-ପଞ୍ଚାୟତର ବିଜୟ ପାଇଁ ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜଣାଇଲେ,-ମିଛ ଓ ଛଳନାର ରାଜନୀତି ଓଡ଼ିଶାରେ କାମ କରିବ ନାହିଁ
-ବିରୋଧୀଙ୍କ ଅପପ୍ରଚାର ପାଇଁ ସତର୍କ ରହିବାକୁ ଆହ୍ବାନ
ଭୁବନେଶ୍ବର : ଆସନ୍ତା ପୌର ନିର୍ବାଚନର ପ୍ରସ୍ତୁତି ନେଇ ଦଳର ସାଂସଦ, ବିଧାୟକ, ଜିଲା ସଭାପତି ଓ ପର୍ଯ୍ୟବେକ୍ଷକଙ୍କ ସହ ଆଭାସି ସମ୍ମିଳନୀ ଜରିଆରେ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ଆଲୋଚନା କରିଛନ୍ତି। ଏହି ଅବସରରେ ପଞ୍ଚାୟତ ନିର୍ବାଚନରେ ଦଳର ବିପୁଳ ସଫଳତା ପାଇଁ ଓଡ଼ିଶାବାସୀଙ୍କ ସହ ଦଳର କର୍ମୀଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି।
ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ପଞ୍ଚାୟତ ନିର୍ବାଚନରେ ବିଜୁ ଜନତା ଦଳର ସଫଳତା ପାଇଁ ମୁଁ ଓଡିଶାବାସୀଙ୍କୁ ଧନ୍ୟବାଦ ଜଣାଉଛି। ଓଡିଶାବାସୀ ପୁଣିଥରେ ଆମ କାମ ଉପରେ ଆସ୍ଥା ପ୍ରକଟ କରିଛନ୍ତି। ଏହି ବିଜୟ, ଗଣତାନ୍ତ୍ରିକ ନିର୍ବାଚନରେ ନୂଆ ରେକର୍ଡ ସୃଷ୍ଟି କରିଛି। ପଶ୍ଚିମରୁ ଉପକୂଳ, ଉତ୍ତରରୁ ଦକ୍ଷିଣ, ଓଡିଶାର, ସବୁ ଅଞ୍ଚଳର ଜନସାଧାରଣ ସମାନ ଭାବରେ ବିଜୁ ଜନତା ଦଳକୁ ଆଶୀର୍ବାଦ କରିଛନ୍ତି। ଏହି ଆଶୀର୍ବାଦ ଓ ସ୍ନେହ ଆମକୁ ଆହୁରି କଠିନ ପରିଶ୍ରମ କରିବାକୁ ପ୍ରେରଣା ଦେଉଛି। ଆମର କର୍ମୀ ଓ ଶୁଭେଚ୍ଛୁମାନଙ୍କୁ ମୁଁ ଧନ୍ୟବାଦ ଦେଉଛି। ସେମାନେ ରାତିଦିନ କାମ କରି ଆମ ସରକାରଙ୍କ ନୀତି ଓ କାର୍ଯ୍ୟକ୍ରମକୁ ଲୋକଙ୍କ ପାଖରେ ପହଞ୍ଚାଉଛନ୍ତି।
ଗଣତନ୍ତ୍ରରେ ଲୋକଙ୍କ ସ୍ୱର ସର୍ବୋଚ୍ଚ ଅଟେ। ରାଜ୍ୟର ସବୁ ପଞ୍ଚାୟତରେ ଜନମତ ସ୍ପଷ୍ଟ ଓ ଅଭୂତପୂର୍ବ ହୋଇଛି। ବିଜୁ ଜନତା ଦଳ ଓଡିଶାବାସୀଙ୍କର ଏହି ମତକୁ ନମ୍ରତାର ସହ ଗ୍ରହଣ କରିଛି। ଆମେ ଆମର ଭଲ କାମ ଜାରି ରଖିବୁ। ଆଗାମୀ ପୌର ନିର୍ବାଚନ ସମୟରେ ମଧ୍ୟ ବିରୋଧୀ ଦଳଙ୍କ ଅପପ୍ରଚାର ପ୍ରତି ସତର୍କ ରହିବାକୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ “ବର୍ତ୍ତମାନ ପୌର ନିର୍ବାଚନର ସମୟ ଆସିଛି। ଆପଣ ଜାଣନ୍ତି, ପଞ୍ଚାୟତ ନିର୍ବାଚନରେ ବିରୋଧୀ ଦଳ ପୂର୍ବରୁ କେତେ ଅପପ୍ରଚାର କରିଛନ୍ତି। ମୋ’ ସରକାରକୁ ବଦନାମ କରିବା ପାଇଁ ମିଛ କାହାଣୀ କହିଛନ୍ତି ଓ ନକାରାତ୍ମକ ରାଜନୀତି କରିଛନ୍ତି। ଓଡିଶାବାସୀ ସେମାନଙ୍କ କଥାକୁ ଗୁରୁତ୍ବ ଦେଇନାହାନ୍ତି। ଆଗାମୀ ପୌର ନିର୍ବାଚନରେ ମଧ୍ୟ ସେମାନେ ପୁଣିଥରେ ସେହିଭଳି ଅପପ୍ରଚାର କରିବେ। ଲୋକଙ୍କ ଆଗରେ ବିରୋଧୀ ଦଳଙ୍କ ଅପପ୍ରଚାରର ମୁଖା ଖୋଲିବା ହେଉଛି ଆମ ଦଳର ପ୍ରତି କର୍ମୀ ଭାଇଭଉଣୀମାନଙ୍କର ଦାୟିତ୍ବ।
