ତାମିଲନାଡୁ ବନ୍ଦ ପାଳନ : ଏଆଇଏଡିଏମ୍‍କେ କର୍ମକର୍ତ୍ତାଙ୍କୁ ଦିଆଗଲା ବିରିୟାନୀ ଏବଂ ମଦ

0
କାବେରୀ ପରିଚାଳନା ବୋର୍ଡ ଗଠନ ପ୍ରସଙ୍ଗ

ଚେନ୍ନଇ : କାବେରୀ ପରିଚାଳନା ବୋର୍ଡ ଗଠନ ପ୍ରସଙ୍ଗ ନେଇ ଗୁରୁବାର ତାମିଲନାଡୁରେ ବନ୍ଦ ପାଳିତ ହୋଇଛି। ବିରୋଧୀ ଡିଏମ୍‍କେ ଦ୍ୱାରା ଆହୂତ ଏହି ବନ୍ଦ ଡାକରାରେ ରାଜ୍ୟର ଅଧିକାଂଶ ରାଜନୈତିକ ଦଳ ସାମିଲ ହୋଇଥିଲେ। ଶାସକ ଏଆଇଏଡିଏମ୍‍କେ ଜନତାଙ୍କ ଆସ୍ଥା ଭାଜନ ହେବା ପାଇଁ କାବେରୀ ଜଳ ପରିଚାଳନା ବୋର୍ଡ ଗଠନ ଦାବି କରି ବିକ୍ଷୋଭ ପ୍ରଦର୍ଶନ କରିଛି ।

ତେବେ ଏହି ବିକ୍ଷୋଭ ପ୍ରଦର୍ଶନ ବେଳେ ଶାସକ ଏଆଇଏଡିଏମ୍‍କେ ପକ୍ଷରୁ ମଧ୍ୟାହ୍ନ ଭୋଜନ ସମୟରେ ଦଳୀୟ କର୍ମକର୍ତ୍ତାକଙ୍କୁ ଖାଇବା ପାଇଁ ବିରିୟାନୀ ଏବଂ ମଦ ଦିଆଯିବା ନେଇ ସାମାଜିକ ଗଣମାଧ୍ୟମରେ ଭିଡିଓ ଏବଂ ଫଟୋ ଭାଇରାଲ ହୋଇଛି । ଯାହା ଦଳର ଭାବମୂର୍ତ୍ତିରେ ଆଞ୍ଚ ଆଣିଛି । ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ବିରିୟାନୀ ବାଣ୍ଟୁ ଥିବା ଦେଖିବାକୁ ମିଳିଛି । ତେବେ ସାମାଜିକ ଗଣମାଧ୍ୟମରେ ଭିଡିଓ ଏବଂ ଫଟୋ ଭାଇରାଲ ହେବା ପରେ ବିଭିନ୍ନ ମହଲରେ ପ୍ରତିକ୍ରିୟା ସୃଷ୍ଟି ହୋଇଛି ।

ଏହି ବନ୍ଦ ଯୋଗୁଁ ରାଜଧାନୀ ଚେନ୍ନଇ ସମେତ ରାଜ୍ୟର ଅଧିକାଂଶ ସ୍ଥାନରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଥିଲା। ବିକ୍ଷୋଭକାରୀମାନେ ରେଳଧାରଣାରେ ବସିବା ଫଳରେ ଟ୍ରେନ ଚଳାଚଳ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିଲା। ବସ୍‍ ସେବା ମଧ୍ୟ ବ୍ୟାହତ ହେବାଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ପଡୋଶୀ କର୍ଣ୍ଣାଟକରୁ ରାଜ୍ୟକୁ ଯାତାୟାତ କରୁଥିବା କେଏସଆରଟିସି (କର୍ଣ୍ଣାଟକ ରାଜ୍ୟ ପରିବହନ ନିଗମ) ବସ୍‍ଗୁଡିକୁ ମଧ୍ୟ ପ୍ରବେଶ ଅନୁମତି ମିଳିନଥିଲା। ରାଜ୍ୟରେ ଅଧିକାଂଶ ଦୋକାନ ବଜାର ବନ୍ଦ ରହିଥିବାବେଳେ ପ୍ରଶାସନ ପକ୍ଷରୁ ଶିକ୍ଷାନୁଷ୍ଠାନଗୁଡିକୁ ବନ୍ଦ ରଖାଯାଇଥିଲା। ୧୨ ଘଣ୍ଟିଆ ବନ୍ଦକୁ ରାଜ୍ୟବାସୀ ସ୍ୱତଃପ୍ରବୃତ୍ତଭାବେ ସମର୍ଥନ ଜଣାଇଥିଲେ। ବନ୍ଦ ପଛରେ ସରକାରଙ୍କ ସମର୍ଥନ ରହିଥିବାରୁ ଏହା ସଫଳ ହୋଇପାରିଥିଲା।

ସୂଚନାଯୋଗ୍ୟ କାବେରୀ ନଦୀ ଜଳ ବଣ୍ଟନକୁ ନେଇ ତାମିଲନାଡୁ ଓ କର୍ଣ୍ଣାଟକ ମଧ୍ୟରେ ଦୀର୍ଘ ଦିନରୁ ବିବାଦ ଲାଗିରହିଛି। ସୁପ୍ରିମକୋର୍ଟ ଫେବୃଆରୀ ୧୬ରେ ଦେଇଥିବା ଚୂଡାନ୍ତ ରାୟରେ କର୍ଣ୍ଣାଟକ ଅଧିକ ୧୪.୭୫ ସହସ୍ର ନିୟୁତ ଘନଫୁଟ ପାଣି ପାଇବ ବୋଲି ନିର୍ଦେଶ ଦେବା ସହିତ ରାୟପ୍ରକାଶ ପାଇବାର ଛଅ ସପ୍ତାହ ମଧ୍ୟରେ କାବେରୀ ପରିଚାଳନା ବୋର୍ଡ ଗଠନ କରିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦେଇଥିଲେ। ତେବେ ନିର୍ଦ୍ଧାରିତ ସମୟସୀମା ଅତିକ୍ରାନ୍ତ ହୋଇସାରିବା ପରେ ତାମିଲନାଡୁ ସରକାର ନିକଟରେ କେନ୍ଦ୍ର ସରକାରଙ୍କ ବିରୋଧରେ ସୁପ୍ରିମକୋର୍ଟରେ ଅଦାଲତ ଅବମାନନା ମାମଲା ରୁଜୁ କରିଥିଲେ। ଅପରପକ୍ଷରେ କେନ୍ଦ୍ର ସରକାର ମଧ୍ୟ ସୁପ୍ରିମକୋର୍ଟରେ ଏକ ସତ୍ୟପାଠ ଜରିଆରେ ବୋର୍ଡ ଗଠନ ପାଇଁ ଆଉ ତିନିମାସ ସମୟ ଲୋଡିଛନ୍ତି।

Leave A Reply