ବଜେଟ ଅଧିବେଶନ ପ୍ରଥମ ପର୍ଯ୍ୟାୟ ଶେଷ
ଚାଷୀ ସମସ୍ୟା, ଅଭାବୀ ବିକ୍ରି, ବିଜେପି ନେତାଙ୍କ ଗିରଫ ଓ ଲୋକାୟୁକ୍ତ ନିଯୁକ୍ତିକୁ ନେଇ ଉଠିଥିଲା ଝଡ
ଭୁବନେଶ୍ୱର : ମାର୍ଚ୍ଚ ୨୦ ତାରିଖରୁ ଆରମ୍ଭ ହୋଇଥିବା ବିଧାନସଭା ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ ବୈଠକ ଶନିବାର ଶେଷ ହୋଇଛି। ବାଚସ୍ପତି ଗୃହକୁ ଏପ୍ରିଲ ୧୦ ତାରିଖ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି। ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ବୈଠକ ଆସନ୍ତା ୧୧ ତାରିଖରେ ବସିବ। ପ୍ରଥମ ପର୍ଯ୍ୟାୟ ଅଧିବେଶନରେ ଚାଷୀ ସମସ୍ୟା, ଟମାଟୋର ଅଭାବୀ ବିକ୍ରି, ବିଜେପି ନେତାଙ୍କ ଗିରଫଦାରୀ ଓ ଲୋକାୟୁକ୍ତ ନିଯୁକ୍ତି ପ୍ରସଙ୍ଗକୁ ନେଇ ବିରୋଧୀ ଗୃହରେ ଅଚଳାବସ୍ଥା ସୃଷ୍ଟି କରିବା ଯୋଗୁଁ କାର୍ଯ୍ୟସୂଚୀ ଅନୁଯାୟୀ ବିଧାନସଭା କାର୍ଯ୍ୟ ଠିକ ଭାବେ ସମ୍ପାଦିତ ହୋଇପାରିନଥିଲା।
ଅଧିବେଶନର ଆରମ୍ଭରୁ ବିରୋଧୀ ବିଭିନ୍ନ ଦାବି ନେଇ ହଟ୍ଟଗୋଳ କରିବା ଯୋଗୁଁ ଅଧିକାଂଶ ଦିନ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ପ୍ରଥମ ଦିନ ରାଜ୍ୟପାଳ ଏସ.ସି.ଜମିରଙ୍କ ଅଭିଭାଷଣକୁ କଂଗ୍ରେସ ସଦସ୍ୟମାନେ ବର୍ଜନ କରିଥିଲେ। ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବର ଆଲୋଚନା ବେଳେ ସେମାନେ ଗୃହରେ ଚାଷୀଙ୍କ ସମସ୍ୟାର ସମାଧାନ ଦାବି କରିଥିଲେ। ଫଳରେ ଗୃହକୁ ମୁଲତବୀ ଘୋଷଣା କରାଯାଇଥିଲା। ପରଦିନ ଅର୍ଥାତ ବୁଧବାର ପୂର୍ବତନ ମନ୍ତ୍ରୀ ଜୟନାରାୟଣ ମିଶ୍ରଙ୍କ ଗିରଫ ପ୍ରତିବାଦରେ ବିଜେପି ସଦସ୍ୟମାନେ ଗୃହରେ ଅଚଳାବସ୍ଥା ସୃଷ୍ଟି କରିଥିଲେ। ଏହି ଦିନ ଚାଷୀ ସମସ୍ୟା ନେଇ ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ହୋଇପାରିନଥିଲା। ବାଚସ୍ପତି ଗୃହକୁ ବାରମ୍ବାର ମୁଲତବୀ ଘୋଷଣା କରିଥିଲେ। ଗୁରବାର ଗୃହ ସ୍ୱାଭାବିକ ହୋଇଥିଲା। ଦୁଇଦିନର ଅଚଳାବସ୍ଥା ଦୂର ହୋଇଥିବା ବେଳେ କୃଷି ଓ କୃଷକଙ୍କ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା। ଚାଷୀଙ୍କ ସମସ୍ୟାର ଆଲୋଚନା ବେଳେ ସରକାର ଅଭ୍ୟାସଗତ ମିଛୁଆ ବୋଲି ବିରୋଧୀ କହିଥିଲେ। ତେବେ ଏହାକୁ ଖଣ୍ଡନ କରି କୃଷି ଓ କୃଷକଙ୍କ ବିକାଶ ପାଇଁ ସରକାର ପ୍ରୟାସ ଜାରି ରଖିଥିବା କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ କହିଥିଲେ। ୨୩ ତାରିଖରେ ଟମାଟୋର ଅଭାବୀ ବିକ୍ରିକୁ ନେଇ ଗୃହରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲା। ଫଳରେ ପ୍ରଶ୍ନକାଳ ଓ ଶୂନ୍ୟକାଳ ବାଧାପ୍ରାପ୍ତ ହୋଇଥିଲା। ଅପରାହ୍ଣ ଅଧିବେଶନରେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ୨୦୧୮-୧୯ ଆର୍ଥିକବର୍ଷ ପାଇଁ ୧ଲକ୍ଷ ୨୦ହଜାର ୨୮ କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଥିଲେ। ୨୬ ତାରିଖରେ ଲୋକାୟୁକ୍ତ ନିଯୁକ୍ତି ପ୍ରସଙ୍ଗ ଉଠାଇ ବିରୋଧୀ ହଟ୍ଟଗୋଳ କରିଥିଲେ। ଫଳରେ ପୂର୍ବାହ୍ନ ଅଧିବେଶନ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ଅପରାହ୍ଣରେ ସଏଜି ରିପୋର୍ଟ ଉପସ୍ଥାପନ କରାଯାଇଥିଲା। ବିରୋଧୀଙ୍କ ଅନୁପସ୍ଥିତିରେ ଓଡ଼ିଶା ପୌରବିଧି ସଂଶୋଧନ ବିଧେୟକ ପାରିତ ହୋଇଥିଲା। ଗୃହକୁ ମୁଲତବୀ ରଖାଯାଇଥିଲା। ୨୭ ତାରିଖ ଏବଂ ୨୮ ତାରିଖରେ ବିରୋଧୀ ଲୋକାୟୁକ୍ତ ନିଯୁକ୍ତି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ବିବୃତି ଦାବି କରି ଗୃହରେ ଅଚଳାବସ୍ଥା ସୃଷ୍ଟି କରିଥିଲେ। ବିରୋଧୀ ଦଳ ନେତା ଓ ବିଜେପି ବିଧାୟକ ଦଳ ନେତାଙ୍କ ସମେତ କଂଗ୍ର୍ରେସ ଓ ବିଜେପି ବିଧାୟକମାନେ ଗୃହର ମଧ୍ୟଭାଗରେ ଧାରଣାରେ ବସିଥିଲେ। ଅପରାହ୍ଣରେ ସର୍ବଦଳୀୟ ବୈଠକ ବସି ସରକାର ଏ ସମ୍ପର୍କରେ ବିବୃତି ରଖିବା ନିଷ୍ପତ୍ତି ହୋଇଥିଲା। ଗୁରୁବାର ସଂସଦୀୟ ବ୍ୟାପାର ମନ୍ତ୍ରୀ ଲୋକାୟୁକ୍ତ ପ୍ରସଙ୍ଗରେ ବିବୃତି ରଖିବା ପରେ ଗୃହ ସ୍ୱାଭାବିକ ହୋଇଥିଲା। ଅଧ୍ୟାପକ ଅଭାବ ସଂକ୍ରାନ୍ତ ମୁଲତବୀ ପ୍ରସ୍ତାବର ଆଲୋଚନା କରାଯାଇଥିଲା। ଅପରାହ୍ନରେ ବଜେଟ ଉପରେ ଆଲୋଚନା ହୋଇଥିଲା।।
ପ୍ରଥମ ପର୍ଯ୍ୟାୟର ଅନ୍ତିମ ଦିବସରେ ଆଦିବାସୀ ଉପଦେଷ୍ଟା ପରିଷଦ ନିୟମିତ ବୈଠକ ବସୁନଥିବା ପ୍ରସଙ୍ଗକୁ ନେଇ ପ୍ରଶ୍ନକାଳ ଏବଂ ଶୂନ୍ୟକାଳ ବାଧାପ୍ରାପ୍ତ ହୋଇଥିଲା। ଅପରାହ୍ଣରେ ୨୦୧୮-୧୯ ଆର୍ଥିକ ବର୍ଷର ଏପ୍ରିଲ ମାସ ପାଇଁ ୧୬,୫୦୦ କୋଟି ଟଙ୍କାର ଲେଖାନୁଦାନ ବିଧେୟକ ପାରିତ ହୋଇଥିଲା।