ବିଜୁ ଜନତା ଦଳର ଆଦର୍ଶ ଓ ସହରାଞ୍ଚଳର ବିକାଶ କାର୍ଯ୍ୟ ସମ୍ବନ୍ଧରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମେ ସକାରାତ୍ମକ ରାଜନୀତିରେ ବିଶ୍ବାସ କରୁ। ପରିବର୍ତ୍ତନଶୀଳ ଶାସନ ଏବଂ ଲୋକଙ୍କର ସଶକ୍ତୀକରଣ ହେଉଛି ଆମର ଲକ୍ଷ୍ୟ। ପୌରାଞ୍ଚଳରେ ଅନେକ ଭଲ କାମ ହୋଇଛି। ସହରର ଗରିବ ଲୋକଙ୍କ ପାଇଁ ଜାଗା ମିଶନ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛି। ଷ୍ଟ୍ରିଟ୍ ଲାଇଟ୍ଠାରୁ ଆରମ୍ଭ କରି ଇନ୍ଡୋର ଷ୍ଟାଡିୟମ, ଭଲ ପିଇବା ପାଣି, ଅତ୍ୟାଧୁନିକ ବର୍ଜ୍ୟବସ୍ତୁ ପରିଚାଳନା ପ୍ରଣାଳୀ, ମିଶନ ଶକ୍ତିର ମା’ମାନଙ୍କ ପାଇଁ ରୋଜଗାରର ନୂଆ ସୁଯୋଗ, ୱାର୍ଡସ୍ତରର ଭିତ୍ତିଭୂମି ଓ ନାଗରିକ ସୁବିଧା ଏବଂ ସଞ୍ଚାର ଜରିଆ (ଅନ୍ଲାଇନ)ରେ ସେବା ପ୍ରଦାନ ଭଳି ସୁବିଧା କରାଯାଇଛି। ନାଗରିକଙ୍କ କଲ୍ୟାଣକୁ ଦୃଷ୍ଟିରେ ରଖି ଆମର ସବୁ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି। ବସ୍ତିବାସିନ୍ଦାଙ୍କଠାରୁ ଆରମ୍ଭ କରି ଆପାର୍ଟମେଣ୍ଟର ମାଲିକ, ମା’ ମାନଙ୍କଠାରୁ ଆରମ୍ଭ କରି ଶିଶୁ ତଥା ଯୁବ ସମାଜ ସମସ୍ତଙ୍କ ସଶକ୍ତୀକରଣ ପାଇଁ ଆମେ ପ୍ରତିବଦ୍ଧତାର ସହ କାମ କରୁଛୁ।
ଓଡ଼ିଶାବାସୀ ନକାରାତ୍ମକ ରାଜନୀତିକୁ କେବେ ବି ଗ୍ରହଣ କରିବେ ନାହିଁ ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହିସବୁ କାର୍ଯ୍ୟକ୍ରମ ଆମକୁ ଲୋକଙ୍କ ପାଖକୁ ନେଇଯିବାକୁ ହେବ। ବିରୋଧୀ ଦଳଙ୍କର ମିଛ ତଥା ନକାରାତ୍ମକ ରାଜନୀତିକୁ ଆମର ସକାରାତ୍ମକ ତଥା ସତ୍ ଉଦ୍ୟମ ଜରିଆରେ ହିଁ ମୁକାବିଲା କରିବାକୁ ପଡ଼ିବ। ମୋର ବିଶ୍ବାସ, ଏହି ପଞ୍ଚାୟତ ନିର୍ବାଚନରେ ଆପଣମାନେ ଯେପରି କଠିନ ପରିଶ୍ରମ କରିଥିଲେ, ପୌର ନିର୍ବାଚନରେ ମଧ୍ୟ ସେହିପରି ଉଦ୍ୟମ ଜାରି ରଖିବେ। ଆମେ ପୁଣି ଥରେ ଲୋକଙ୍କ ଆସ୍ଥା ଓ ଆଶୀର୍ବାଦ ଲାଭ କରିପାରିବା। ମିଛ ଓ ଛଳନାର ରାଜନୀତି ଓଡ଼ିଶାରେ କାମ କରିବ ନାହିଁ ବୋଲି ବିରୋଧୀ ଦଳଙ୍କୁ ଦେଖାଇ ଦେବା।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଜନୀତିର ଅର୍ଥ କେବଳ କ୍ଷମତା ନୁହେଁ, ଗୋଟିଏ ଗଣତନ୍ତ୍ରରେ ଲୋକମାନେ ହିଁ ହେଉଛନ୍ତି କ୍ଷମତାର ସ୍ରୋତ। ରାଜ୍ୟର ସବୁଠାରୁ ଦୁର୍ଗମ ଅଞ୍ଚଳରେ ରହୁଥିବା ସାଧାରଣ ଲୋକଟିର ବିଶ୍ବାସ ହେବା ଦରକାର ଯେ ବିଜୁ ଜନତା ଦଳ ସବୁବେଳେ ତା’ର କଲ୍ୟାଣ ଏବଂ ତା’ର ପ୍ରତିବଦ୍ଧତା ପାଇଁ କାମ କରୁଛି। ଏହି ବାର୍ତ୍ତାକୁ ଲୋକମାନଙ୍କ ପାଖରେ ପହଞ୍ଚାଇବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ। ଏହି ଅଭୂତପୂର୍ବ ଜନାଦେଶ ପାଇଁ ଓଡିଶାର ଜନସାଧାରଣଙ୍କୁ ଓ ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ।



