Patra electronics

ଦୃଷ୍ଟି ଆଢ଼ୁଆଳରେ ବାବାଡେରା ଗୁମ୍ଫା

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲାରେ ରହିଛି ଅନେକ ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ସ୍ଥାନ। ସେଥିମଧ୍ୟରୁ ଜିଲାର ଲଇକେରା ବ୍ଲକ ପାକେଇପଡ଼ାରେ ରହିଛି ଅନ୍ୟ ଏକ ଦର୍ଶନୀୟ ସ୍ଥାନ ବାବାଡେରା ଗୁମ୍ଫା। ଯାହା ଏବେ ସୋସିଆଲ ମିଡ଼ିଆରେ ଲୋକଙ୍କୁ ଆକୃଷ୍ଟ କରୁଛି। ଏହାର ସୌନ୍ଦର୍ଯ୍ୟ ଓ ବିକାଶ ଦିଗରେ ପଦକ୍ଷେପ ନେଲେ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇବା ସହିତ ରାଜସ୍ବ ବୃଦ୍ଧି ପାଇବାରେ ସହାୟକ ହୁଅନ୍ତା।

ପାକେଇପଡ଼ା ଗ୍ରାମର ପୂର୍ବ ଦିଗକୁ କିଛି ଦୂର ଗଲେ ବାଟରେ ପଡ଼େ ଦୁଇଟି ପାହାଡ଼। ବାମପଟେ ଭାଇଭଉଣୀ ପାହାଡ଼ ଓ ଡାହାଣ ପାର୍ଶ୍ବରେ ରହିଛି ବୁଢ଼ୀକୁଟେନ ପାହାଡ଼। ବିସ୍ତୀର୍ଣ୍ଣ ଜଙ୍ଗଲ ମଧ୍ୟରେ ଥିବା ଏହି ଦୁଇ ପାହାଡ଼କୁ ନେଇ ଅନେକ ଲୋକକଥା ରହିଛି। ଭାଇଭଉଣୀ ପାହାଡ଼ରେ ରହିଛି ଏକ ଗୁମ୍ଫା। ଯେଉଁ ଗୁମ୍ଫାରେ ବହୁ ବର୍ଷ ପୂର୍ବରେ ଜଣେ ସାଧୁ ରହି ସାଧନା କରୁଥିବାରୁ ଏହାକୁ ବାବାଡେରା ଗୁମ୍ଫା ନାମକରଣ କରାଯାଇଛି।

ସନ୍ଧ୍ୟାହେଲେ ଉକ୍ତ ଗୁମ୍ଫାରେ ଖଞ୍ଜଣୀ ବଜାଇ ଭଜନ କରୁଥିବା ବେଳେ ତାହା ଗାଁ ପର୍ଯ୍ୟନ୍ତ ଶୁଣାଯାଉଥିଲା। ସାଧୁ ସକାଳେ ଗୁମ୍ଫାରୁ ବାହାରି ଗ୍ରାମରେ ଭିକ୍ଷା କରି ପୁଣି ସେଠାକୁ ଫେରିଯାଉଥିଲେ। ଗୁମ୍ଫାତ​‌ଳେ ସାଧୁ ଅନେକ ଥର ଆଧ୍ୟାତ୍ମିକ ସମାରୋହ କରୁଥିବାବେଳେ ସେଥିରେ ଗ୍ରାମବାସୀଙ୍କ ସମେତ ବିଭିନ୍ନ ସ୍ଥାନରୁ ସାଧୁସନ୍ଥ, ସଂକୀର୍ତ୍ତନ ମଣ୍ଡଳୀ ଆସି ଯୋଗ ଦେଉଥିବାରୁ ସାରା ଜଙ୍ଗଲ ଅଞ୍ଚଳ ପ୍ରକମ୍ପିତ ହେଉଥିଲା। ଜଙ୍ଗଲରେ ଅନେକ ଜୀବଜନ୍ତୁ ମଧ୍ୟ ଥିଲେ। ଏବେବି କିଛି ଜଙ୍ଗଲୀ ଜନ୍ତୁ ଏଠାରେ ଦୃଶ୍ୟମାନ ହୋଇଥାନ୍ତି। ସାଧୁ ଗୁମ୍ଫାରେ ରହୁଥିବାରୁ ଗ୍ରାମବାସୀ ଓ ଏହି ଗୁମ୍ଫା ମଧ୍ୟରେ ଦୀର୍ଘବର୍ଷ ପର୍ଯ୍ୟନ୍ତ ସମ୍ପର୍କ ରହି ଆସିଥିଲା।

ପରେ ଭାଲୁ ଆକ୍ରମଣରେ ସାଧୁଙ୍କ ମୃତ୍ୟୁ ହୋଇଥିଲା। ସେହି ଦିନ ଠାରୁ ଗୁମ୍ଫାରୁ ଗ୍ରାମବାସୀଙ୍କ ଭାଗବତ ସମ୍ପର୍କ କମି ଯାଇଥିଲା। ସେହି ସ୍ଥାନରେ ଏକ ଗମ୍ବୁଜ ପରି ବିରାଟ ପଥର ରହିଛି। ଏହି ଗମ୍ବୁଜ ପଥରକୁ ଲୋକେ ପିତାବହଳିଆ ବୋଲି ନାମକରଣ କରିଛନ୍ତି। ଏହି ପଥରକୁ ପୂଜା କଲେ ମନସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ବାସ ରହିଛି। ଏବେବି ଲୋକେ ଏଠାରେ ପୂଜାର୍ଚ୍ଚନା କରିଥାନ୍ତି। ଏହି ସ୍ଥାନକୁ ଯାତାୟାତ ପାଇଁ ଭଲରାସ୍ତା ଓ ଏହି ପାହାଡ଼ର ଉନ୍ନତୀକରଣ କରାଯାଇନାହିଁ।

ଯଦି ଏହାର ଉନ୍ନତୀକରଣ ପର୍ଯ୍ୟଟନ ବିଭାଗ ପକ୍ଷରୁ କରାଯାନ୍ତା, ତେବେ ବାବାଡେରା ଗୁମ୍ଫା ଓ ପିତାବହଳିଆ ପଥର ପର୍ଯ୍ୟଟକମାନଙ୍କୁ ଅଧିକ ଆକୃଷ୍ଟ କରିପାରନ୍ତା। ଜିଲା ପ୍ରଶାସନ ଏବଂ ପର୍ଯ୍ୟଟନ ବିଭାଗର ପ୍ରଚାର ଅଭାବ ଯୋଗୁଁ ଏହା ଲୋକ ଲୋଚନକୁ ଆସିପାରୁନାହିଁ। ଜନ୍ମାଷ୍ଟମୀ ଦିନ ଏହି ବାବାଡେରା ଗୁମ୍ଫାରେ ମେଳା ଲାଗିଥିଲା। ପ୍ରତିବର୍ଷ ମଧ୍ୟ ଏପରି ହୋଇଥାଏ। ବହୁ ଦୂର ଦୂରାନ୍ତରୁ ଲୋକମାନେ ମେଳା ଦେଖିବାକୁ ଆସିଥାନ୍ତି।

Comments are closed.