ୱାଶିଂଟନ : ୟୁକ୍ରେନ ଉପରେ ଆକ୍ରମଣକୁ ନେଇ ରୁଷିଆକୁ ବହୁମୂଲ୍ୟ ଦେବାକୁ ପଡିବ। ଯୁଦ୍ଧଦ୍ବାରା ୟୁକ୍ରେନକୁ ରୁଷିଆ ଦଖଲ କରିଲେ ମଧ୍ୟ ଦୀର୍ଘକାଳୀନ ଭିତ୍ତିରେ ଏହାର ପରିଣାମ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କୁ ଭୋଗିବାକୁ ପଡିବ। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି ଯେ ପୁତିନ ପୂର୍ବ ନିର୍ଦ୍ଧାରିତ ନିଷ୍ପତ୍ତି ଅନୁଯାୟୀ ୟୁକ୍ରେନ ଉପରେ ଆକ୍ରମଣ କରିଛନ୍ତି। ପୁତିନଙ୍କ ଏହି ଆହ୍ବାନକୁ ମୁକାବିଲା କରିବା ଲାଗି ଆମେରିକା ପ୍ରସ୍ତୁତ ରହିଛି। ଇତିହାସରୁ ଆମେ ଜାଣିଛେ ଯେ ଜଣେ ଏକଛତ୍ରବାଦୀ ଯେତେପର୍ଯ୍ୟନ୍ତ ନିଜର ଅହଂକାର ପାଇଁ ମୂଲ୍ୟ ନ ଦେଇଛି ସେତେପର୍ଯ୍ୟନ୍ତ ସେ ବିଶୃଙ୍ଖଳା ସୃଷ୍ଟି କରିଚାଲିଥିବ। ସେ କହିଥିଲେ ଯେ ପୁତିନ ଜାଣିପାରୁ ନାହାନ୍ତି ଯେ ଯୁଦ୍ଧ ଦ୍ବାରା ତାଙ୍କର ଆଗକୁ କି ଅସୁବିଧା ହେବ। ଏପରି କଳ୍ପନା କରିବାର ଶକ୍ତି ମଧ୍ୟ ତାଙ୍କର ନାହିଁ। ଆମେରିକା ସଂସଦର ମିଳିତ ଅଧିବେଶନକୁ ସମ୍ବୋଧନ କରି ବାଇଡେନ କହିଛନ୍ତି ଯେ ରୁଷିଆ-ୟୁକ୍ରେନ ଯୁଦ୍ଧରେ ଆମେରିକା ସୈନ୍ୟ ପ୍ରତ୍ୟକ୍ଷ ଭାବେ ସାମିଲ ହେବେ ନାହିଁ। ମାତ୍ର ୟୁକ୍ରେନ ପ୍ରତି ଆମେରିକା ଆର୍ଥିକ ଓ ସାମରିକ ସହଯୋଗ କରିବ। ପୁତିନଙ୍କୁ ସମାଲୋଚନା କରି ବାଇଡେନ କହିଛନ୍ତି ଯେ ୟୁକ୍ରେନ ଉପରେ ଆକ୍ରମଣ କରିବା ନେଇ ରୁଷିଆ ନେତାଙ୍କ ନିଷ୍ପତ୍ତି ଭୁଲ୍। ସେମାନେ ୟୁକ୍ରେନ ସମ୍ପର୍କରେ ଭୁଲ୍ ଆକଳନ କରିଛନ୍ତି। ଅନ୍ୟପଟେ ୟୁକ୍ରେନ ରାଷ୍ଟ୍ରପତି ଭୋଲଡୋମିର ଜେଲେନସ୍କି ଓ ପ୍ରତ୍ୟେକ ୟୁକ୍ରେନ ନାଗରିକଙ୍କୁ ବାଇଡେନ ପ୍ରଶଂସା କରିଛନ୍ତି। ରୁଷିଆ ବିରୋଧରେ ୟୁକ୍ରେନବାସୀ ଯେଉଁ ସାହସ, ଦୃଢ ମନୋବଳ ପ୍ରଦର୍ଶନ କରିଛନ୍ତି ତାହା ସମଗ୍ର ବିଶ୍ବ ପାଇଁ ପ୍ରେରଣାଦାୟୀ। ପ୍ରତିନିଧି ସଭା ଗୃହରେ ବାଇଡେନ ଉଦ୍ବୋଧନ ଦେବା ସମୟରେ ସାଂସଦମାନେ ନିଜ ନିଜ ଆସନରେ ଠିଆ ହୋଇ ୟୁକ୍ରେନର ଜାତୀ ପତାକା ପ୍ରଦର୍ଶନ ପୂର୍ବକ ନାରାବାଜି କରିଥିଲେ। କେତେକ ସାଂସଦ ୟୁକ୍ରେନର ନୀଳ ଓ ହଳଦିଆ ରଙ୍ଗର ପୋଷାକ ପିନ୍ଧିଥିଲେ। ଦୁଇ ଦେଶ ମଧ୍ୟରେ ଯୁଦ୍ଧ ୭ମ ଦିନରେ ପହଞ୍ଚିଥିବାବେଳେ ଲକ୍ଷ ଲକ୍ଷ ୟୁକ୍ରେନବାସୀ ଦେଶଛାଡି ପଳାୟନ କରୁଛନ୍ତି।
Popular Categories



