ଦେଇଛନ୍ତି। ଏହି ପାଣି ଆଜି ସକାଳୁ ଶୁଖାସୋଡ଼ାଠାରେ ଓଡ଼ିଶାକୁ ସ୍ପର୍ଶ କରିଛି। ତେବେ ମହାନଦୀ ସଂପୂର୍ଣ୍ଣ ଶୁଖିଲା ପଡ଼ିଥିବାରୁ ପ୍ରଥମ ବର୍ଷା ଜଳ ହୀରାକୁଦ ବନ୍ଧ ଉପରେ ବିଶେଷ ପ୍ରଭାବ ପକାଇବା ସମ୍ଭବନା ନଥିବା ଅନୁମାନ କରାଯାଉଛି। ତେବେ ଯାହା ସବୁଠାରୁ ଚିନ୍ତାଜନକ ତାହା ହେଲା; ଚଳିତ ବର୍ଷ ମଧ୍ୟ ଛତିଶଗଡ଼ ସରକାରଙ୍କ ଜଳ ସଂପଦ ବିଭାଗ କଲମା ବ୍ୟାରେଜରୁ ପ୍ରଥମ ବର୍ଷାଜଳ ନିଷ୍କାସନ ସଂପର୍କରେ ଓଡ଼ିଶାକୁ କୌଣସି ସୂଚନା ଦେଇନାହାନ୍ତି। ଗତ ବର୍ଷ ଜୁଲାଇ ୨୭ ତାରିଖରେ ଛତିଶଗଡ଼ ସରକାର ଓଡ଼ିଶାକୁ ସୂଚନା ନ ଦେଇ ଏହି ବ୍ୟାରେଜର ୪୯ଟି ଗେଟ୍‍ ଖୋଲି ଦେଇଥିଲେ। ସେତେବେଳେ ହୀରାକୁଦ ଜଳଭଣ୍ଡାରକୁ ହଠାତ ପ୍ରତି ସେକେଣ୍ଡରେ ୧୪ ଶହ ଘନଫୁଟ ପାଣି ପ୍ରବେଶ କରିଥିଲା। ଛତିଶଗଡ଼ ସରକାର ମହାନଦୀ ଉପର ମୁଣ୍ଡରେ ଏକାଦିକ୍ରମେ ୬ଟି ବ୍ୟାରେଜ ନିର୍ମାଣ କଲା ପରେ କଲମା ବ୍ୟାରେଜ ତଳ ମୁଣ୍ଡରେ ଥିବା ହୀରାକୁଦ ଗଜ୍‍ଷ୍ଟେସନ ବସ୍ତୁତଃ ଅକାମୀ ହୋଇପଡ଼ିଛି। ଛତିଶଗଡ଼ ଜଳସଂପଦ ବିଭାଗ ମହାନଦୀ ଉପରେ ନିର୍ମିତ ବିଭିନ୍ନ ବନ୍ଧ ଓ ବ୍ୟାରେଜରେ ଗଚ୍ଛିତ ଜଳରାଶି ସଂପର୍କରେ ଆଜି ରିପୋର୍ଟ ଜାରି କରିଛି। ଏହି ରିିପୋର୍ଟ ଅନୁସାରେ ଛତିଶଗଡ଼ ଧମତରୀ ଜିଲାରେ ନିର୍ମିତ ରବିଶଙ୍କର ବନ୍ଧ ଉପର ମୁଣ୍ଡରେ ୧୪୮ ମିଲିମିଟର ବର୍ଷା ହୋଇଥିବାରୁ ଜଳସ୍ତର ୩୪୦ ଫୁଟ୍‍ ଅଛି। କାଙ୍କେର ଜିଲାରେ ଥିବା ଦୁଧୱା ବନ୍ଧ ଉପର ମୁଣ୍ଡରେ ୬୪ ମିଲିମିଟର ବର୍ଷା ହୋଇଥିବାରୁ ଏହାର ଜଳସ୍ତର ୪୧୭ ଫୁଟ୍‍ ଅଛି। କବିରଧାମ ଜିଲାର କର୍ରାନାଲା ବ୍ୟାରେଜ, ରାଇପୁର ଜିଲାର କୁମ୍ଭାରୀ ଓ ପେଣ୍ଡ୍ରାବନ ବନ୍ଧଗୁଡ଼ିକର ଉପର ମୁଣ୍ଡରେ ବର୍ଷା ଯୋଗୁ ଛତିଶଗଡ଼ ଜଳ ସଂପଦ ବିଭାଗ ଏହି ବନ୍ଧଗୁଡ଼ିକରେ ଗଚ୍ଛିତ ପାଣି ଛାଡ଼ି ଦେବାରୁ ତଳ ମୁଣ୍ଡରେ ଥିବା ୬ଟି ବ୍ୟାରେଜର ପାଣି ଛାଡ଼ି ଦେବାକୁ ଛତିଶଗଡ଼ ସରକାର ବାଧ୍ୟ ହୋଇଛନ୍ତି। ଛତିଶଗଡ଼ ତା’ଜଳସଂପଦ ବିଭାଗର ୱେବ ସାଇଟରେ କଲମା ଓ ଅନ୍ୟାନ୍ୟ ବ୍ୟାରେଜରେ ଗଚ୍ଛିତ ଜଳରାଶି ସଂପର୍କରେ ତଥ୍ୟ ସାର୍ବଜନୀନ କରୁ ନାହିଁ। ତେଣୁ ରାତିଆଧିଆ ପାଣି ଛାଡିଦେଲେ ମଧ୍ୟ କେନ୍ଦ୍ର ଜଳ କମିଶନ କିମ୍ବା କେନ୍ଦ୍ର ଜଳସଂପଦ ବିଭାଗ ଏ ବାବଦରେ ଛତିଶଗଡ଼କୁ ତାଗିଦ କରି ପାରୁନାହାନ୍ତି।

prayash

ହୀରାକୁଦ ପ୍ରଭାବଶୂନ୍ୟ : ମୁଖ୍ୟଯନ୍ତ୍ରୀ

ସମ୍ବଲପୁର  : ଛତିଶଗଡ଼ କଲମା ବ୍ୟାରେଜର ସମସ୍ତ ୬୬ଟି ଗେଟ୍‍ ଯୋଗେ ବର୍ଷା ଜଳ ନିଷ୍କାସନ ଆରମ୍ଭ ହୋଇଥିଲେ ମଧ୍ୟ ହୀରାକୁଦ ବନ୍ଧ ଉପରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ। ଏହା କହିଛନ୍ତି ହୀରାକୁଦ ବନ୍ଧ ମଣ୍ଡଳ ମୁଖ୍ୟଯନ୍ତ୍ରୀ ଜ୍ୟୋତିର୍ମୟ ରଥ କହିଛନ୍ତି। ଛତିଶଗଡ଼ ଓଡ଼ିଶାକୁ କୌଣସି ସୂଚନା ନ ଦେଇ ରାତାରାତି କଲମାର ସବୁଯାକ ଗେଟ୍‍ ଖୋଲିଦେବା ଓ ହୀରାକୁଦ ଉପରେ ଏହାର ସମ୍ଭାବ୍ୟ ପ୍ରଭାବ ସଂପର୍କରେ ଏକ ପ୍ରତିକ୍ରିୟାରେ ମୁଖ୍ୟଯନ୍ତ୍ରୀ କହିଛନ୍ତି ଯେ କଲମାର ୬୬ଟି ଗେଟ୍‍ ଯୋଗେ ପ୍ରତି ସେକେଣ୍ଡରେ ମାତ୍ର ୩୪୨୬ ଘନଫୁଟ ପାଣି ହୀରାକୁଦକୁ ଆସୁଛି। ଏହି ପାଣି ପ୍ରାୟ ୯୭ କିଲୋମିଟର ପଥ ଅତିକ୍ରମ କରି ୧୨ ଘଣ୍ଟା ପରେ ହୀରାକୁଦ ଜଳଭଣ୍ଡାରକୁ ପ୍ରବେଶ କରିବ। ଝାରସୁଗୁଡ଼ା ପଟୁ ଇବ୍‍ ପାଣି ମଧ୍ୟ ପ୍ରବେଶ କରୁଛି। କଲମା ପାଣି ଓ ଇବ୍‍ ପାଣି ମିଶିଲେ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ପାଖାପାଖି ୫୪୦୦ ଘନଫୁଟ ପାଣି ଆଜି ରାତି ସୁଦ୍ଧା ପ୍ରବେଶ କରୁଥିବ। କିନ୍ତୁ ହୀରାକୁଦ ବନ୍ଧରୁ ପାୱାର ଚେନାଲ ଓ କେନାଲ ଯୋଗେ ପ୍ରତି ସେକେଣ୍ଡରେ ୧୩ ହଜାର ୭୫୦ ଘନଫୁଟ ପାଣି ନିଷ୍କାସିତ ହେଉଛି। ତେଣୁ ହୀରାକୁଦ ଜଳସ୍ତର ଉପରେ ଏହାର ସାମାନ୍ୟତମ ପ୍ରଭାବ ପଡ଼ିବ ନାହିଁ। ଶନିବାର ସନ୍ଧ୍ୟା ସୁଦ୍ଧା ଜଳସ୍ତର ୬୦୦.୬୭ ଫୁଟ ଅଛି। ଆଜି ରାତିରେ କଲମା ପାଣି ଜଳଭଣ୍ଡାରରେ ପ୍ରବେଶ କଲେ ମଧ୍ୟ ଜଳସ୍ତରରେ ଆଦୌ ବୃଦ୍ଧି ଘଟିବ ନାହିଁ ବୋଲି ମୁଖ୍ୟଯନ୍ତ୍ରୀ ସ୍ପଷ୍ଟ କରିଛନ୍ତି।

kalyan agarbati
Leave A Reply