ବିମାନ ବନ୍ଦରରୁ ପୁଣି ସୁନା ଜବତ

0

୫.୬୬ ଲକ୍ଷ ଟଙ୍କାର ସୁନା ବଳା ଜବତ

ଭୁବନେଶ୍ୱର : ଭୁବନେଶ୍ୱର ବିମାନ ବନ୍ଦରରେ ଚୋରା ଚାଲାଣ ବେଳେ ପୁଣି ଥରେ ରବିବାର ସୁନା ଜବତ ହୋଇଛି। ଏଥର ସୁନାକୁ ପଞ୍ଜାବୀ କଡ଼ାରେ ପରିଣତ କରାଯାଇ ଚୋରାରେ ଅଣାଯାଉଥିଲା। ୧୮୦.୩୯୦ ଗ୍ରାମ ଏହି ସୁନାର ମୂଲ୍ୟ ୫ଲକ୍ଷ ୬୬ହଜାର ଟଙ୍କାରୁ ଅଧିକ ହେବ। ଥାଇଲାଣ୍ଡର ରାଜଧାନୀ ବ୍ୟାଙ୍କକରୁ ଜଣେ ବ୍ୟବସାୟୀ ସାର୍ଟ ତଳେ ଏହି ସୁନା ଲୁଚାଇ ଆଣୁଥିବା ବେଳେ କଷ୍ଟମ ଅଧିକାରୀମାନେ ଧରିଥିଲେ। ବ୍ୟବସାୟୀ ଜଣକୁ ପୁଲିସ ଅଟକାଇ ଏବେ ପଚରାଉଚରା କରୁଛି।
ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ବିମାନବନ୍ଦରରେ କଷ୍ଟମ ଅଧିକାରୀଙ୍କ ଘନ ଘନ ଚଢ଼ଉ ସତ୍ତେ୍ୱ ସୁନା ଚାଲାଣକାରୀଙ୍କ ଉପରେ କୌଣସି ପ୍ରଭାବ ପଡୁନାହିଁ। ସୁନା ଚାଲାଣରୁ ମୋଟା ଅଙ୍କର ଅର୍ଥ ରୋଜଗାର ଅପରାଧୀଙ୍କ ମନରୁ ଭୟ ଦୂର କରି ଦେଇଛି ବୋଲି ସାଧାରଣରେ ଆଲୋଚନା ଆରମ୍ଭ ହୋଇଯାଇଛି। ଗତକାଲି ପରି ଆଜି ମଧ୍ୟ ଜଣେ ଅନ୍ତର୍ଜାତୀୟ ବିମାନ ଯାତ୍ରୀଙ୍କ ନିକଟରୁ ଏହି ସୁନା ଧରାଯାଇଛି। ଏୟାର ଇଣ୍ଡିଆ ବିମାନରେ ଅଭିଯୁକ୍ତ ବ୍ୟାଙ୍କକ୍‍ରୁ ସୁନା ନେଇ ଭୁବନେଶ୍ୱରରେ ପହଞ୍ଚିବା ପରେ ତାଙ୍କୁ ସୀମାଶୁଳ୍କ ବିଭାଗର ବିମାନ ଗୁଇନ୍ଦା ଶାଖା ଅଧିକାରୀ ଧରିନେଇ ଯାଞ୍ଚ କରିବା ପରେ ତାଙ୍କଠାରୁ ୧୮୦.୩୯୦ ଗ୍ରାମ୍‍ ଓଜନର ଏକ ପଞ୍ଜାବୀ ବଳା ବା କଡ଼ା ମିଳିଥିଲା। ଅଭିଯୁକ୍ତଙ୍କ ଘର ନୂଆଦିଲ୍ଲୀରେ ହୋଇଥିବାବେଳେ ତାଙ୍କୁ ଏବେ ଜେରା କରାଯାଉଛି।
ଭୁବନେଶ୍ୱର ଏୟାରପୋର୍ଟ ଦେଇ ଏପରି ବାରମ୍ବାର ସୁନାର ଚୋରା ଚାଲାଣ ହେଉଛି। ଚାଲାଣକାରୀ ଧରାପଡୁଛନ୍ତି, ହେଲେ ଚାଲାଣ କମୁନାହିଁ। ୪ମାସ ମଧ୍ୟରେ ୧କୋଟି ୩୦ ଲକ୍ଷରୁ ଅଧିକ ଟଙ୍କାର ଚୋରା ସୁନା ଜବତ କରାଯାଇଛି।
ଗତ ସାତ ଦିନ ମଧ୍ୟରେ ଭୁବନେଶ୍ୱର ବିମାନବନ୍ଦରରେ ବିଦେଶରୁ ସୁନା ଚାଲାଣ ଧରା ପଡିବାର ଏହା ହେଉଛି ୬ଷ୍ଠ ଘଟଣା। ଗତକାଲି ବ୍ୟାଙ୍କକ୍‍ରୁ ଆସୁଥିବା ଜଣେ ଯାତ୍ରୀଙ୍କ ଠାରୁ ୯.୫୦ ଲକ୍ଷ ଟଙ୍କାର ସୁନା ଧରା ପଡିଥିଲା।  ସୁନା ଚାଲାଣକାରୀ, କମୁ ନାହିଁ ଚାଲାଣ

Leave A Reply