ତତ୍କାଳ ଟିକଟ ପାଇଁ ରେଳବାଇର ନୂଆ ନିୟମ

0

ନୂଆଦିଲ୍ଲୀ : ତତ୍କାଳ ଟିକଟ ବୁକିଂ ପାଇଁ ରେଳବାଇ ନୂତନ ନିୟମ ପ୍ରଣୟନ କରିଛନ୍ତି। ଯେଉଁ ଯାତ୍ରୀମାନେ ଶେଷ ମୁହୂର୍ତ୍ତରେ ଜରୁରୀ କାର୍ଯ୍ୟରେ ଯାତ୍ରା କରିବାକୁ ବାଧ୍ୟ ହୋଇଥାନ୍ତି, ସେହିମାନେ ତତ୍କାଳ ବ୍ୟବସ୍ଥାରେ ଟିକଟ ବୁକିଂ କରିଥାନ୍ତି। ଏହାଦ୍ୱାରା ନିର୍ଦ୍ଧାରିତ ସଂଖ୍ୟକ ଟିକଟ ସଂପୃକ୍ତ ଯାତ୍ରୀଙ୍କୁ ମିଳିଥାଏ। ନୂତନ ନିୟମ ଅନୁଯାୟୀ ଯାତ୍ରା ତାରିଖର ଦିନକ ପୂର୍ବରୁ ସକାଳ ୧୦ଟାରୁ ଏସି ଓ ୧୧ଟାରୁ ନନ୍‍ ଏସି ତତ୍କାଳରେ ଟିକଟ ବୁକ୍‍ କରିହେବ। ଯଦି ସଂପୃକ୍ତ ଟ୍ରେନ ତିନି ଘଣ୍ଟାରୁ ଊଦ୍ଧ୍ୱର୍ ସମୟ ବିଳମ୍ବରେ ଚାଲୁଥାଏ, ତେବେ ଯାତ୍ରୀଙ୍କୁ ସମ୍ପୂର୍ଣ୍ଣ ଭଡା ଓ ତତ୍କାଳ ଖର୍ଚ୍ଚ ଫେରସ୍ତ କରାଯିବ। ଯଦି ସଂପୃକ୍ତ ଟ୍ରେନର ଗତିପଥକୁ ପରିବର୍ତ୍ତନ କରାଯାଇଥାଏ ଏବଂ ଯାତ୍ରୀ ପରିବର୍ତ୍ତିତ ରୁଟ୍‍ରେ ଯାତ୍ରା କରିବାକୁ ଅନିଚ୍ଛୁକ ଥାଆନ୍ତି, ତେବେ ସେହି ଯାତ୍ରୀ ସମ୍ପୂର୍ଣ୍ଣ ଭଡା ଫେରିପାଇବାକୁ ଦାବି କରିପାରିବେ। ଯଦି ଟ୍ରେନର ଗତିପଥ ପରିବର୍ତ୍ତନ ହୋଇଥାଏ ଏବଂ ପରିବର୍ତ୍ତିତ ରୁଟ୍‍ର କୌଣସି ଷ୍ଟେସନରେ ଯାତ୍ରୀ ଜଣକ ଚଢିବା କିମ୍ବା ଓହ୍ଲାଇବାକୁ ଅନିଚ୍ଛୁକ ହୁଅନ୍ତି, ତେବେ ସେହି କ୍ଷେତ୍ରରେ ସଂପୃକ୍ତ ଯାତ୍ରୀ ତତ୍କାଳରେ ବୁକିଂ କରିଥିବା ଅର୍ଥ ଫେରସ୍ତ ପାଇପାରିବେ। ତତ୍କାଳ ବୁକିଂରେ ଯଦି କୌଣସି ଯାତ୍ରୀଙ୍କୁ ନିମ୍ନ ଶ୍ରେଣୀରେ ଟିକଟ ଯୋଗାଇ ଦିଆଯାଇଥାଏ ଏବଂ ଯାତ୍ରୀଜଣକ ସେହି ଶ୍ରେଣୀରେ ଯାତ୍ରା କରିବାକୁ ଚାହୁଁନଥାନ୍ତି, ତେବେ ତାଙ୍କୁ ଟିକଟ ଅର୍ଥ ଫେରାଇ ଦିଆଯିବ।

Leave A Reply