ମଦ ପିଇବାକୁ ବାରଣ କରିବାରୁ ଭୁଜାଲୀରେ ଆକ୍ରମଣ, ଜଣେ ଅଟକ

ଯୋଡା : କେନ୍ଦୁଝର ଜିଲା ଯୋଡା ଥାନା ତଥା ଯୋଡା ପୌରାଞ୍ଚଳର ୪ ନମ୍ବର ୱାର୍ଡ ଅନ୍ତର୍ଗତ ଲେଙ୍ଗଡାହଟିଂ ଠାରେ ବୁଧବାର ବିଳମ୍ବିତ ରାତିରେ ମଦ ପିଇବାକୁ ବାରଣ କରିବାରୁ ଭୁଜାଲୀରେ ଆକ୍ରମଣ ଭଳି ଅଭାବନୀୟ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ଖବରରୁ ପ୍ରକାଶ, ସମ୍ପୃକ୍ତ ହଟିଂର ନାଣ୍ଡୁ ନାମକ ଜୈନିକ ଯୁବକ ତାର ସାଙ୍ଗମାନଙ୍କ ସହ ବସି ହଟିଂରେ ମଦ ପିଉଥିବା ସମୟରେ ଏଠାରେ କ’ଣ ପାଇଁ ମଦ ପିଉଛ ବୋଲି ସମ୍ପୃକ୍ତ ହଟିଂର ସୁରେନ୍ଦ୍ର ପୂର୍ତ୍ତୀ ଓ ରୁକ୍ମଣୀ ପାତ୍ର ବାରଣ କରିବାରୁ ଏଥିରେ ନାଣ୍ଡୁ ଉତ୍‍କ୍ଷୀପ୍ତ ହୋଇ ଏକ ଭୁଜାଲୀ ଦ୍ୱାରା ଉଭୟ ସୁରେନ୍ଦ୍ର ଓ ରୁକ୍ମଣୀକୁ ଆକ୍ରମଣ କରିଥିଲା। ନାଣ୍ଡୁଙ୍କ ଭୁଜାଲୀ ଚୋଟରେ ସୁରେନ୍ଦ୍ରଙ୍କ ବାମ ହାତରେ ଗଭୀର ଆଘାତ ହୋଇଥିବା ବେଳେ ରୁକ୍ମଣୀଙ୍କ ମୁଣ୍ଡରେ ଗଭୀର କ୍ଷତ ସୃଷ୍ଟି ହୋଇଥିବାର ଖବର ମିଳିଛି। ଖବର ପାଇ ଯୋଡା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିô ଉଭୟଙ୍କୁ ଗୁରୁତର ଅବସ୍ଥାରେ ଯୋଡା ଟାଟାଷ୍ଟିଲ ଡାକ୍ତରଖାନାରେ ଭର୍ତ୍ତି କରି ଘଟଣା ସହ ସମ୍ପୃକ୍ତ ଜଣକୁ ଏ ସମ୍ବନ୍ଧରେ ଅଟକ ରଖିଥିବାର ଖବର ମିଳିଛି। ଗତ ମାସକ ମଧ୍ୟରେ ଯୋଡା ସହରାଞ୍ଚଳରେ ବାର ଆକ୍ରମଣ ଘଟଣା, ଦାଦାବଟି ମାଗି ବୋମାମାଡ ଘଟଣା, ନବାଳିକାକୁ ବଳାତ୍କାର ଭଳି ସମ୍ବେଦନଶୀଳ ଘଟଣା ପ୍ରବାହ ମାନ ଅସାମାଜିକ ଶାନ୍ତିଶୃଙ୍ଖଳା ବ୍ୟବସ୍ଥା ଉପରେ ଭାରୀ ପଡିଥିବାର ପ୍ରତ୍ୟୟମାନ ହୋଇଛି। ପୁଲିସର ନିଷ୍କ୍ରିୟତା କାରଣରୁ ଦୀର୍ଘ ଦିନ ପରେ ସ୍ଥାନୀୟ ଅସାମାଜିକ ତତ୍ୱଙ୍କ ସହଯୋଗରେ ବାହାର ପ୍ରଦେଶ ଦାଗୀ ମାନେ ଆଇନଶୃଙ୍ଖଳା ପରିସ୍ଥିତିକୁ ଚ୍ୟାଲେଞ୍ଜ କରିଥିବାର ସାଧାରଣରେ ବିଶ୍ୱାସ କରାଯାଉଛି।

Comments are closed.