୧୨ ପର୍ଯ୍ୟନ୍ତ କାଳବୈଶାଖୀ

0

ଭୁବନେଶ୍ୱର : ଝାଡ଼ଖଣ୍ଡ ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ବାୟୁ ଚଳାଚଳ ଦିଗ ବଦଳିବା ସହିତ ତାପମାତ୍ରାରେ ତାରତମ୍ୟ ଲକ୍ଷ୍ୟ କରାଯାଉଛି। ପଶ୍ଚିମ ଓଡ଼ିଶାରେ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହୁଥିବାବେଳେ ଉତ୍ତର, ଉପକୂଳ ଓ ଆଭ୍ୟନ୍ତରୀଣ ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ଝଡ଼ତୋଫାନ ଲକ୍ଷ୍ୟ କରାଯାଉଛି।
ଗୁରୁବାର ରାଜ୍ୟର ତିନିଟି ସ୍ଥାନରେ ସର୍ବାଧିକ ତାପମାତ୍ରା ୪୦ଡ଼ିଗ୍ରୀ ଉପରେ ରହିଛି। ସୋନପୁରରେ ସବୁଠୁ ଅଧିକ ୪୧ଡ଼ିଗ୍ରୀ ଥିବାବେଳେ ବଲାଙ୍ଗିର ଓ ଟିଟିଲାଗଡ଼ରେ ୪୦ରୁ ୪୧ଡ଼ିଗ୍ରୀ ମଧ୍ୟରେ ରହିଛି। ଝାରସୁଗୁଡ଼ା, ସମ୍ବଲପୁର ଓ ଭବାନିପାଟଣାରେ ପାରଦ ୩୯ରୁ ୪୦ଡ଼ିଗ୍ରୀ ମଧ୍ୟରେ ରହିଛି।
ଅନ୍ୟପକ୍ଷରେ ଘୂର୍ଣ୍ଣିବଳୟ ଓ କାଳବୈଶାଖୀ ପ୍ରଭାବରେ୧୨ଟି ଜିଲାରେ ଝଡ଼ତୋଫାନ ଓ ଘଡ଼ଘଡ଼ି ସହିତ ବର୍ଷା ହୋଇଥିଲା। କେନ୍ଦୁଝରରେ ସର୍ବାଧିକ ୩୪ମିମି ବର୍ଷା ରେକର୍ଡ଼ କରାଯାଇଛି। ତାଳଚେରରେ ୨୭, ପାରାଦ୍ୱୀପରେ ୧୬ ମିମି ବର୍ଷିଛି। ସେହିପରି ଚାନ୍ଦବାଲି, କଟକ, ଭୁବନେଶ୍ୱର, ପୁରୀ, ଅନୁଗୋଳ, କୋରାପୁଟ, ମାଲକାନଗିରି ଓ ଢ଼େଙ୍କାନାଳରେ ଘୂର୍ଣ୍ଣିଝଡ଼ ଏବଂ ଘଡ଼ଘଡ଼ି ସହିତ ବର୍ଷା ହୋଇଥିଲା।
ଆସନ୍ତା ୭ ଓ ୮ରେ ଉପକୂଳ ଓଡ଼ିଶାରେ କାଳବୈଶାଖୀ ପ୍ରଭାବ ଅଧିକ ଅନୁଭୂତ ହେବା ସହିତ ୮ରୁ ୧୧ ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାରେ ଏହାର ପ୍ରଭାବରେ ୫୦ରୁ ୬୦କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି। କିଛି ସ୍ଥାନରେ କୁଆପଥର ବୃଷ୍ଟିର ସମ୍ଭାବନା ରହିଛି। କାଳବୈଶାଖୀ ପ୍ରଭାବ ଆସନ୍ତା ୧୨ତାରିଖ ପର୍ଯ୍ୟନ୍ତ ଲାଗିରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

Leave A Reply