ସଚେତନତା ହିଁ ଅଧିକାର ଓ ଦାରିଦ୍ର୍ୟ ଦୂରିକରଣରେ ସହାୟକ ହୋଇଥାଏ : ଜଷ୍ଟିସ ସୁଶ୍ରୀ ପଣ୍ଡା
ସୁନ୍ଦରଗଡ଼: ନ୍ୟାୟିକ ସେବା ଲୋକଙ୍କ ଦ୍ୱାରଦେଶରେ ପହଞ୍ଚାଇବା ପାଇଁ ସରକାର ଓ ଅଦାଲତ ଉଭୟ ବିଭିନ୍ନ କାର୍ୟ୍ୟକ୍ରମମାନ ହାତକୁ ନେଇ ଲୋକଙ୍କୁ ସଚେତନ କରାଇ ଆସୁଛନ୍ତି । ଲୋକେ ସଚେତନ ନ ହେଲେ ନ୍ୟାୟିକ ସେବାରୁ ବଞ୍ଚିତ ହୋଇ ନ୍ୟାୟ ପାଇବାରୁ ଦୁରେଇ ଯିବେ । ତେଣୁ ସଚେତନତା ହିଁ ଅଧିକାର ଓ ଦାରିଦ୍ର୍ୟ ଦୂରିକରଣରେ ସହାୟକ ହୋଇ ପାରିବ ବୋଲି ରାଜ୍ୟ ଉଚ୍ଚ ନ୍ୟାୟାଳୟର ଜଷ୍ଟିସ ତଥା ରାଜ୍ୟ ଆଇନସେବା ପ୍ରାଧିକରଣର କାର୍ୟ୍ୟକାରୀ ଅଧ୍ୟକ୍ଷା ସୁଶ୍ରୀ ସଞ୍ଜୁ ପଣ୍ଡା ମତବ୍ୟକ୍ତ କରିଛନ୍ତି । ଆଜି ସ୍ଥାନୀୟ ମାଦ୍ରିକାଲୋ ଭବନରେ ରାଜ୍ୟ ଆଇନ ସେବା ପ୍ରାଧିକରଣ, ଜିଲା ଆଇନ ସେବା ପ୍ରାଧିକରଣ ଓ ଜିଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଦାରିଦ୍ର୍ୟ ଦୂରିକରଣ ଓ ଆଦିବାସୀଙ୍କ ଅଧିକାର ସଂପର୍କିତ ସଚେତନତା ଶିବିର ଓ ମେଗା ଆଇନ ଶିବିରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜଷ୍ଟିସ ସୁଶ୍ରୀ ପଣ୍ଡା କହିଥିଲେ ଯେ, ନ୍ୟାୟିକ ସେବା ସମସ୍ତଙ୍କ ପାଇଁ ହୋଇଥିବାରୁ ସରକାର ଓ ବିଚାର ବିଭାଗୀୟ ଅଧିକାରୀମାନେ ଏହାକୁ ତୃଣମୂଳସ୍ତରରେ ବସବାସ କରୁଥିବା ଲୋକଙ୍କ ପାଖରେ କିକରି ପହଞ୍ଚିବ ସେହି ଦିଗରେ ଧ୍ୟାନ ଦେବାକୁ ଆହ୍ୱାନ ଦେଇଥିଲେ । ଦାରିଦ୍ର୍ୟ ଓ ଆର୍ଥିକ ସ୍ବଚ୍ଛଳ ନଥିବା ଲୋକଙ୍କୁ ଆଇନ ସେବା ପ୍ରତି ଆକୃଷ୍ଟ କରିବା, ଆଦିବାସୀଙ୍କ ଅଧିକାର ଉପରେ ସେମାନଙ୍କୁ ସଚେତନ କରାଇବା ହିଁ ଆଇନ ସେବାର ମୂଳ ଉଦ୍ଦେଶ୍ୟକୁ ସାଧିତ କରି ପାରିବ ବୋଲି କହିଥିଲେ । ଜିଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲା ଓ ଦୌରା ଜଜ୍ ପ୍ରଦୀପ କୁମାର ମାହନ୍ତ ସ୍ବାଗତ ଭାଷଣ ଦେଇଥିବା ବେଳେ ରାଜ୍ୟ ଆଇନ ସେବା ପ୍ରାଧିକରଣର ସଦସ୍ୟ ସଚିବ ଦେବାଶିଷ ନାଏକ କ୍ୟାମ୍ପ ଓ ସଚେତନତା ଶିବିର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ ଆଲୋକପାତ କରିଥିଲେ । ଶେଷରେ ଜିଲା ଆଇନ ସେବା ପ୍ରାଧିକରଣ ସଦସ୍ୟ ସଚିବ ବିମଳ କୁମାର ରାଉଳ ଧନ୍ୟବାଦ ପ୍ରସ୍ତାବ ଆଗତ କରିଥିଲେ ।
Comments are closed.